ୱାଶିଂଟନ ଡିସି, ୧୫/୦୨: ଇରାନ ସହ  ବିବାଦ ମଧ୍ୟରେ ଆମେରିକା ମଧ୍ୟପ୍ରାଚ୍ୟରେ  ଏହାର ସୈନ୍ୟ ଶକ୍ତି ଲଗାତର ଭାବେ  ବଢ଼ାଇବାରେ ଲାଗିଛି । ଏବେ ରାଷ୍ଟ୍ରପତି ଡୋନାଲ୍ଡ  ଟ୍ରମ୍ପ୍‌ ମଧ୍ୟପ୍ରାଚ୍ୟକୁ ସବୁଠୁ ବଡ଼ ବିମାନବାହୀ  ଯୁଦ୍ଧଜାହାଜ ‘ୟୁଏସ୍‌ଏସ୍‌ ଜେରାଲ୍ଡ ଆର୍‌ ଫୋର୍ଡ’  ପଠାଇଛନ୍ତି । ଏହା ଏକ ଆଣବିକ ଶକ୍ତିସମ୍ପନ୍ନ  ବିମାନବାହୀ ଜାହାଜ । ଆମେରିକାର ଦୁଇଜଣ ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ଏହା ଜଣାପଡ଼ିଛି ।

ଆମେରିକା ଓ ଇରାନ ମଧ୍ୟରେ ବିବାଦ  ବଢ଼ିବାରେ ଲାଗିଛି । ଏମିତିକି ଇରାନ ଉପରେ  କେଉଁ ମୁହୂର୍ତ୍ତରେ ଆକ୍ରମଣ ହେବା ଭୟ ବି  ଘାରିଛି । ଟ୍ରମ୍ପ୍‌ ପଠାଇଥିବା ବିଶାଳ ଯୁଦ୍ଧ ଜାହାଜ  ମଧ୍ୟପ୍ରାଚ୍ୟରେ ପହଞ୍ଚିବା ଲାଗି ଆଉ ପ୍ରାୟ  ସପ୍ତାହେ ଲାଗିବ । କିନ୍ତୁ ତାହା ପୂର୍ବରୁ ସେଠାରେ  ‘ଆବ୍ରାହମ ଲିଙ୍କନ୍‌ ବିମାନବାହୀ ଯୁଦ୍ଧଜାହାଜ’  ଏବଂ ଆଉ ଏକ ଜାହାଜ ମୁତୟନ ହୋଇରହିଛି । ଇରାନକୁ ଘେରିବା ଲାଗି ଏହା ସମର୍ଥ ହେବ ।  ଏବେ ଜେରାଲ୍ଡ ଆର୍‌ ଫୋର୍ଡ ପଠାଇ ଇରାନକୁ  ଡରାଇଛି ଆମେରିକା ।

ଜେରାଲ୍ଡ ଆର୍‌ ଫୋର୍ଡ ନିଜ ସାଥୀ ଜାହାଜଗୁଡ଼ିକ  ସହ କ୍ୟାରିବିୟାନ ସାଗରରେ ମୁତୟନ ଥିଲା ।  ଚଳିତବର୍ଷ ପ୍ରାରମ୍ଭରେ ଭେନେଜୁଏଲା ବିରୋଧରେ  ହୋଇଥିବା ଆମେରିକୀୟ ଅପରେସନରେ ଏହା  ସାମିଲ ଥିଲା । ତେବେ କିଛି ସପ୍ତାହ ତଳେ ଅନେକ  ଗାଇଡେଡ-ମିସାଇଲ ବିଧଂସକ, ଯୁଦ୍ଧ ବିମାନ  ଏବଂ ନିରୀକ୍ଷଣକାରୀ ବିମାନ ମଧ୍ୟ ମଧ୍ୟପ୍ରାଚ୍ୟକୁ  ପଠାଯାଇଥିଲା ।

ଆହୁରି ପଢ଼ନ୍ତୁ :- ରୁଷ୍-ୟୁକ୍ରେନ୍ ଯୁଦ୍ଧରେ ଲାଗିବ କି ବ୍ରେକ୍ ? ୧୭-୧୮ରେ ଆମେରିକା ମଧ୍ୟସ୍ଥତାରେ ହେବ ଶାନ୍ତି ଆଲୋଚନା

