ଭୁବନେଶ୍ୱର ୨୪/୦୭( ମୁକେଶ ପରିଡ଼ା):କେବଳ ୭ଟି ସାହି ଥିଲା । କୋଠା କହିଲେ ମାତ୍ର ୩ଟି ଘର । ଏବେ ଗାଁ ଭିତରେ ୪ଟି ଆପାର୍ଟମେଣ୍ଟ । ଏକାଧିକ ନୂଆ କଲୋନି । ଏଇ ଦଶନ୍ଧି ଭିତରେ ରାଜଧାନୀ ଉପକଣ୍ଠ ପାଇକରାପୁର ଗାଁର ଚିତ୍ର, ଚରିତ୍ରରେ ଆକାଶ ପାତାଳ ଫରକ । ଚାଷ ଜମି, ତୋଟା, ପଡ଼ିଆ ଗାଏବ । ଆଉ ଉପକଣ୍ଠ ଗାଁ ନୁହେଁ, ପାଇକରାପୁର ଦ୍ରୁତ ଗତିରେ ନୂଆ ଟାଉନସିପ୍ ରୂପ ନେଉଛି ।
ଉତ୍ତର-ଦକ୍ଷିଣ, ପୂର୍ବ ପଶ୍ଚିମ ଚାରି ଦିଗକୁ ମାଡ଼ି ଚାଲିଛି ଭୁବନେଶ୍ୱର ସହର । ଉତ୍ତରରେ ବାରଙ୍ଗ, ଫୁଲନଖରା, ଦକ୍ଷିଣରେ ପିପିଲି, ପଶ୍ଚିମରେ ଜଟଣୀ, ଖୋର୍ଦ୍ଧା, ପୂର୍ବରେ ବାଲିଅନ୍ତା, ବାଲିପାଟଣା ସବୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପରିସୀମାରେ । ୧୧୫ ରାଜସ୍ୱ ଗ୍ରାମରୁ ଆରମ୍ଭ ହୋଇଥିବା ବିଡିଏରେ ଏବେ ସୁଦ୍ଧା ୫୫୬ ଗାଁକୁ ଗିଳି ସାରିଲାଣି । ନୂଆ ସିଡିପିରେ ଆହୁରି ୨୦୫ ଗାଁ ମିଶିଯିବ ବିଡିଏରେ । ଭୁବନେଶ୍ୱର ମହାନଗର ନିଗମ ପରିସୀମାରେ ପାତ୍ରପଡ଼ା, ସିଜୁଆ, ଅନ୍ଧାରୁଆ, ପାହାଳ ଆଦି ପଞ୍ଚାୟତ ବିଲୀନ ହୋଇସାରିଛି । ଖୁବଶୀଘ୍ର ରଘୁନାଥପୁର, ଦାରୁଠେଙ୍ଗ, ଧଉଳି, ଶିଶୁପାଳଗଡ଼ ଭଳି ୨୬ ଗାଁକୁ ନିଜ ପରିସୀମାକୁ ଆଣିବ ବିଏମ୍ସି ।
ସହରୀକରଣ ଏତେ ଦ୍ରୁତ ଗତିରେ ମାଡ଼ୁଛି ଯେ କଟକ-ଭୁବନେଶ୍ୱର ମିଶିଗଲାଣି । କଟକ ସହର ମହାନଦୀ, କାଠଯୋଡ଼ି ଡେଇଁ ତ୍ରିଶୁଳିଆ, ବାରଙ୍ଗ, ନରାଜ, ଗୋପାଳପୁର, ନଖରା, ଜଗତପୁର, ଚୌଦ୍ୱାର, ମଙ୍ଗୁଳି, ଟାଙ୍ଗୀ, ଅଡ଼ଶପୁର, ୪୨ ମୌଜା, କନ୍ଦରପୁର ଯାଏଁ ମାଡ଼ି ଗଲାଣି । ଯାଜପୁର କଳିଙ୍ଗନଗର ଶିଳ୍ପନଗରୀରେ ଦାନଗଦି ବ୍ଲକର ୨୬ ଗାଁ ସମ୍ପୂର୍ଣ୍ଣ ଚାଲିଯାଇଛି । ୭୫୦୦ ଏକର ଚାଷ ଜମି ବି ପଳାଇଲା । ବଦଳରେ ଅନେକ ନୂଆ କଲୋନି ଛିଡ଼ା ହୋଇଛି । ବିସ୍ଥାପିତ ଗାଁ ଲୋକେ ଏବେ କାରଖାନାରେ ଠିକା ଶ୍ରମିକ। କେବଳ ଗାଁ ନୁହେଁ, ଅନେକ ପାହାଡ଼, ଝରଣା ବି ସମାଧି ନେଇଯାଇଛି ଶିଳ୍ପାୟନ ଭିତରେ । ଗାଁ ପରିବେଶକୁ ଗିଳି ଦେଇଛି ସହରୀ ଶିଳ୍ପାୟନ ।
