ନୂଆଦିଲ୍ଲୀ,୦୭/୦୨; ୮୦ ବଲ, ୧୭୫ ରନ୍, ୧୫ ଚୌକା, ୧୫ଛକା । କେବଳ ବାଉଣ୍ଡାରୀରେ ୧୫୦ ରନ୍ । ଏଭଳି ଇନିଂସ ସ୍ୱପ୍ନରେ ମଧ୍ୟ ସମ୍ଭବ ହୋଇ ନପାରେ । କିନ୍ତୁ ଭାରତର ବ୍ୟାଟିଂ ବିସ୍ମୟ ବୈଭବ ସୂର୍ଯ୍ୟବଂଶୀ ଏଭଳି ଏକ ବିସ୍ମୟୀ ଇନିଂସ ଖେଳି ଭାରତକୁ ଷଷ୍ଠ ଥର ପାଇଁ ୧୯ ବର୍ଷରୁ କମ୍ ବିଶ୍ୱକପ୍ ଚାମ୍ପିଅନ କରାଇଛନ୍ତି । ଏହି ଧୂଆଁଧାର ପାଳି ସହିତ ରେକର୍ଡ କ୍ଲବରେ ସାମିଲ ହୋଇଛନ୍ତି ବୈଭବ ସୂର୍ଯ୍ୟବଂଶୀ । ଚାଲନ୍ତୁ ନଜର ପକାଇବା ତାଙ୍କ ରେକର୍ଡ ଉପରେ ।
୧୭୫ ରନ୍- ଯୁବ ବିଶ୍ୱକପ୍ ପ୍ଲେ- ଅଫ୍ ମ୍ୟାଚରେ ବ୍ୟକ୍ତିଗତ ୧୫୦ରୁ ଅଧିକ ରନ୍ ସ୍କୋର ହେବା ପ୍ରଥମ ଘଟଣା । ପୂର୍ବରୁ ୱେଷ୍ଟଇଣ୍ଡିଜର ନିକୋଲାସ୍ ପୂରନଙ୍କ ୧୪୩ ରନ୍ (୨୦୧୪ କ୍ୱାର୍ଟରଫାଇନାଲ୍, ଇଂଲଣ୍ଡ) ସର୍ବୋଚ୍ଚ ସ୍କୋର ଥିଲା । ଫାଇନାଲରେ ଭାରତର ଉନ୍ମକ୍ତ ଚାନ୍ଦ (୧୧୧*, ଅଷ୍ଟ୍ରେଲିଆ, ୨୦୧୨) ଶତକ ହାସଲ କରିଥିଲେ । ଯୁବ ଦିନିକିଆରେ ଗୋଟିଏ ପାଳିରେ ଏହା ଦ୍ୱିତୀୟ ସର୍ବୋଚ୍ଚ ସ୍କୋର୍ । ଏହି ରେକର୍ଡ ଭାରତର ଅମ୍ବାତି ରାୟୁଡୁ ୧୭୭* (୨୦୦୨, ଇଂଲଣ୍ଡ)ଙ୍କ ନାମ ରହିଛି । ଗତ ଡିସେମ୍ବରରେ ୟୁଏଇ ବିପକ୍ଷରେ ସୂର୍ଯ୍ୟବଂଶୀଙ୍କ ୧୭୧ ରନ୍ ତୃତୀୟରେ ରହିଛି ।
୧୪ ବର୍ଷ ୩୧୬ ଦିନ- ଯୁବ ବିଶ୍ୱକପରେ ଶତକ ଅର୍ଜନ କରିବାରେ ସୂର୍ଯ୍ୟବଂଶୀ ସର୍ବକନିଷ୍ଠ ଖେଳାଳି ହୋଇଛନ୍ତି । ତାଙ୍କ ପୂର୍ବରୁ ଏହି ରେକର୍ଡ ପାକିସ୍ତାନର ବାବର ଆଜମଙ୍କ ନାମରେ ଥିଲା । ସେ ୧୫ ବର୍ଷ ୯୨ ଦନର ଥିଲେ ।
