PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ବୁର୍ଜ ଖଲିଫା ସାମ୍ନାରେ ‘ବନ୍ଦେ ଉତ୍କଳ ଜନନୀ’, ୩ ପ୍ରବାସୀ ଓଡ଼ିଆ ମହିଳା ଅଭିନବ ଉପାୟରେ ପାଳିଳେ ଉତ୍କଳ ଦିବସ

ଭୁବନେଶ୍ୱର,୦୨/୦୪: ଦୁବାଇରେ ରହୁଥିବା ୩ ପ୍ରବାସୀ ଓଡ଼ିଆ ମହିଳା ଅଭିନବ ଉପାୟରେ ଉତ୍କଳ ଦିବସ ପାଳନ କରିଛନ୍ତି । ସେମାନେ ହେଲେ ବିମାନ ପାଇଲଟ କ୍ୟାପଟେନ୍‌ ମଧୁସ୍ମିତା ପଟ୍ଟନାୟକ, ସଫଳ କଳାକାର ମୋନା ବିଶ୍ୱରୂପା ମହାନ୍ତି ଏବଂ ସ୍କୁବା ଡାଇଭର ତିସ୍ୟା ପାଣିଗ୍ରାହୀ । ସେମାନେ ଶନିବାର ସକାଳେ ବିଶ୍ୱର ସବୁଠାରୁ ଉଚ୍ଚ ଅଟ୍ଟାଳିକା ଦୁବାଇର ବୁର୍ଜ ଖଲିଫା ପାଦଦେଶରେ ଏକାଠି ହୋଇ “ବନ୍ଦେ ଉତ୍କଳ ଜନନୀ’ ପ୍ଲାକାର୍ଡ ଦେଖାଇ ପୃଥିବୀର କୋଣ ଅନୁକୋଣରେ ଥିବା ଓଡ଼ିଆଙ୍କୁ ଉତ୍କଳ ଦିବସର ଶୁଭେଚ୍ଛା ଜଣାଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ବ୍ରହ୍ମପୁରର ବାସିନ୍ଦା କ୍ୟାପଟେନ୍‌ ମଧୁସ୍ମିତା ଜଣେ ଅଭିଜ୍ଞ ପାଇଲଟ୍‌ । ସେ ବର୍ତ୍ତମାନ ଶାରଜାରେ ଅବସ୍ଥିତ ଏୟାର ଆରବିଆ ଏୟାରଲାଇନ୍ସର କମାଣ୍ଡର ଭାବରେ ଏୟାର ବସ୍‌ ଇ୩୨୦ ବିମାନ ଉଡ଼ାଉଛନ୍ତି । ସେହିପରି ମୋନା ବିଶ୍ୱରୂପା ମହାନ୍ତି ଜଣେ ଜଣାଶୁଣା କଳାକାର । ମୟୂରଭଞ୍ଜ ଜିଲ୍ଲାର ମୂଳ ବାସିନ୍ଦା ମୋନା ଭାରତ ଏବଂ ୟୁଏଇରେ ଅନେକ ଚିତ୍ରକଳା ପ୍ରଦର୍ଶନୀ ଆୟୋଜନ କରିଛନ୍ତି । ସମ୍ବଲପୁର ଜନ୍ମିତ ତିସ୍ୟା ୨୦୨୧ ମସିହାରେ ମାତ୍ର ୧୦ବର୍ଷ ବୟସରେ ଓଡ଼ିଶାର ସର୍ବକନିଷ୍ଠ ସ୍କୁବା ଡାଇଭର ହୋଇଥିଲେ । ସେ ତାଙ୍କ ସ୍କୁବା ଡାଇଭର ବାପାଙ୍କ ସହ ସାର୍କମାନଙ୍କ ମଧ୍ୟରେ ନିଜର ମାଇଲଖୁଣ୍ଟ ଡାଇଭ୍‌ କରିବା ପାଇଁ ନିକଟରେ ଚର୍ଚ୍ଚିତ ହୋଇଥିଲେ ।