ଜମ୍ମୁ, ୧୪।୭: ପ୍ରସିଦ୍ଧ ଶ୍ରୀ ମାତା ବୈଷ୍ଣୋଦେବୀ ମନ୍ଦିରରେ ଭକ୍ତମାନଙ୍କ ଦ୍ୱାରା ଅର୍ପଣ କରାଯାଇଥିବା ପ୍ରାୟ ୫୦୦ କୋଟିରୁ ଅଧିକ ଟଙ୍କାର ରୁପା ଚଢ଼ା଼ଇବା ନକଲି ଥିଲା ନା ଏହାକୁ ବଦଳାଇ ଦିଆଯାଇଛି ? ଏହି ଘଟଣାକୁ ନେଇ ଏବେ ଜମ୍ମୁ କୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ବହୁଚର୍ଚ୍ଚିତ ମାମଲାର ଶୁଣାଣି କରି ଜମ୍ମୁର ମୁଖ୍ୟ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ ମୁନୀଶ କୁମାର ମନସଙ୍କ ଅଦାଲତ କ୍ରାଇମବ୍ରାଞ୍ଚର ତଦନ୍ତକାରୀ ଅଧିକାରୀଙ୍କୁ ସମସ୍ତ ଆବଶ୍ୟକୀୟ ରେକର୍ଡ ସହିତ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୨୯ ତାରିଖରେ ହେବ ।

କ’ଣ ଏହି ସମ୍ପୂର୍ଣ୍ଣ ମାମଲା ?

ଶ୍ରାଇନ୍ ବୋର୍ଡ ପକ୍ଷରୁ ମନ୍ଦିରରେ ଜମା ହୋଇଥିବା ପ୍ରାୟ ୨୦ ଟନ୍ ରୁପାକୁ ତରଳାଇବା ଏବଂ ପରୀକ୍ଷା କରିବା ପାଇଁ ସରକାରୀଙ୍କୁ ପଠାଯାଇଥିଲା । ଏହି ରୁପାର ଆନୁମାନିକ ମୂଲ୍ୟ ପ୍ରାୟ ୫୫୦ କୋଟି ଟଙ୍କା ହେବ ବୋଲି କୁହାଯାଉଥିଲା । ରିପୋର୍ଟ ଅନୁସାରେ, ପରୀକ୍ଷଣ ପରେ ଜଣାପଡ଼ିଥିଲା ଯେ ମୋଟ୍ ରୁପା ମଧ୍ୟରୁ ମାତ୍ର ୫% ରୁ ୬% ରୁପା ହିଁ ଅସଲି ଥିଲା । ଅବଶିଷ୍ଟ ୯୦% ରୁ ଅଧିକ ସାମଗ୍ରୀ ନକଲି ଥିଲା, ଯେଉଁଥିରେ କ୍ୟାଡମିୟମ୍, ଲୁହା ଏବଂ ଅନ୍ୟାନ୍ୟ ଶସ୍ତା ଧାତୁ ମିଶ୍ରିତ ହୋଇ ରହିଥିଲା । ନକଲି ରୁପାରେ କ୍ୟାଡମିୟମ୍ ଭଳି ବିଷାକ୍ତ ଏବଂ କ୍ଷତିକାରକ ରାସାୟନିକ ଧାତୁ ମିଳିବା ପରେ ଭକ୍ତ ଓ ସେବାୟତଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏଫ୍‌ଆଇଆର୍ ଏବଂ ବିଧିବଦ୍ଧ ତଦନ୍ତ ପାଇଁ ଦାବି ଏହି ପ୍ରସଙ୍ଗରେ ଜମ୍ମୁ-କାଶ୍ମୀର ହାଇକୋର୍ଟର ଆଇନଜୀବୀ ଦୀପକ ଶର୍ମା ଗତ ମେ ୯, ୨୦୨୬ରେ ଜମ୍ମୁ କ୍ରାଇମବ୍ରାଞ୍ଚ ନିକଟରେ ଏକ ସବିଶେଷ ଅଭିଯୋଗ ଦାଖଲ କରିଥିଲେ । ଏଥିରେ ଅପରାଧିକ ଷଡ଼ଯନ୍ତ୍ର, ଜାଲିଆତି, ବିଶ୍ୱାସଘାତକତା, ମୂଲ୍ୟବାନ ସାମଗ୍ରୀର ହେରଫେର ଏବଂ ନକଲି ଧାତୁ ବ୍ୟବହାର କରିବା ଭଳି ଗୁରୁତର ଅପରାଧର ଅଭିଯୋଗ ଅଣାଯାଇଥିଲା ।