୫୫ ବଲରେ ଶତକ- ଏହା ଦ୍ୱିତୀୟ ଦ୍ରୁତତମ ଶତକ ହୋଇଛି । ତାଙ୍କଠୁ ଆଗରେ ରହିଛନ୍ତି ଅଷ୍ଟ୍ରେଲିଆର ୱିଲ୍ ମାଲାଜୁକ୍ (୫୧ ବଲ୍, ଜାପାନ ବିପକ୍ଷ ୨୦୨୬) ।
୨୧୮.୭୫ ଷ୍ଟ୍ରାଇକରେଟ୍- ସୂର୍ଯ୍ୟବଂଶୀଙ୍କ ୮୦ ବଲ୍ରୁ ୧୭୫ରନ୍ ଗୋଟିଏ ପାଳିରେ (ଅତିକମରେ ୫୦ ବଲ୍) ବ୍ୟକ୍ତିଗତ ସର୍ବୋଚ୍ଚ ଷ୍ଟ୍ରାଇକରେଟ୍ । ତାଙ୍କ ପଛରେ ରହିଛନ୍ତି ୱିଲ୍ ମାଲାଜୁକ୍ (୧୮୫.୪୫) ।
୩୦ ଛକା- ଗୋଟିଏ ଯୁବ ବିଶ୍ୱକପ ଇତିହାସରେ ବ୍ୟକ୍ତିଗତ ମୋଟ ଛକାରେ ଏହା ସର୍ବାଧିକ । ୧୮ ଛକା ସହ ପୂର୍ବରୁ ଯୁଗ୍ମ ଭାବେ ଆଗରେ ଥିବା ଡିୱାଲ୍ଡ ବ୍ରେଭିସ୍ (୨୦୨୨) ଓ ଫିନ୍ ଆଲେନ (୨୦୧୬, ୨୦୧୮)ଙ୍କୁ ସୂର୍ଯ୍ୟବଂଶୀ ପଛରେ ପକାଇଛନ୍ତି ।
୧୫ ଛକା- ଯୁବ ଦିନିକିଆ ପ୍ରତିଯୋଗିତାର ଗୋଟିଏ ପାଳିରେ ସର୍ବାଧିକ । ପୂର୍ବରୁ ଏହି ରେକର୍ଡ ମଧ୍ୟ ସୂର୍ଯ୍ୟବଂଶୀଙ୍କ ( ୧୪ଛକା, ୟୁଏଇ, ୨୦୨୫ ଡିସେମ୍ବର) ନାଁରେ ଥିଲା ।
୪୩୯ ରନ୍- ଯୁବ ବିଶ୍ୱକପର ଗୋଟିଏ ସଂସ୍କରଣରେ ଏହା ଚତୁର୍ଥ ସର୍ବାଧିକ ବ୍ୟକ୍ତିଗତ ମୋଟ୍ ସ୍କୋର । ସୂର୍ଯ୍ୟବଂଶୀଙ୍କ ଆଗରେ ଦକ୍ଷିଣ ଆଫ୍ରିକାର ଡିୱାଲ୍ଡ ବ୍ରେଭିସ୍ (୫୦୬, ୨୦୨୨), ଭାରତର ଶିଖର ଧାୱନ (୫୦୫, ୨୦୦୪) ଓ ଅଷ୍ଟ୍ରେଲିଆର ବ୍ରେଟ୍ ୱିଲିୟମ୍ ( ୪୭୧, ୧୯୮୮) ରହିଛନ୍ତି ।
ଏହା ବି ପଢନ୍ତୁ...ବୈଭବ ବିସ୍ଫୋରଣ,୧୫ ଛକା, ୧୫ ଚୌକା ସହ ବ୍ରିଟିଶ୍ ବାହିନୀକୁ ଘାଇଲା କଲେ ସୂର୍ଯ୍ୟବଂଶୀ