• ଆମେରିକାକୁ ପାକ୍ ପ୍ରତିରକ୍ଷାମନ୍ତ୍ରୀଙ୍କ ଟାର୍ଗେଟ
  • କହିଲେ- 'ଟଏଲଟ ପେପର୍' ପରି ବ୍ୟବହାର କରି ଫିଙ୍ଗି ଦେଉଛି
  • ଘନିଷ୍ଠ ସମ୍ପର୍କ ରଖିବା ବଡ଼ ରାଜନୈତିକ ଭୁଲ
  • ନିଷ୍ପତ୍ତି ପାଇଁ ଅନୁତାପ କରୁଛୁ

ନୂଆଦିଲ୍ଲୀ,୧୧।୨:  ଆମେରିକା ସହିତ ଘନିଷ୍ଠ ସମ୍ପର୍କ ସ୍ଥାପନ କରିଥିବା ପାକିସ୍ତାନ ଏବେ ଖୋଲାଖୋଲି ଭାବରେ ତା’ର ପୂର୍ବ ନିଷ୍ପତ୍ତି ପାଇଁ ଅନୁତାପ କରୁଛି। ନିକଟରେ ସଂସଦରେ ଏକ ବିବୃତ୍ତିରେ, ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ୍ ଆମେରିକା ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆଣି କହିଛନ୍ତି। ସେ କହିଛନ୍ତି, ୨୦୦୧ ପରେ ଆମେରିକା ସହିତ ଘନିଷ୍ଠ ସମ୍ପର୍କ ପୁନଃସ୍ଥାପିତ କରିବାର ନିଷ୍ପତ୍ତି ଏକ ବଡ଼ ରଣନୈତିକ ଭୁଲ ପ୍ରମାଣିତ ହୋଇଛି। ତାଙ୍କ ଅନୁସାରେ, ଆଜି ପର୍ଯ୍ୟନ୍ତ ରାଜନୈତିକ, ସାମାଜିକ ଏବଂ ଆର୍ଥିକ ଦୃଷ୍ଟିରୁ ପାକିସ୍ତାନକୁ ଏହି ନିଷ୍ପତ୍ତିର ମୂଲ୍ୟ ଦେବାକୁ ପଡୁଛି।

ସଂସଦରେ ଭାଷଣ ଦେଇ ଖ୍ବାଜା ଆସିଫ୍ ସ୍ୱୀକାର କରିଛନ୍ତି ଯେ ଆଫଗାନିସ୍ତାନରେ ଆମେରିକାକୁ ସମର୍ଥନ କରିବା ଧାର୍ମିକ କାରଣ ଉପରେ ଆଧାରିତ ନୁହେଁ, ବରଂ ବିଶ୍ୱ ଶକ୍ତିରୁ ସମର୍ଥନ ଏବଂ ରାଜନୈତିକ ବୈଧତା ହାସଲ କରିବା ପାଇଁ ଥିଲା। ସେ ସ୍ପଷ୍ଟ ଭାବରେ କହିଛନ୍ତି ପାକିସ୍ତାନ ଇସଲାମକୁ ରକ୍ଷା କରିବା କିମ୍ବା ଜିହାଦ ନାମରେ ଏହି ଯୁଦ୍ଧରେ ସାମିଲ ହୋଇନଥିଲା ବରଂ ଏକ ମହାଶକ୍ତିର ସମର୍ଥନ ପାଇବା ପାଇଁ ଏହି ପଥ ବାଛିଛି। ତାଙ୍କ ଅନୁସାରେ, ଆଫଗାନିସ୍ତାନରେ ଯୁଦ୍ଧ ପ୍ରକୃତରେ ପ୍ରମୁଖ ଶକ୍ତି ମଧ୍ୟରେ ଏକ ପ୍ରକ୍ସି ଓ୍ବାର ଥିଲା, ଯାହାକୁ ଜିହାଦର ନାମ ଦେଇ ପ୍ରସ୍ତୁତ କରାଯାଇଥିଲା।

