ୱାଶିଂଟନ୍, ୦୭/୦୩ : ୭ ଦିନ ହେଲା ଇରାନ ସହ ଆମେରିକା ବେଶ୍ ମହଙ୍ଗା ଯୁଦ୍ଧ ଲଢ଼ୁଛି । ଯୁଦ୍ଧର ପ୍ରଥମ ୧୦୦ ଘଣ୍ଟାରେ ହିଁ ଆମେରିକା ପ୍ରାୟ ୩.୭ ବିଲିୟନ ଡଲାର (୩୩ ହଜାର କୋଟି ଟଙ୍କା) ଖର୍ଚ୍ଚ କରିଛି । ରିପୋର୍ଟ ଅନୁସାରେ, ଆମେରିକା ପ୍ରତିଦିନ ପ୍ରାୟ ୮୯୧ ନିୟୁତ ଡଲାର (ପ୍ରାୟ ୮ ହଜାର କୋଟି ଟଙ୍କା) ଖର୍ଚ୍ଚ କରୁଛି । ୱାଶିଂଟନ ଆଧାରିତ ଥିଙ୍କ୍ଟ୍ୟାଙ୍କ୍ ସେଣ୍ଟର ଫର୍ ଷ୍ଟ୍ରାଟେଜିକ୍ ଆଣ୍ଡ ଇଣ୍ଟରନ୍ୟାସନାଲ ଷ୍ଟଡିଜ୍ (ସିଏସ୍ଆଇଏସ୍) ଏହି ରିପୋର୍ଟ ପ୍ରକାଶ କରିଛି ।
ରିପୋର୍ଟ ଅନୁସାରେ, ଆମେରିକା ପ୍ରଥମ ୧୦୦ ଘଣ୍ଟାର ଯୁଦ୍ଧରେ ୨ ହଜାରରୁ ଅଧିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରିଛି । ଖର୍ଚ୍ଚ ହୋଇଥିବା ୩.୭ ବିଲିୟନ ଡଲାର ମଧ୍ୟରୁ ୩.୫ ବିଲିୟନ ଡଲାର ଖର୍ଚ୍ଚର ବଜେଟ ପୂର୍ବରୁ ପ୍ରସ୍ତୁତ ହୋଇ ନ ଥିଲା । ତେଣୁ ଆଗକୁ ଆମେରିକା ପ୍ରତିରକ୍ଷା ବିଭାଗ ଅଧିକ ପାଣ୍ଠି ଆବଶ୍ୟକ କରିପାରେ । ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ପେଟ୍ ହେଗ୍ସେଥ୍ ଯୁଦ୍ଧ ଲମ୍ବିବା ନେଇ ମଧ୍ୟ ସଙ୍କେତ ଦେଇଛନ୍ତି । ଏଥିଲାଗି ଅଧିକ ଯୁଦ୍ଧଜାହାଜ, ଅସ୍ତ୍ରଶସ୍ତ୍ର, ବୋମା, ଗୋଳାବାରୁଦ ଆବଶ୍ୟକ ପଡ଼ିପାରେ । ତେଣୁ ଆମେରିକାକୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ ।
ସେହିପରି ଯୁଦ୍ଧର ପ୍ରଥମ ସପ୍ତାହରେ ବ୍ୟବହୃତ ଟମାହକ୍, ପାଟ୍ରିଅଟ୍ ମିସାଇଲ ଏବଂ ଥାଡ୍ ଇଣ୍ଟରସେପ୍ଟର ଏବଂ କ୍ଷତିଗ୍ରସ୍ତ ହୋଇଥିବା ଅନ୍ୟ ଯୁଦ୍ଧ ଉପକରଣର ମରାମତି ବା ତାହାକୁ ବଦଳାଇବା ପାଇଁ ପେଣ୍ଟାଗନ୍ ଅତିରିକ୍ତ ଭାବେ ୫୦ ବିଲିୟନ ଡଲାରର ସପ୍ଲିମେଣ୍ଟାରୀ ବଜେଟ ଲାଗି ଅନୁରୋଧ କରିଥିବା ଜଣାପଡ଼ିଛି । ତେବେ ଏହି ଅତିରିକ୍ତ ବଜେଟକୁ ଆମେରିକା କଂଗ୍ରେସରେ ଅନୁମୋଦନ ମିଳିବା କଷ୍ଟକର ହୋଇପାରେ ।
ବିଶେଷଜ୍ଞଙ୍କ ମତରେ, ଏହି ଖର୍ଚ୍ଚ ସନ୍ତୁଳିତ କରିବା ଲାଗି ପେଣ୍ଟାଗନ୍ ଅଧିକ ପାଣ୍ଠି ଦାବି କରିବ । ଏହା ଟ୍ରମ୍ପ୍ ପ୍ରଶାସନ ପାଇଁ ଆହ୍ୱାନ ସୃଷ୍ଟି କରିପାରେ ଏବଂ ଦେଶରେ ଯୁଦ୍ଧ ବିରୋଧୀ ହାୱା ବହିପାରେ । ସେହିପରି ଘରୋଇ ଖର୍ଚ୍ଚ ଚିନ୍ତା, ଦରଦାମ ବୃଦ୍ଧି, ଏବେ ଯୁଦ୍ଧ ଯୋଗୁ ତୈଳ, ଗ୍ୟାସ୍ ଦରବୃଦ୍ଧିର ପ୍ରଭାବ ଆମେରିକାର ସାଧାରଣ ନାଗରିକଙ୍କ ଉପରେ ପଡ଼ିପାରେ । ନିଜ ଦେଶର ଖର୍ଚ୍ଚରେ ବିଦେଶୀ ଯୁଦ୍ଧରେ ସାମିଲ ନ ହେବା ଲାଗି ପୂର୍ବରୁ ରାଷ୍ଟ୍ରପତି ନିର୍ବାଚନ ପ୍ରଚାରରେ ପ୍ରତିଶ୍ରୁତି ଦେଇଥିବା ଟ୍ରମ୍ପ୍ଙ୍କ ଯୁଦ୍ଧଖୋର ମନୋବୃତ୍ତି ଏବେ ତାଙ୍କ ସମର୍ଥକଙ୍କୁ ବିଭାଜିତ କରିପାରେ ।
ଏହି କବରଟିକୁ ପଢନ୍ତୁ- ଆମେରିକା ଉପରେ ଭାରି ପଡୁଛି ଇରାନର ଶସ୍ତା ଡ୍ରୋନ୍, ୪୫ ଲକ୍ଷର ଡ୍ରୋନ୍ ଖସାଇବାକୁ ୨୭ କୋଟିର ମିସାଇଲ ମାଡ଼