ଅଧିକ ପଢ଼ନ୍ତୁ :- Bahuda Yatra : ସରିଲା ମହାପ୍ରଭୁଙ୍କ ଜନ୍ମବେଦି ଲୀଳା, ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ ଦାରୁବ୍ରହ୍ମ, ୧୨ଟାରେ ବାହୁଡ଼ା ପହଣ୍ଡି , ୪ଟାରେ ରଥଟଣା
ଅନୁଗୁଳ ସହର ବି ଦ୍ରୁତ ଶିଳ୍ପାୟନ ଭିତରେ ଆଖପାଖ ଗାଁକୁ ଗିଳି ଦେଇଛି । ଉପକଣ୍ଠରେ ନୂଆ ଟାଉନସିପ ଗଢ଼ି ଉଠିଛି । ତୁରଙ୍ଗ, ରାଣୀଗୋଡ଼ା, ପ୍ରଗତୀନଗର, ସୌଭାଗ୍ୟନଗର, ସୁସୁଡ଼ା, ଖଲାରୀ, କୁମଣ୍ଡ, କରାଡ଼ାଗାଡ଼ିଆ, ପଞ୍ଚମହଲା ଗାଁ ସହରରେ ମିଶିଗଲାଣି । ଉପକଣ୍ଠରେ ଜମି ଦର ଏବେ ଆକାଶଛୁଆଁ । ରାଉରକେଲା ସହର ଭିତରେ ଲାଠିକଟା, ଜଗଦା, ଜାମସେରା, ଜବାଘାଟ, ଝାଡ଼ତରଙ୍ଗ, କଲୁଙ୍ଗା, ଯମୁନାନାକି, ଲୁଆକେରା, ପସରା ଆଦି ଗାଁ ସାମିଲ ହୋଇ ସାରିଲାଣି । ଏଇ ୧୦ ବର୍ଷ ଭିତରେ ବାଲେଶ୍ୱରର ସହରରେ ଭିତରେ ୧୫ରୁ ଅଧିକ ଗ୍ରାମ ମିଶିସାରିଲାଣି । ଆଗାମୀ ଦିନରେ ବାଲେଶ୍ୱର ସହରର ସୀମାକୁ ଶେରଗଡ଼, ଚାନ୍ଦିପୁର, ରେମୁଣା, ରସଳାପୁର ପର୍ଯ୍ୟନ୍ତ ଲମ୍ବିବାକୁ ଯୋଜନା ରହିଛି।
ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର, ବାଲେଶ୍ୱର, ପୁରୀ, ପାରାଦୀପ, ରାଉରକେଲା, କଳିଙ୍ଗନଗର, ଅନୁଗୁଳ, ଝାରସୁଗୁଡ଼ା, ବଡ଼ବିଲ ସମେତ ରାଜ୍ୟବ୍ୟାପୀ ସହର କଳେବର ମାଡ଼ି ଚାଲିଛି । ମରି ମରି ଚାଲିଛି ଗାଁ । କାଲି ଯାଏଁ ପଞ୍ଚାୟତରେ ଥିବା ଗାଁଗୁଡ଼ିକ ଏବେ ଏନଏସି, ମ୍ୟୁନିସିପାଲଟି ହେବାକୁ ବ୍ୟାକୁଳ । ନିକଟରେ ୩୫ ନୂଆ ଏନଏସି ଓ ମ୍ୟୁନିସିପାଲିଟି ଘୋଷଣା ହୋଇଛି । ଗତ ୧୫ରୁ ୨୦ ବର୍ଷ ଭିତରେ ରାଜ୍ୟର ପ୍ରାୟ ୧୨୦୦ରୁ ୧୫୦୦ ଗାଁ ସହରରେ ମିଶିଯାଇଛି । ୨୦୧୧ ଜନଗଣନା ବେଳକୁ ରାଜ୍ୟର ୧୭% ଲୋକେ ସହରରେ ରହୁଥିଲେ । ଏ ସଂଖ୍ୟା ବର୍ତ୍ତମାନ ୨୨% ଛୁଇଁଲାଣି । ସରକାରଙ୍କ ଲକ୍ଷ୍ୟ-୨୦୩୬ ସୁଦ୍ଧା ସହରୀକରଣକୁ ୪୦%କୁ ବୃଦ୍ଧି କରିବେ ।
ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟର ତଥ୍ୟ କହୁଛି, ୨୦୧୧ରୁ ୨୦୨୧ ମଧ୍ୟରେ ଦେଶରେ ସରକାରୀ ରେକର୍ଡରୁ ୧୦ ହଜାର ଗାଁ ହଜିଯାଇଛି । ଅର୍ଥାତ୍ ସହରୀକରଣ ଆଁରେ ଏସବୁ ଗାଁ ମିଶିଯାଇଛି । ସେଠାରେ ଆଉ ଗାଁର ଚିହ୍ନବର୍ଣ୍ଣ ନାହିଁ ।
ଓଡ଼ିଶାରେ ମଧ୍ୟ ଦ୍ରୁତ ସହରୀକରଣରେ ଗାଁ ପରିବେଶ, ସଂସ୍କୃତି, ପରମ୍ପରା, ଭାଇଚାରା ସବୁ କିଛି ବଦଳିଯାଇଛି । ଚାଷ ଉଜୁଡ଼ି ଚାଲିଛି । ଛତୁ ଫୁଟିଲା ଭଳି ପ୍ଲଟିଂ ବେପାର ମାଡ଼ି ଚାଲିଛି । ଜମି ଦର ହୁ ହୁ ହୋଇ ବଢ଼ୁଛି । ଜମି ବିକି କିଏ ଲକ୍ଷପତି, କିଏ କୋଟିପତି । ପିଢ଼ି ପିଢ଼ିରୁ ଚାଲି ଆସୁଥିବା କୌଳିକ ବୃତ୍ତିରେ ଆଉ ମନ ଲାଗୁନି । ଜମି ବିକା ଟଙ୍କାରେ ଚକାଚକ ଘର, ଦାମୀ ଗାଡ଼ି, ମୋଟା ସୁନା ଚେନ ଆଉ ବ୍ରେସଲେଟ । ଏତିକିରେ ଗାଁ ଯୁବବର୍ଗ ଖୁସ୍ ।ସହର ମାଡ଼ି ଆସୁଥିବାରୁ ବିଲ୍ଡର ଏବେ ଗାଁ ମୁହାଁ । ଲୋକେ ବି ଜମି ବିକିବାକୁ ହାଁ ହାଁ... ।
ସହରୀକରଣ ଭିତରେ ଗାଁ ପରିଚୟ ହଜିଯାଇଛି । ଗାଁ ଚାଷ ଜମି ଉପରେ ଆବାସିକ କଲୋନି, ମାର୍କେଟ କମ୍ପେ୍ଲକ୍ସ, ମଣ୍ଡପ ଛିଡ଼ା ହେଲାଣି । ଗାଁ ତୋଟାକୁ ପଦା କରି ଫ୍ଲାଏ ଆସ୍ ଇଟା ଭାଟି ମୁଣ୍ଡ ଟେକିଲାଣି । ଭାଗବତ ଟୁଙ୍ଗୀ ଖାଁ ଖାଁ । ପୂଜା, ପାର୍ବଣ, ଯଜ୍ଞ, ଅଷ୍ଟ୍ରପହରୀ, ମେଲଣ ଆୟୋଜନରେ ଚାନ୍ଦାର ଅଭାବ ରହୁନି । କିନ୍ତୁ, ପୂର୍ବପରି ଭାଇଚାରା ଓ ଆତ୍ମୀୟତା ନାହିଁ । ଏତେ ଘରବାଡ଼ି ଛିଡ଼ା ହେଲାଣି ଯେ ଗାଁ ଛକରେ ପଚାରିଲେ ଠିକଣା ମିଳୁନି ।
ସହରୀ ଚାକଚକ୍ୟ ଦେଖି ନୂଆ ପିଢ଼ି ଚାଷ ଓ କୌଳିକ ବୃତ୍ତିକୁ ମୁହଁ ମୋଡୁଛନ୍ତି । ମାଟି ଗଢ଼ା କାମ କାଁ ଭାଁ । କମାରଶାଳ ବିରଳ । କାଠ କାମ ପାଇଁ କାହାରି ମନ ନାହିଁ । ଆଗଭଳି ରଜ, କୁମାର ପୂର୍ଣ୍ଣିମା, ପଞ୍ଚକ ବ୍ରତ ନାହିଁ । ଗାଁ ସଂକୀର୍ତ୍ତନ ମଣ୍ଡଳୀ ବନ୍ଦ । କଣ୍ଢେଇ ନାଚ, ଘୋଡ଼ାନାଚ, ପାଲା, ଦାସକାଠିଆ, ଛଉ ଭଳି ପାରମ୍ପରିକ ଲୋକ କଳା ଅଲୋଡ଼ା ହେଲାଣି । ସହରୀ ଜୀବନକୁ ଆପଣାଇବାକୁ ଯାଇ ଗାଁ ଯୁବପିଢ଼ି ସପିଙ୍ଗ୍ କମ୍ପେ୍ଲକ୍ସ, ମଲ୍ ଓ ଅନଲାଇନ ମାର୍କେଟ ପ୍ରେମରେ ପଡ଼ିଲେଣି । ଗାଁ ଛକର ତେଜରାଜି ଓ ଡ୍ରେସ୍ ଦୋକାନ ମାଗୁଣିର ଶଗଡ଼ ଭଳି ଦିନ ଗଣୁଛନ୍ତି ।