ନୂଆଦିଲ୍ଲୀ ; ୧୦/୧ : ଆଗକୁ ଅଛି ଅଣ୍ଡର-୧୯ ବିଶ୍ବକପ । ସମସ୍ତ ଦଳ ଚାମ୍ପିୟନ ହେବା ଲାଗି ପ୍ରୟାସ ଜାରି ରଖିଛନ୍ତି । ତେବେ ଏହି ଦୌଡ଼ରେ ଆଗରେ ରହିଛି ଭାରତ । କାରଣ ଦଳରେ ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ରହିଛନ୍ତି । ଲଗାତାର ଦମଦାର ପ୍ରଦର୍ଶନ ଜାରି ରଖିଛନ୍ତି ସେ । ବଡ଼ ବଡ଼ ସଟ୍ ମାରି ପ୍ରତିପକ୍ଷ ବୋଲରଙ୍କ ଚିନ୍ତାର କାରଣ ପାଲଟିଛନ୍ତି । ନିକଟ ଦକ୍ଷିଣ ଆଫ୍ରିକା ମ୍ୟାଚ ସମୟରେ ଦମଦାର ପାଳି ଖେଳି ଚର୍ଚ୍ଚାରେ ରହିଥିଲେ । ଏବେ ସେ ବିଶ୍ବକପ ପୂର୍ବରୁ ଘାତବ ବ୍ୟାଟିଂ କରିଛନ୍ତି ।
ଜାନୁଆରୀ ୧୫ ତାରିଖରୁ ଜିମ୍ବାଓ୍ବେ ଏବଂ ନିମିବିଆରେ ଖେଳାଯିବ ଅଣ୍ଡର-୧୯ ବିଶ୍ବକପ । ତେବେ ଏହା ପୂର୍ବରୁ ସମସ୍ତ ଦଳ ନିଜର ଅଭ୍ୟାସ ମ୍ୟାଚ ଖେଳୁଛନ୍ତି । ତେବେ ଏହି ଅଭ୍ୟାସ ମ୍ୟାଚରେ ଗର୍ଜିଛି ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ୍ । ସେ ସ୍କଟଲାଣ୍ଡ ବିପକ୍ଷରେ ୯୬ ରନର ପାଳି ଖେଳିଛନ୍ତି । ମାତ୍ର ଗୋଟିଏ ବାଉଣ୍ଡୁରୀ ହୋଇଥିଲେ ସେ ଶତକ ହାସଲ କରିଥାନ୍ତେ । ତେବେ ୨୭ ବଲରୁ ଅର୍ଦ୍ଧଶତକ ହାସଲ କରିବାରେ ସଫଳ ହୋଇଥିଲେ । ତେବେ ୫୦ ବଲରେ ୯ ଚୌକା ଏବଂ ୭ ଛକା ବଳରେ ଏହି ସ୍କୋର କରିବାରେ ସକ୍ଷମ ହୋଇଛନ୍ତି । ତେବେ ଆହତ କାରଣରୁ ବାହାରେ ରହିଥିବା ଅଧିନାୟକ ଆୟୁଷ ମାତ୍ରେ ଏବଂ ବିହାନ ଦଳକୁ ଫେରିଛନ୍ତି । ଦଳକୁ ଆହୁରି ଏମାନେ ଆଗକୁ ନେବେ ବୋଲି ଆଶା ରଖିଛନ୍ତି ଫ୍ୟାନ୍ସ ।