ପାକ୍ ପ୍ରତିରକ୍ଷା ମନ୍ତ୍ରୀ ମଧ୍ୟ ସ୍ୱୀକାର କରିଛନ୍ତି ଯେ ଯୁଦ୍ଧକୁ ଠିକ୍ ବୋଳି ପ୍ରମାଣିତ କରିବା ପାଇଁ ସେହି ସମୟରେ ଦେଶର ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଥିଲା। ପାଠ୍ୟକ୍ରମରେ ଏପରି ଉପାଦାନ ଯୋଡା ଯାଇଥିଲା ଯାହାର ପ୍ରଭାବ ଆଜି ମଧ୍ୟ ସମାଜରେ ଦେଖାଯାଇପାରେ। ସେ ଯୁକ୍ତି ଦେଇଥିଲେ ଯେ ସୋଭିଏତ୍ ୟୁନିଅନ୍ ପ୍ରତ୍ୟାହାର ପରେ ପାକିସ୍ତାନ ତା’ର ନୀତିଗୁଡ଼ିକର ସମୀକ୍ଷା କରିବା ଉଚିତ ଥିଲା, କିନ୍ତୁ ଏହା ହୋଇନଥିଲା। ବରଂ ୧୧ ସେପ୍ଟେମ୍ବର ୨୦୦୧ ଆକ୍ରମଣ ପରେ, ପାକିସ୍ତାନ ପୁଣି ଥରେ ଆମେରିକା ସହିତ ମିଶିଗଲା ଏବଂ ଦୀର୍ଘ ସମୟ ପର୍ଯ୍ୟନ୍ତ ତା’ର ରଣନୀତିର ଏକ ଅଂଶ ରହିଲା।

​​​​​​​ଆସିଫ କହିଛନ୍ତି ପ୍ରାୟ ଦୁଇ ଦଶନ୍ଧି ଧରି ପାକିସ୍ତାନ ଆମେରିକାର ସମର୍ଥନ ପାଇବା ପାଇଁ ନିଜକୁ ଉତ୍ସର୍ଗ କରିଥିଲା। ତେବେ ଆମେରିକା ପାକିସ୍ତାନକୁ ନିଜ ସ୍ୱାର୍ଥ ପାଇଁ ବ୍ୟବହାର କରିଥିଲା ଏବଂ ପରେ ଏହାକୁ ଗୁରୁତ୍ୱହୀନ ମନେ କରି ଦୂରେଇ ଦେଲା। ସେ ଏହାକୁ ନିନ୍ଦା କରି କହିଛନ୍ତି, ପାକିସ୍ତାନକୁ ‘ଟଏଲେଟ୍ ପେପର୍ ଭଳି ବ୍ୟବହାର କରି କରି ପରେ ଆମେରିକା ପିଙ୍ଗି ଦେଇଥିଲା। ପ୍ରତିରକ୍ଷା ମନ୍ତ୍ରୀ ଦେଶରେ ବଢ଼ୁଥିବା ହିଂସା, ଉଗ୍ରବାଦ ଏବଂ ଆର୍ଥିକ ସଙ୍କଟ ପାଇଁ ସେହି ସମୟର ନୀତିଗୁଡ଼ିକୁ ମଧ୍ୟ ଦାୟୀ କରିଥିଲେ। ତାଙ୍କ ମତରେ, ଏହି ନିଷ୍ପତ୍ତି ଦ୍ୱାରା ହୋଇଥିବା କ୍ଷତି ପୂରଣ କରିବା ସମ୍ଭବ ନୁହେଁ। ସେ ସୂଚାଇ ଦେଇଥିଲେ ଯେ ଭବିଷ୍ୟତରେ, ପାକିସ୍ତାନକୁ କୌଣସି ବାହ୍ୟ ଶକ୍ତି ଉପରେ ଅତ୍ୟଧିକ ନିର୍ଭରଶୀଳ ହେବା ଉଚିତ ନୁହେଁ। ଆଗକୁ ଅଧିକ ସନ୍ତୁଳିତ ଏବଂ ଆତ୍ମନିର୍ଭରଶୀଳ ବୈଦେଶିକ ନୀତି ଆଭିମୁଖ୍ୟ ଗ୍ରହଣ କରିବା ଉଚିତ।’

ଆହୁରି ପଢନ୍ତୁ :‘ଅପରେସନ୍ ସିନ୍ଦୂର’ର ହିରୋ ରାଫେଲ, ଭାରତୀୟ ନୌସେନା କହିଲା ଫ୍ରାନ୍ସ ସହ ୧୧୪ ବିମାନ ଡିଲ୍‌ର ରହିଛି ସମ୍ଭାବନା