ନୂଆଦିଲ୍ଲୀ : ଆମେରିକାର ଦକ୍ଷିଣ କାରୋଲିନା ରାଜ୍ୟରେ ଏକ ଭୟଙ୍କର ଗୁଳିକାଣ୍ଡ ଘଟଣା ଘଟିଛି। ରବିବାର ଦିନ ଦକ୍ଷିଣ କାରୋଲିନାର ସେଣ୍ଟ ହେଲେନା ଦ୍ୱୀପର ଏକ ବାରରେ ଏହି ଗୁଳିକାଣ୍ଡ ଘଟିଛି । ଏହି ଗୁଳିକାଣ୍ଡରେ ଚାରି ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୨୦ ଜଣ ଆହତ ହୋଇଛନ୍ତି। ରବିବାର ଭୋର ସମୟରେ ୱିଲି'ସ ବାର୍ ଆଣ୍ଡ ଗ୍ରୀଲରେ ଏହି ଗୁଳିକାଣ୍ଡ ଘଟିଥିଲା, ଯେଉଁଠାରେ ବହୁ ସଂଖ୍ୟାରେ ଲୋକ ଉପସ୍ଥିତ ଥିଲେ।

ବ୍ୟୁଫୋର୍ଟ କାଉଣ୍ଟି ସେରିଫ୍ ଅଫିସ୍ ଅନୁଯାୟୀ, ଯେତେବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଲା, ସେଠାରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା ଏବଂ ଅନେକ ଲୋକ ଆହତ ହୋଇଥିବା ଦେଖିବାକୁ ମିଳିଥିଲା। ସେରିଫ୍ ଅଫିସ୍ ସୋସିଆଲ ମିଡିଆରେ ଏକ ବିବୃତ୍ତି ଜାରି କରି କହିଛି, "ଏହା ସମସ୍ତଙ୍କ ପାଇଁ ଏକ ଅତ୍ୟନ୍ତ ଦୁଃଖଦ ଘଟଣା। ତଦନ୍ତ ଜାରି ରହିବା ସହିତ ଆମେ ଧର୍ଯ୍ୟ ରଖିବାକୁ ପ୍ରାର୍ଥନା କରୁଛୁ। ସମସ୍ତ ପୀଡିତ ଏବଂ ସେମାନଙ୍କ ପରିବାର ପ୍ରତି ଆମର ସମବେଦନା।"

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଆହତ ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ଚାରି ଜଣଙ୍କ ଅବସ୍ଥା ଗୁରୁତର ରହିଛି। ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ।