ପୁରୀ,୨୪/୦୭ ସରିଲା ମହାପ୍ରଭୁଙ୍କ ଜନ୍ମବେଦି ଲୀଳା । ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ କାଳିଆ ସାଆନ୍ତ । ଏଣୁ ଶରଧାବାଲିରେ ଅପେକ୍ଷାରତ ତିନି ରଥ । ଠାକୁରେ ରଥାରୂଢ଼ ପୂର୍ବରୁ ବିଶ୍ୱକର୍ମା, ଦର୍ଜୀ, କୋଠ ସୁଆଁସିଆ ଆଦି ସେବକ ତିନି ରଥ ପ୍ରସ୍ତୁତ କରିଛନ୍ତି ।
ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ତଥା ଦକ୍ଷିଣାଭିମୁଖୀ ଯାତ୍ରା । ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରାର ଏହା ତୃତୀୟ ଅଙ୍ଗ । ରଥ ଯାତ୍ରା ପ୍ରଥମ ଓ ଗୁଣ୍ଡିଚା ମଣ୍ଡପରେ ବାସ ୨ୟ ଅଙ୍ଗ । ଶାସ୍ତ୍ର କୁହେ ରଥ ଯାତ୍ରାରେ ପ୍ରଭୁ ଉତ୍ତରାଭିମୁଖୀ ଯାତ୍ରା କରନ୍ତି । ବାହୁଡ଼ାରେ ଦକ୍ଷିଣାଭିମୁଖୀ ଯାତ୍ରା । ରଥାରୂଢ଼ ହୋଇ ଚତୁର୍ଦ୍ଧାମୂର୍ତ୍ତିଙ୍କ ସହ ଶ୍ରୀମଦନମୋହନ ଓ ରାମକୃଷ୍ଣ ବାହୁଡ଼ିବେ । ଏହି ଦୁର୍ଲଭ ଦେବ ଦର୍ଶନରେ ଭକ୍ତଙ୍କୁ ଅଶ୍ୱମେଧ ଯଜ୍ଞର ଫଳ ପ୍ରାପ୍ତ ହୁଏ । ଅନ୍ତିମ କ୍ଷଣରେ ବୈକୁଣ୍ଠରେ ବାସ ମିଳେ । ବାହୁଡ଼ା ପାଇଁ ନବମୀ ଦିନ ରାତ୍ରରୁ ପ୍ରସ୍ତୁତି ଆରମ୍ଭ ହୋଇଛି ।ଶୁକ୍ରବାର ୧୨ଟାରୁ ସାଢ଼େ ୨ଟା ମଧ୍ୟରେ ଠାକୁରଙ୍କ ବାହୁଡ଼ା ପହଣ୍ଡି ହୋଇ ଅପରାହ୍ଣ ସାଢ଼େ ୨ଟାରୁ ସାଢ଼େ ୩ଟା ମଧ୍ୟରେ ଛେରାପହଁରା ଓ ଅପରାହ୍ଣ ୪ଟାରେ ରଥ ଟଣା ଆରମ୍ଭ ହେବ ବୋଲି ପ୍ରଶାସନିକ ସୂଚନା ରହିଛି ।
ଅଧିକ ପଢ଼ନ୍ତୁ :- Weather Forecast : ଆସନ୍ତା ୨୪ ଘଣ୍ଟାରେ ଘୂର୍ଣ୍ଣିବଳୟ ସମ୍ଭାବନା, ୨୮ରୁ ଯାଏଁ ବର୍ଷିବ, ଆଜି ପୁରୀରେ ପାଗ ଭଲ ରହିପାରେ
ବାହୁଡ଼ା ଯାତ୍ରାର ପ୍ରଶାସନିକ ସମୟ ଅନୁସାରେ, ଠାକୁରଙ୍କ ମଙ୍ଗଳ ଆଳତି ପ୍ରାତଃ ୪ଟା, ମଇଲମ ୪ଟା ୧୫, ତଡ଼ପଲାଗି ଓ ରୋଷହୋମ ୪ଟା ୩୦ରେ ସରି ଅବକାଶ ନୀତି ବଢ଼ିବ ୫ଟାରେ। ସୂର୍ଯ୍ୟପୂଜା ୫ଟା ୧୫, ଦ୍ୱାରପାଳ ପୂଜା ଓ ବେଶ ଶେଷ ହେବ ୫ଟା ୩୦ରେ । ଗୋପାଳ ବଲ୍ଲଭ ଓ ସକାଳ ଧୂପରେ ଠାକୁରଙ୍କୁ ଖେଚୁଡ଼ି ଭୋଗ ଅର୍ପଣ କରାଯିବ ୬ଟା ୪୫ ମଧ୍ୟରେ । ଏହା ପରେ ୭ଟାରୁ ପୂର୍ବାହ୍ଣ ସାଢ଼େ ୧୧ଟା ମଧ୍ୟରେ ଦଇତାପତି ଶ୍ରୀବିଗ୍ରହଙ୍କ ସେନା ପଟା ଲାଗି କରିବେ । ଶେଷରେ ଶ୍ରୀଗୁଣ୍ଡିଚା ଦିନ ପରି ପୂଜା ପଣ୍ଡା, ପତି ମହାପାତ୍ର