ନୂଆଦିଲ୍ଲୀ - ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ତାଙ୍କର ଦିଲ୍ଲୀ ଗସ୍ତ ପୂର୍ବରୁ ଭାରତ ସହିତ ଶକ୍ତି ସହଯୋଗ (ଇନ୍ଧନ ଯୋଗାଣ) ଉପରେ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ, ଆମେରିକା ଭାରତକୁ ସେତିକି ଶକ୍ତି ବିକ୍ରୟ କରିବାକୁ ଚାହୁଁବ ,ଯେତିକି ସେ କିଣିବାକୁ ଚାହିଁବ। ରୁବିଓ କହିଛନ୍ତି - ଆମେରିକା ବର୍ତ୍ତମାନ ଐତିହାସିକ ସ୍ତରରେ ଶକ୍ତି ଉତ୍ପାଦନ ଓ ରପ୍ତାନି କରୁଛି ଏବଂ ସେ ଭାରତର ଶକ୍ତି ପୋର୍ଟଫୋଲିଓରେ ଏହାର ଅଂଶ ବୃଦ୍ଧି କରିବାକୁ ଚାହୁଁଛି। ରୁବିଓ ଭାରତକୁ ପ୍ରଶଂସା କରି ଏକ ଉତ୍କୃଷ୍ଟ ସହଯୋଗୀ ଏବଂ ଅଂଶୀଦାର ଭାବେ କହିଛନ୍ତି।

ରୁବିଓ କହିଛନ୍ତି ଯେ, ଭାରତ ଓ ଆମେରିକା ମଧ୍ୟରେ ଶକ୍ତି କ୍ଷେତ୍ରରେ ଆଲୋଚନା ପୂର୍ବରୁ ଚାଲିଛି, ଏବଂ ଉଭୟ ଦେଶ ଏହି କ୍ଷେତ୍ରରେ ଅଧିକ ସହଯୋଗର ସମ୍ଭାବନା ଅନୁସନ୍ଧାନ କରୁଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, ଆମେରିକା ଭାରତ ସହ ଏହାର ଦୀର୍ଘକାଳୀନ ଶକ୍ତି ସହଭାଗୀତାକୁ ସୁଦୃଢ଼ କରିବାକୁ ଚାହୁଁଛି, କାରଣ ଭାରତ ବିଶ୍ୱର ସବୁଠୁ ଦ୍ରୁତତମ ବୃଦ୍ଧି ପାଉଥିବା ଶକ୍ତି ବଜାରରେ ସାମିଲ ହୋଇଛି।

ଆମେରିକାର ବୈଦେଶିକ ମନ୍ତ୍ରୀ ଭେନେଜୁଏଲାର ତୈଳକୁ ନେଇ ମଧ୍ୟ ସମ୍ଭାବନା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଭେନେଜୁଏଲାର ତୈଳ ସହିତ ସୁଯୋଗ ରହିଛି ଏବଂ ତାଙ୍କର ସୂଚନା ଅନୁସାରେ , ଭେନେଜୁଏଲାର ଅନ୍ତରୀଣ ରାଷ୍ଟ୍ରପତି ଆସନ୍ତା ସପ୍ତାହରେ ଭାରତ ଗସ୍ତରେ ଆସିବେ। ଆଶା କରାଯାଉଛି ଯେ ,ଏହି ଗସ୍ତ ସମୟରେ ଶକ୍ତି ବାଣିଜ୍ୟ ଏବଂ ତୈଳ ଯୋଗାଣ ଭଳି ପ୍ରସଙ୍ଗ ଉପରେ ଆଲୋଚନା ହୋଇପାରେ ।

ରୁବିଓ ଭାରତକୁ ଆମେରିକାର ଏକ ଉତ୍ତମ ସହଯୋଗୀ ଓ ଅଂଶୀଦାର ଭାବେ ବର୍ଣ୍ଣନା କରି କହିଛନ୍ତି , ଦୁଇ ଦେଶ ମଧ୍ୟରେ ଅନେକ କ୍ଷେତ୍ରରେ ଦୃଢ଼ ସହଯୋଗ ରହିଛି । ସେ କହିଛନ୍ତି ଭାରତ ଗସ୍ତ ବେଳେ ‘କ୍ୱାଡ୍’ ଦେଶଗୁଡ଼ିକର ପ୍ରତିନିଧିମାନଙ୍କ ସହ ମଧ୍ୟ ସାକ୍ଷାତ ହେବ। ଏହା ସହ ସେ ମଧ୍ୟ କହିଛନ୍ତି ଯେ, ଏହି ବର୍ଷ ଶେଷ ଭାଗରେ ଭାରତରେ ଏହିପରି ଆଉ ଏକ ବଡ଼ କାର୍ଯ୍ୟକ୍ରମ ଆୟୋଜିତ ଅନୁଷ୍ଠିତ ହେବ।

ମାର୍କୋ ରୁବିଓ ୨୩ ରୁ ୨୬ ମେ ମଧ୍ୟରେ ନିଜର ପ୍ରଥମ ଭାରତ ଗସ୍ତରେ ଆସିବେ। ଆମେରିକୀୟ ବୈଦେଶିକ ବିଭାଗ ନିକଟରେ ଏହାର ଅଫିସିଆଲି ସୂଚନା ଦେଇଛି। ତାଙ୍କର ଏହି ଯାତ୍ରା ଏମିତି ସମୟରେ ହେଉଛି ,ଯେବେ ପଶ୍ଚିମ ଏସିଆ, ବିଶେଷକରି ପାର୍ସିଆନ ଗଲ୍ଫ କ୍ଷେତ୍ରରେ ଜାରି ଉତ୍ତେଜନା ଓ ଆମେରିକୀୟ ସେନା କାର୍ଯ୍ୟକଳାପର ପ୍ରଭାବ ଭାରତର ଶକ୍ତି ସୁରକ୍ଷା ଉପରେ ମଧ୍ୟ ପଡୁଛି। ଏହି କ୍ରମରେ କୁହାଯାଉଛି ଯେ, ଭାରତ-ଆମେରିକା ମଧ୍ୟରେ ଶକ୍ତି, ରଣନୀତିକ ଓ କ୍ଷେତ୍ରୀୟ ସୁରକ୍ଷା ପ୍ରସଙ୍ଗ ଉପରେ ପ୍ରମୁଖ ଆଲୋଚନା ହୋଇ ପାରେ।

ଆହୁରି ମଧ୍ୟ ପଢନ୍ତୁ : Trump vs Netanyahu: 'ହମ୍‌ଲା ରୋକିବୁ ନା ପ୍ରହାର କରିବୁ'...ଇରାନକୁ ନେଇ ଟ୍ରମ୍ପ-ନେତାନ୍ୟାହୁ ମୁହାଁମୁହିଁ, ଫୋନ୍‌ କଲ୍‌ରେ ଦୁହିଁଙ୍କ ମଧ୍ୟରେ ମତଭେଦ