ଆମେରିକୀୟ ସେନା ପାଖରେ ମୋଟ ୧୧ଟି  ବିମାନବାହୀ ଯୁଦ୍ଧଜାହାଜ ରହିଛି । ଏହା ଦେଶ  ପାଇଁ ଅତ୍ୟନ୍ତ ମୂଲ୍ୟବାନ ସମ୍ବଳ ହୋଇଥିବାରୁ  ଏହାର ମୁତୟନ କାର୍ଯ୍ୟକ୍ରମ ବହୁ ପୂର୍ବରୁ ଧାର୍ଯ୍ୟ  ହୋଇଥାଏ । ଗତବର୍ଷ ଜୁନରେ ଇରାନର  ଆଣବିକ ସାଇଟ୍‌ଗୁଡ଼ିକ ଉପରେ ଆକ୍ରମଣ  ବେଳେ ମଧ୍ୟ ଆମେରିକା ନିକଟରେ ଦୁଇଟି  ବିମାନବାହୀ ଜାହାଜ ଥିଲା । ରାଷ୍ଟ୍ରପତି ଟ୍ରମ୍ପ୍‌  ଚଳିତ ସପ୍ତାହରେ କହିଥିଲେ କି ଯଦି ଇରାନ  ସହ କୌଣସି ବୁଝାମଣା ନ ହୁଏ, ତେବେ ସେ  ଆଉ ଏକ ବିମାନବାହୀ ଜାହାଜ ପଠାଇବାକୁ  ବିଚାର କରିବେ । ଏବେ ତାହା ହିଁ କରିଛନ୍ତି । ଟ୍ରମ୍ପ୍‌  କହିଛନ୍ତି, ଇରାନ ସହ ଆସନ୍ତା ମାସକ ମଧ୍ୟରେ  ବୁଝାମଣା ହୋଇପାରେ । ଯଦି ନ ହୁଏ, ତେବେ  ସ୍ଥିତି ଅତ୍ୟନ୍ତ ଗମ୍ଭୀର ତଥା ଶୋଚନୀୟ ପାଲଟିବ ।

ଜେରାଲ୍ଡ ଆର୍‌ ଫୋର୍ଡ ଗତବର୍ଷ ଜୁନରୁ  ଲଗାତର ସମୁଦ୍ରରେ ମୁତୟନ ହୋଇ ରହିଛି ।  ଏହା ପୂର୍ବରୁ ୟୁରୋପରେ ଏହାକୁ ମୁତୟନ  କରାଯାଉଥିଲା । କିନ୍ତୁ ନଭେମ୍ବରରେ ଅଚାନକ  ଏହାକୁ କ୍ୟାରିବିୟାନ ସାଗରକୁ ପଠାଇ  ଦିଆଯାଇଥିଲା । ସ୍ୱାଭାବିକ ଭାବେ ବିମାନବାହୀ  ଯୁଦ୍ଧଜାହାଜର ମୁତୟନ ୯ ମାସ ପାଇଁ  ହୋଇଥାଏ । କିନ୍ତୁ ସୈନ୍ୟ ଗତିବିଧି ବଢ଼ିବାରେ  ଏହି ଅବଧି ବୃଦ୍ଧି ପାଇଥାଏ । ଜେରାଲ୍ଡ ପରମାଣୁ  ରିଆକ୍ଟର ଦ୍ୱାରା ସଞ୍ଚାଳିତ ହେଉଛି । ଏଥିରେ  ୭୫ରୁ ଅଧିକ ସୈନ୍ୟ ବିମାନ ମୁତୟନ କରାଯାଇ  ପାରିବ । ଏଥିରେ ଏଫ୍‌-୧୮ ସୁପର ହର୍ନେଟ  ଯୁଦ୍ଧ ବିମାନ ଏବଂ ଇ-୨ ହକ୍‌ଆଇ ଭଳି ଆଗୁଆ  ସତର୍କକାରୀ ବିମାନ ସାମିଲ ରହିଛି । ଏହାଛଡ଼ା  ଅତ୍ୟାଧୁନିକ ରାଡାର ବ୍ୟବସ୍ଥା ବି ଅଛି ।