ୱାଶିଂଟନ,୦୨/୦୭: ଆମେରିକାରେ ବିଦେଶୀ ଛାତ୍ରଛାତ୍ରୀ, ଏକ୍ସଚେଞ୍ଜ୍‌  ଭିଜିଟର ଓ ବିଦେଶୀ ସୂଚନା ମିଡିଆ ପ୍ରତିନିଧିଙ୍କ ରହଣି ଲାଗି ନିର୍ଦ୍ଦିଷ୍ଟ ସୀମା ଧାର୍ଯ୍ୟ  ହେବ । ଏ ନେଇ ଆମେରିକାର ଗୃହ ସୁରକ୍ଷା ବିଭାଗ (ଡିଏଚ୍‌ଏସ୍‌) ଆଣିଥିବା  ଏକ ପ୍ରସ୍ତାବକୁ ଅଫିସ ଅଫ୍‌ ମ୍ୟାନେଜମେଣ୍ଟ ଆଣ୍ଡ ବଜେଟ୍‌ (ଓଏମ୍‌ବି) ନିକଟରେ  ଦାଖଲ କରାଯାଇଛି । ଓଏମ୍‌ବିର ମୁଖ୍ୟ ସିଧାସଳଖ ଭାବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ରିପୋର୍ଟ କରିଥାନ୍ତି । ତେଣୁ ଏହାର ନିଷ୍ପତ୍ତିକୁ ଚୂଡ଼ାନ୍ତ ବିବେଚନା କରାଯିବ ।  ଓଏମ୍‌ବିର ସମୀକ୍ଷା ପରେ ପ୍ରସ୍ତାବିତ ନିୟମ ଫେଡେରାଲ ରେଜିଷ୍ଟରରେ ପ୍ରକାଶିତ  ହେବ । 

ସ୍ୱାଭାବିକ ଭାବେ କୌଣସି ନିୟମ ଚୂଡ଼ାନ୍ତ ହେବା ପୂର୍ବରୁ ଏହାକୁ ଜନମତ ପାଇଁ ୩୦ରୁ ୬୦ ଦିନ ପର୍ଯ୍ୟନ୍ତ ରଖାଯାଇଥାଏ । ଏହାପରେ ନିୟମ କାର୍ଯ୍ୟକାରୀ  ହେବା ଲାଗି ମାସ ମାସ ଲାଗିଯାଏ । କିନ୍ତୁ ଓଏମ୍‌ବି ନିକଟରେ ଦାଖଲ ହୋଇଥିବା  ଏହି ନିୟମ ଜନମତ ହାସଲ ବିନା ତତ୍କାଳ କାର୍ଯ୍ୟକାରୀ ହେବ । ଏହାକୁ ଏକ  ଅନ୍ତରୀଣ ନିୟମ ଭାବେ ଲାଗୁ କରାଯିବ । ବର୍ତ୍ତମାନ ପ୍ରଚଳିତ ନିୟମ ବେଶ୍‌  ସୁହାଇଲା ଭଳି ରହିଛି । ବିଦେଶୀ ଛାତ୍ରଛାତ୍ରୀ ସେମାନଙ୍କ ପାଠପଢ଼ା ଶେଷ ନହେବା  ପର୍ଯ୍ୟନ୍ତ ଆମେରିକାରେ ରହିପାରୁଛନ୍ତି । ଏହାର ଅର୍ଥ ଯେଉଁ କାର୍ଯ୍ୟ ପାଇଁ ଭିସା ଜାରି  ହୋଇଛି, ତାହା ଶେଷ ନ ହେବା ଯାଏ ସେମାନେ ଆମେରିକାରେ ରହିପାରିବେ । 

ଏ  ନେଇ ‘ଇମିଗ୍ରେସନ ଡଟ୍‌ କମ୍‌’ର ମ୍ୟାନେଜିଂ ଆଟର୍ଣ୍ଣି ରାଜୀବ ଏସ୍‌ ଖାନ୍ନା କହିଛନ୍ତି, ବର୍ତ୍ତମାନ ବିଦେଶୀ ଛାତ୍ରଛାତ୍ରୀମାନେ ଆମେରିକାରେ ସେମାନଙ୍କ ପାଠପଢ଼ା ଶେଷ  ନ ହେବା ଯାଏ ରହିପାରୁଛନ୍ତି । କିନ୍ତୁ ଟ୍ରମ୍ପ୍‌ ପ୍ରଶାସନ ଏହାକୁ ଏକ ‘ପୂର୍ବ-ଧାର୍ଯ୍ୟ  ଅବଧି’ରେ ପରିଣତ କରିବାକୁ ଚାହୁଁଛି । ଭିସାର ଏକ ନିର୍ଦ୍ଦିଷ୍ଟ ଅବଧି ତାରିଖ  ରହିବା ଦ୍ୱାରା ବିଦେଶୀ ଛାତ୍ରଛାତ୍ରୀମାନେ ଭିସା ଅବଧି ସମ୍ପ୍ରସାରଣ ଲାଗି ବାରମ୍ବାର  ଆବେଦନ କରିବେ । ଏହା ସେମାନଙ୍କ ଉପରେ ଅଯଥା ଆର୍ଥିକ ଚାପ ପକାଇବ  ଏବଂ ସେମାନେ ନାନା ଅନିଶ୍ଚିତତାର ସମ୍ମୁଖୀନ ହେବେ।