ଓ ମୁଦିରସ୍ତ ସେବକ ତିନି ବାଡ଼ରେ ମଙ୍ଗଳାର୍ପଣ କରିବେ । ଏହି ସମୟ ରହିଛି ୧୧ଟା୪୫ । ପରେ ଠାକୁରଙ୍କ ବାହୁଡ଼ା ପହଣ୍ଡି ଆରମ୍ଭ ହେବ । ଜଗମୋହନ ଦୁଆରେ ଶ୍ରୀବିଗ୍ରହ ବିଜେ ହେଲେ ରାଘବ ଦାସ ମଠ ପ୍ରଦତ୍ତ ଟାହିଆ ଶ୍ରୀମସ୍ତକରେ ଲାଗି କରାଯିବ । ପତି ମହାପାତ୍ର ପ୍ରସାଦ ବନ୍ଦାପନା, କର୍ପୁର ଆଳତୀ, ସାତବତୀ, ସଞ୍ଜ କାହାଳୀ ଓ ଘସା, ବିଡ଼ିଆ ମଣୋହି କରିବେ । ଏହି ସମୟରେ ପୁଷ୍ପାଳକ ମହାଜନ ତୂଳୀ ଲାଗି ବଢ଼ାଇବେ । ପରେ ଦାରୁଦିଅଁ ଧାଡ଼ି ପହଣ୍ଡିରେ ନିଜ ନିଜ ରଥରେ ବିଜେ ହେବେ । ଠାକୁରେ ରଥାରୂଢ଼ ହେବା ପରେ ରୁନ୍ଧା କାର୍ଯ୍ୟ ସମ୍ପନ୍ନ ହେବ । ପରେ ଘଣ୍ଟ, ଛତା, କାହାଳୀ ସହ ଶ୍ରୀମଦନମୋହନ ନନ୍ଦିଘୋଷ ରଥରେ ଓ ଶ୍ରୀରାମକୃଷ୍ଣ ତାଳଧ୍ୱଜ ରଥରେ ବିଜେ ହୁଅନ୍ତି । ରଥରେ ଠାକୁରଙ୍କ ବେଶ ବଢ଼ିବ ୧ଟାରୁ ସାଢ଼େ ୨ଟା ମଧ୍ୟରେ ।
ପରେ ତିନି ରଥରେ ଛେରା ପହଁରା କରିବେ ଗଜପତି ମହାରାଜ । ଅପରାହ୍ଣ ୩ଟାରୁ ୪ଟା ମଧ୍ୟରେ ଭୋଇ ସେବକମାନେ ରଥରୁ ଚାରମାଳ ଫିଟାଇବା ସହ ରୂପକାର ସେବକ ରଥରେ ଘୋଡ଼ା ବାନ୍ଧିବେ । ବିଶ୍ୱକର୍ମା ଓ ଭୋଇ ସେବକ ରଥରେ ଦଉଡ଼ି ଲଗାଇବା ପରେ ରଥ ନିର୍ଦ୍ଦେଶକ ଦଳଙ୍କ ପରାମର୍ଶରେ ରଥ ଟଣା ହେବ । ମାଉସୀମା’ ମନ୍ଦିର ସମ୍ମୁଖରେ ରଥାରୂଢ଼ ଠାକୁରଙ୍କୁ ପୋଡ଼ ପିଠା ଭୋଗ ଲାଗିବ । ତାଳଧ୍ୱଜ ଓ ଦେବଦଳନ ରଥ ଟଣା ହୋଇ ସିଂହଦ୍ୱାରେ ପହଞ୍ଚିବ । ଜଗନ୍ନାଥ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଶ୍ରୀନଅର ସମ୍ମୁଖରେ ଅଟକିବ । ସେଠାରେ ଲକ୍ଷ୍ମୀ-ନାରାୟଣ ଭେଟ ନୀତି ହେବ । ମହାଜନ ସେବକମାନେ ଲକ୍ଷ୍ମୀ ଠାକୁରାଣୀଙ୍କୁ ପାଟବସ୍ତ୍ର, ମାଳଫୁଲ, ଅଳଙ୍କାର ଲାଗିସହ ବେଶ କରାଇ ପାଲିଙ୍କିରେ ବିଜେ କରାଇ ଯଥାବିଧି ନନ୍ଦିଘୋଷ ରଥ ନିକଟରେ ପହଞ୍ଚିବେ । ଦହି ପଟି ମଣୋହି ପରେ ଗଜପତି ମହାରାଜାଙ୍କ ହସ୍ତରେ ଲକ୍ଷ୍ମୀ ଦେବୀ ବିଜେ ହୋଇ ଶ୍ରୀଜଗନ୍ନାଥଙ୍କ ସହ ଭେଟ ହେବେ । ମହାଲକ୍ଷ୍ମୀ ନନ୍ଦିଘୋଷ ରଥ ପ୍ରଦକ୍ଷିଣ କରି ଓ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଶ୍ରୀମନ୍ଦିରକୁ ବାହୁଡ଼ିବେ । ପରେ ଶ୍ରୀନଅରଠାରୁ ନନ୍ଦିଘୋଷ ରଥ ଟଣା ଯାଇ ସିଂହଦ୍ୱାର ସମ୍ମୁଖରେ ପହଞ୍ଚିବ ।