ନୂଆଦିଲ୍ଲୀ,୯।୯: ଭାରତକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପଙ୍କ ବାଣିଜ୍ୟ ପରାମର୍ଶଦାତା ପିଟର ନଭାରୋଙ୍କ ଧମକ। ଆମେରିକା ସହ ବାଣିଜ୍ୟ ନେଇ ଭାରତ ଯଦି ତୁରନ୍ତ କୌଣସି ନିଷ୍କର୍ଷରେ ନପହଁଞ୍ଚେ, ତେବେ ଦିଲ୍ଲୀ ପାଇଁ ଭଲ ହେବନି। ଗୋଟିଏ ପଟେ ଟ୍ରମ୍ପ ଭାରତ ସହ ଖାସ୍ ସମ୍ପର୍କ ରହିଛି ବୋଲି କହୁଥିବା ବେଳେ ନଭାରୋ କିନ୍ତୁ ନିଜର ଆକ୍ରାମକ ବୟାନ ବାଜି ଜାରି ରଖିଛନ୍ତି।

ଟ୍ରମ୍ପଙ୍କ ଟ୍ରେଡ୍‌ ଗୁରୁ ପିଟର ନଭାରେ ପୁଣି ଭାରତ ବିରୋଧରେ ଓଗାଳିଛନ୍ତି ବିଷ । ସେ କହିଛନ୍ତି ମୋତେ ଲାଗୁଛି କେବେ ନା କେବେ ଆମେରିକା କଥାରେ ଭାରତ ସହମତି ପ୍ରକାଶ କରିବ। ଯଦି ବାଣିଜ୍ୟ ପ୍ରସଙ୍ଗ ନେଇ ଭାରତ ଆମ କଥା ନଶୁଣି ଚୀନ୍ ଓ ରୁଷ ସହ ଠିଆ ହେବ, ତେବେ ଦିଲ୍ଲୀ ପାଇଁ ଭଲ ହେବନି। ଭାରତକୁ ମଧ୍ୟ ବୁଝିବା ଦରକାର ରୁଷ ଓ ଚୀନ୍ ସହ ଗଲେ ତା’ର ହିଁ କ୍ଷତି ହେବ। ରୁଷଠାରୁ ଭାରତକୁ ତେଲ କିଣିବା ବନ୍ଦ କରିଦେବା ଦରକାର। ଶାନ୍ତି ପାଇଁ ଏହା ହିଁ ଉଚିତ ରାସ୍ତା। ୟୁରୋପକୁ ମଧ୍ୟ ରୁଷ ନିକଟରୁ ତେଳ ଆମଦାନୀ ବନ୍ଦ କରିଦେବା ଉଚିତ ବୋଲି ସେ କହିଛନ୍ତି।

‘ରିୟଲ ଆମେରିକାସ୍ ଭଏସ୍’ ଶୋ’ରେ ଯୋଗ ଦେଇ ନଭାରୋ ଏଭଳି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଭାରତ ସରକାର ଆମ ଉପରେ ଅସନ୍ତୁଷ୍ଟ ଅଛନ୍ତି, କାରଣ ଆମେ ତାଙ୍କୁ ‘ଟାରିଫ୍ ମହାରାଜା’ କହିଥିଲୁ। ଏହାର କାରଣ ହେଉଛି ଭାରତ ଅନ୍ୟ ଦେଶ ତୁଳନାରେ ଆମଠାରୁ ଅଧିକ ଟାରିଫ ନେଉଥିଲା। ୟୁକ୍ରେନ ଉପରେ ରୁଷ ଯେତେବେଳେ ଆକ୍ରମଣ କରିଥଲା, ତା ପୂର୍ବରୁ ଭାରତ ରୁଷରୁ କମ୍ ମାତ୍ରାରେ ତୈଳ କିଣୁଥିଲା। କିନ୍ତୁ ଏବେ ଭାରତ ରୁଷ ତୈଳ ରିଫାଇନାରୀକୁ ନିଜ ଦେଶକୁ ଡକାଇ ଅଧିକ ଲାଭ କରୁଛି। ଏହି କାରଣରୁ ଆମେରିକା ଟ୍ୟାକ୍ସପେୟର୍ସକୁ ଯୁଦ୍ଧ ପାଇଁ ଅଧିକ ଟଙ୍କା ଦେବାକୁ ପଡୁଛି।