ନୂଆଦିଲ୍ଲୀ; ୭/୧ : ପୁଣି ଗର୍ଜିଛି ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ୍ । ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଦିନିକିଆରେ ହାସଲ କରିଛନ୍ତି ଦମଦାର ଶତକ । ୭୪ ବଲରୁ ୧୨୭ ରନ କରିବାରେ ସକ୍ଷମ ହୋଇଛନ୍ତି ବୈଭବ ସୂର୍ଯ୍ୟବଂଶୀ । ଏହି ପାଳିରେ ୧୦ ଛକା ଏବଂ ୯ ଚୌକା ରହିଛି । ଇନିଂସ ଆରମ୍ଭରୁ ଆକ୍ରମଣାତ୍ମକ ଢ଼ଙ୍ଗରେ ବ୍ୟାଟିଂ ଆରମ୍ଭ କରିଥିଲେ । ସାଥୀ ଖେଳାଳି ଆରୁନ୍ ଜର୍ଜଙ୍କ ସହ ବଡ଼ ପାଳି ଖେଳିବାରେ ସକ୍ଷମ ହୋଇଛନ୍ତି । ଉଭୟ ଶତକୀୟ ପାଳି ଖେଳିଛନ୍ତି । ଆରୁନ ମଧ୍ୟ ୧୦୬ ବଲରୁ ୧୦୮ ରନ କରିଛନ୍ତି । ତେବେ ସୂର୍ଯ୍ୟବଂଶୀ ବଡ଼ ବଡ଼ ଛକା ମାରି ଦର୍ଶକଙ୍କ ମନୋରଞ୍ଜନ କରିଛନ୍ତି । ଏହାସହ ନିଜର ଶତକ ହାସଲ କରିବାର ଷ୍ଟାଇଲ ଏବେ ସୋସିଆଲ ମିଡିଆରେ ମଧ୍ୟ ବେଶ ଭାଇରାଲ ହେବାରେ ଲାଗିଛି ।
ଭାରତ ଅଣ୍ଡର-୧୯ ଦଳ ଏବେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ନିଜର ତୃତୀୟ ଦିନିକିଆ ଖେଳୁଛି । ଭାରତ କ୍ଲିନସୁଇପ୍ ଲକ୍ଷ୍ୟରେ ରହିଛି । ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଦକ୍ଷିଣ ଆଫ୍ରିକା । ମାତ୍ର ଭାରତ ପ୍ରଥମରୁ ଆକ୍ରମଣାତ୍ମକ ଢ଼ଙ୍ଗରେ ବ୍ୟାଟିଂ ଜାରି ରଖିଛି । ବୈଭବ ୨୪ ବଲରୁ ନିଜର ଅର୍ଦ୍ଧଶତକ ହାସଲ କରିଥିବାବେଳେ ୬୩ ବଲରେ ଶତକ ହାସଲ କରିଥିଲେ । ଶତକ ମଧ୍ୟରେ ୮ ଛକା ଏବଂ ୬ଟି ଚୌକା ସାମିଲ ରହିଥିଲା । ଶେଷରେ ୭୪ ବଲରେ ୧୨୭ ରନ କରିପାରିଥିଲେ । ୧୭୧. ୬୨ ଷ୍ଟ୍ରାଇକ୍ ରେଟରେ ସେ ବ୍ୟାଟିଂ କରିଥିଲେ । ଭାରତ ୨-୦ରେ ସିରିଜ ଆଗରେ ରହିଛି । ତେବେ ଶେଷ ଦିନିକିଆ ଜିତରେ କ୍ଲିନ ସୁଇପ କରିବ। ସେପଟେ ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକା ମଧ୍ୟ ସିରିଜ ହାରିବାକୁ ଯାଉଛି ।
ଅଣ୍ଡର-୧୯ ବିଶ୍ବକପ ପୂର୍ବରୁ ଭାରତର ଏହି ବିଜୟ ଅନେକ ଲାଭଦାୟକ ହେବାକୁ ଯାଉଛି । ଭାରତୀୟ ଦଳର ଅଧିନାୟକ ଆୟୁଷ ମାତ୍ରେ ଏବେ ଆହତ କାରଣରୁ ଦଳରେ ବାହାରେ ରହିଛନ୍ତି । ବୈଭବ ସୂର୍ଯ୍ୟବଂଶୀ ଦଳର ଅଧିନାୟକ ପଦ ସମ୍ଭାଳିଛନ୍ତି । ବ୍ୟକ୍ତିଗତ ଦମଦାର ପ୍ରଦର୍ଶନ କରିବା ସହ ଦଳ ମଧ୍ୟ ବିଜୟ ହାସଲ କରୁଛି । ଯାହାକି ଆଗାମୀ ବିଶ୍ବକପରେ ଭାରତୀୟ ଦଳର ମନୋଭାବ ବଢ଼ାଇ ପାରିବ । ତେବେ କହି ରଖୁଛୁ କି, ଆଇପିଏଲରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଡେବ୍ୟୁ କରି ସାରିଛନ୍ତି । ଗତ ସିଜିନରେ ଶତକ ହାସଲ କରିବା ସହ ବଡ଼ ବଡ଼ ସଟ୍ ଖେଳିଥିଲେ ।