ଭୁବନେଶ୍ୱର,୨୪/୦୭: ବାହୁଡ଼ା ଅବସରରେ ଶୁକ୍ରବାର ପୁରୀରେ ପାଗ ଭଲ ରହିପାରେ । ଗୁଳୁଗୁଳି କମ୍ ରହିବା ସହ ଥଣ୍ଡା ପବନ ସମ୍ଭାବନା ଅଛି । ହେଲେ ମଝିରେ ଅସରାଏ କିମ୍ବା ଦୁଇ ଅସରା ବର୍ଷା ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ । ଏଭଳି ପୂର୍ବାନୁମାନ କରିଛନ୍ତି ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ ।

ତାଙ୍କ ପୂର୍ବାନୁମାନ ଅନୁସାରେ ଏକ ଘୂର୍ଣ୍ଣିବଳୟ ୨୫ ତାରିଖବେଳକୁ ସୃଷ୍ଟି ହେବାକୁ ଯାଉଛି । ଏହା ପ୍ରଭାବରେ ଓଡ଼ିଶାରେ ୨୮ ଯାଏଁ ବର୍ଷା ଲାଗି ରହିବ । ପାଣିପାଗ ବିଭାଗର ବିସ୍ତାରିତ ପୂର୍ବାନୁମାନ ଅନୁସାରେ ଆସନ୍ତା ୨୫ ତାରିଖବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପାର୍ଶବର୍ତ୍ତୀ ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପରେ ଏକ ଘୂର୍ଣ୍ଣିବଳୟ  ସୃଷ୍ଟି ହେବା ସମ୍ଭାବନା ଅଛି । ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ଉତ୍ତର ଓଡ଼ିଶା, ଗାଙ୍ଗେୟ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଉତ୍ତର ଛତିଶଗଡ଼, ପୂର୍ବ ମଧ୍ୟପ୍ରଦେଶ ଆଡ଼କୁ ମୁହାଁଇବ । ୨୪ରୁ ୩୦ ତାରିଖ ମଧ୍ୟରେ ରାଜ୍ୟରେ ସ୍ୱାଭାବିକ ବର୍ଷା ହେବ । ଦକ୍ଷିଣ ଉପକୂଳରେ ବର୍ଷା ପରିମାଣ ଅଧିକ ରହିପାରେ । ୩୧ ଜୁଲାଇରୁ ଅଗଷ୍ଟ ୬ ତାରିଖ ଭିତରେ ରାଜ୍ୟରେ ସ୍ୱାଭାବିକ ବର୍ଷା ହେବ । କିନ୍ତୁ, ଉତ୍ତର ଉପକୂଳରେ ବର୍ଷା କମ୍ ରହିବା ସମ୍ଭାବନା ଅଛି ।

ଶୁକ୍ରବାର (ବାହୁଡ଼ା ଯାତ୍ରା ଦିନ) ରାଜ୍ୟର ଅଳ୍ପ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ । ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ପୁରୀ ସମେତ କେତେକ ସ୍ଥାନରେ ଘଡ଼ଘଡ଼ି ସହ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ଆଶଙ୍କା ରହିଛି । ୨୯ ଯାଏଁ ରାଜ୍ୟରେ ଏଭଳି ପାଗ ରହିବ ।