ନୂଆଦିଲ୍ଲୀ, ୧୪।୮: ଭାରତ ପାଇଁ ବର୍ତ୍ତମାନ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି ବୁଲା କୁକୁର । ପାଖାପାଖି ୬ କୋଟି ବୁଲା କୁକୁର ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକଙ୍କ ଉପରେ ମରଣାନ୍ତକ ଆକ୍ରମଣ କରୁଛନ୍ତି । ଏହି ସମସ୍ୟା କେବଳ କୁକୁରଙ୍କ ମଧ୍ୟରେ ସୀମିତ ନାହିଁ, ଆମ ସ୍ୱାସ୍ଥ୍ୟ, ପର୍ଯ୍ୟାବରଣ ଓ ସଡ଼କ ସୁରକ୍ଷା ପାଇଁ ମଧ୍ୟ ବୁଲା କୁକୁରଙ୍କ ସଂଖ୍ୟା ବୃଦ୍ଧି ବିପଦପୂର୍ଣ୍ଣ ହୋଇପାରେ । ନିକଟରେ ଦିଲ୍ଲୀ-ଏନ୍ସିଆର୍ରେ ବୁଲା କୁକୁରଙ୍କୁ ଧରି ବନ୍ଧ୍ୟାକରଣ କରିବା ସହ ସେମାନଙ୍କୁ ସ୍ଥାୟୀ ଭାବେ ଆଶ୍ରୟଗୃହରେ ରଖିବାକୁ ସୁପ୍ରିମକୋର୍ଟ ସୋମବାର ନିର୍ଦ୍ଦେଶ ଦେଇଥିଲେ । ଆଜି ଏହି ମାମଲାର ପୁନଃବିଚାର ହେବ । କିନ୍ତୁ, ଏହି ବୁଲା କୁକୁରମାନଙ୍କୁ ରାସ୍ତା ଓ ସହରାଞ୍ଚଳରୁ ହଟାଇଲେ ଭାକ୍ୟୁମ ଇଫେକ୍ଟ ଉପୁଜିପାରେ ।
ଭାକ୍ୟୁମ ଇଫେକ୍ଟ କ’ଣ ?
ଯେତେବେଳେ କୌଣସି ଅଞ୍ଚଳରେ ବୁଲା କୁକୁରଙ୍କୁ ହଟାଇ ଦିଆଯାଏ ତାହାକୁ ଭାକ୍ୟୁମ ଇଫେକ୍ଟ କୁହାଯାଏ । ସେହି କୁକୁରମାନଙ୍କ ପରିବର୍ତ୍ତେ ସେଠାରେ ନୂଆ କୁକୁର ବସତିସ୍ଥାପନ କରନ୍ତି । କେବଳ କୁକୁରଙ୍କୁ ହଟାଇବେ ଯଥେଷ୍ଟ ନୁହେଁ, ସେହି ସ୍ଥାନରୁ ଅଳିଆ ଓ ସେହି ସ୍ଥାନରୁ କୁକୁରଙ୍କୁ ମିଳୁଥିବା ଖାଦ୍ୟକୁ ମଧ୍ୟ ହଟାଇବାକୁ ପଡ଼ିବ । ପଶୁ କଲ୍ୟାଣ ବୋର୍ଡ ଅଫ୍ ଇଣ୍ଡିଆ (AWBI) ଅନୁସାରେ, ଭାରତରେ ଆନୁମାନିକ ୬ କୋଟି ବୁଲା କୁକୁର ଅଛନ୍ତି, ଯେଉଁମାନଙ୍କ ମାଲିକ ନଥିବା ବେଳେ ଏମାନେ ରାସ୍ତାଘାଟରେ ବୁଲନ୍ତି । ଏହି କୁକୁରମାନେ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକଙ୍କୁ କାମୁଡ଼ନ୍ତି । କିଛି ସମୟରେ ଏହି ଆକ୍ରମଣ ଏତେ ଗମ୍ଭୀର ହୋଇଥାଏ ଯେ, ଶେଷରେ ଲୋକଙ୍କ ମୃତ୍ୟୁ ବି ହୁଏ । ରେବିଜ୍ରେ ପ୍ରତିବର୍ଷ ୨୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥାଏ । ଏଥିପାଇଁ ଭାରତକୁ ରେବିଜ୍ର ରାଜଧାନୀ ବୋଲି କୁହାଯାଏ । ଏମାନେ ସଡ଼କ ଦୁର୍ଘଟଣାର ଦ୍ୱିତୀୟ ବଡ଼ କାରଣ । ବୁଲା କୁକୁର ଅଳିଆ ଗଦାରେ ଅଳିଆ ଆଣି ରାସ୍ତାଘାଟରେ ପକାନ୍ତି ।
ରାଜ୍ୟ ନଗର ପାଳିକା ଆଇନ ଓ ପଶୁ କ୍ରୁରତା ନିବାରଣ ଅଧିନିୟମ, ୧୯୬୦ରେ ବୁଲା କୁକୁର ସାର୍ବଜନିନ ସ୍ଥାନରୁ ହଟାଇବା ଲାଗି ଓ ତାଙ୍କ ବନ୍ଧ୍ୟାକରଣ ପାଇଁ ଅନୁମତି ଦେଇଛନ୍ତି । ୨୦୦୧ରେ ସଂସ୍କୃତି ମନ୍ତ୍ରାଳୟ ପଶୁ ଜନ୍ମ ନିୟନ୍ତ୍ରଣ (ABC) ନିୟମ, ୨୦୦୧ ଲାଗୁ କରାଯାଇଛି । ୨୦୨୩ରେ ପଶୁପାଳନ ବିଭାଗ ଏହାକୁ ନୂଆ ରୂପ ଦେଇଥିଲା । ଏହି ନିୟମର ଉଦ୍ଦେଶ୍ୟ କୁକୁରଙ୍କ ବନ୍ଧ୍ୟାକରଣ ଓ ଟିକାରକରଣ କରିବା ।
ଅନ୍ତର୍ଜାତୀୟ ନିୟମ କ’ଣ କୁହେ ?
ଅନ୍ତରାଷ୍ଟ୍ରୀୟ ସ୍ତରରେ ବୁଲା କୁକୁରଙ୍କୁ ନିୟନ୍ତ୍ରଣ କରିବାର ପ୍ରଥମ ପଦକ୍ଷେପ କୁକୁରଙ୍କ ଖାଦ୍ୟ ସ୍ରୋତକୁ ଶେଷ କରିବା । କିନ୍ତୁ, AWBI ସାର୍ବଜନୀନ ସ୍ଥାନରେ କୁକୁରଙ୍କୁ ଖାଦ୍ୟ ଦେବାକୁ ପରାମର୍ଶ ଦେଉଛି । ଫଳରେ ଏହା ମାନବ ସ୍ୱାସ୍ଥ୍ୟ ଓ ସୁରକ୍ଷା ଉପରେ ବିପଦ ସୃଷ୍ଟି କରୁଛି । ଆମେରିକା ପର୍ଯ୍ୟବରଣ ସଂରକ୍ଷଣ ଏଜେନ୍ସି କୁକୁରଙ୍କ ମଳ ପ୍ରଦୂଷକ ଶ୍ରେଣୀରେ ଅନ୍ତର୍ଭୁକ୍ତ କରିଛି । ଭାରତରେ ୬ କୋଟି ବୁଲା କୁକୁର ପ୍ରତିଦିନ ରାସ୍ତାକଡ଼ରେ ପାଖାପାଖି ୩୦ ହଜାର ଟନ୍ ମଳତ୍ୟାଗ କରିଥାନ୍ତି । ଯାହା ରୋଗ ବିସ୍ତାର କରିବାର ବଡ଼ କାରଣ ।