ଏହା ବି ପଢ଼ନ୍ତୁ... Airfare Regulation Case : ମନଇଚ୍ଛା ବିମାନ ଭଡା ଉପରେ ସୁପ୍ରିମକୋର୍ଟଙ୍କ ଆକ୍ସନ, ଦୁଇ ସପ୍ତାହ ମଧ୍ୟରେ ନୂଆ ନିୟମ ପାଇଁ କେନ୍ଦ୍ରକୁ ନିର୍ଦ୍ଦେଶ

ଏଠି ପ୍ରଶ୍ନ ଉଠୁଛି, କ’ଣ ବ୍ୟବସାୟୀ କିମ୍ବା ସୁନା ଦୋକାନୀମାନେ ଶ୍ରଦ୍ଧାଳୁଙ୍କୁ ଜାଲିଆତି କରି ଏହି ନକଲି ରୁପା ବିକ୍ରି କରିଥିଲେ ? ନା ଶ୍ରାଇନ୍ ବୋର୍ଡକୁ ଦାନ ଆସିବା ପରେ ଓଜନ, ଗଚ୍ଛିତ, ପରିବହନ କିମ୍ବା ତରଳାଇବା ପ୍ରକ୍ରିୟା ସମୟରେ ଅସଲି ରୁପାକୁ ଚୋରି କରି ବଦଳାଇ ଦିଆଯାଇଛି ? ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବା ଆବଶ୍ୟକ । କ୍ରାଇମବ୍ରାଞ୍ଚର ଭୂମିକା ଉପରେ ପ୍ରଶ୍ନ ଉଠାଇଲେ କୋର୍ଟ କ୍ରାଇମବ୍ରାଞ୍ଚ ପକ୍ଷରୁ କୌଣସି ପ୍ରଭାବଶାଳୀ କାର୍ଯ୍ୟାନୁଷ୍ଠାନ ନିଆଯାନଥିବାରୁ ଆବେଦନକାରୀ ଜମ୍ମୁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶ ପରେ କ୍ରାଇମବ୍ରାଞ୍ଚ ଏକ 'ଷ୍ଟାଟସ୍ ରିପୋର୍ଟ' ଦାଖଲ କରିଥିଲା, ଯେଉଁଥିରେ କେବଳ ପ୍ରଶାସନିକ ସ୍ତରରେ ଫାଇଲ୍ ଏପଟ ସେପଟ ହେବା ବ୍ୟତୀତ ପ୍ରକୃତ ତଦନ୍ତର କୌଣସି ବିଶେଷ ସୂଚନା ନଥିଲା । ଆବେଦନକାରୀଙ୍କ ଓକିଲ ଯୁକ୍ତି ଦର୍ଶାଇଛନ୍ତି ଯେ, କ୍ରାଇମବ୍ରାଞ୍ଚ ନିଜେ ଏକ ସ୍ୱୀକୃତିପ୍ରାପ୍ତ ପୁଲିସ ଷ୍ଟେସନ ହୋଇଥିବା ବେଳେ ଏହା କେବଳ ଅନ୍ୟ ବିଭାଗକୁ ଚିଠି ଲେଖି ନିଜ ଦାୟିତ୍ୱରୁ ଓହରି ଯାଇପାରିବ ନାହିଁ । ପୁଲିସ ଭାରତୀୟ ନାଗରିକ ସୁରକ୍ଷା ସଂହିତା, ୨୦୨୩ ଅନୁଯାୟୀ ଏଫ୍ଆଇଆର୍ ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍ ।

ଏହି ସମ୍ପର୍କିତ ସିସିଟିଭି ଫୁଟେଜ୍, ଷ୍ଟକ୍ ରେଜିଷ୍ଟର, ପରୀକ୍ଷା ରିପୋର୍ଟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ସଂରକ୍ଷିତ ରଖିବା ପାଇଁ ପୁଲିସ କୌଣସି ପଦକ୍ଷେପ ନେଇନାହିଁ । ଆଗାମୀ ଶୁଣାଣି ଜୁଲାଇ ୨୯ରେ କୋର୍ଟ ସମସ୍ତ ଦଲିଲ୍ ଏବଂ ଯୁକ୍ତି ଶୁଣିବା ପରେ ମାମଲାକୁ ଗମ୍ଭୀରତାର ସହ ନେଇଛନ୍ତି । ଜୁଲାଇ ୨୯ ତାରିଖରେ ହେବାକୁ ଥିବା ପରବର୍ତ୍ତୀ ଶୁଣାଣିରେ କ୍ରାଇମବ୍ରାଞ୍ଚ ତଦନ୍ତକାରୀ ଅଧିକାରୀଙ୍କୁ ସମସ୍ତ ପ୍ରମାଣପତ୍ର ଓ ଆବଶ୍ୟକୀୟ ଦସ୍ତାବିଜ୍ ସହିତ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହେବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । କୋଟି କୋଟି ଭକ୍ତଙ୍କ ବିଶ୍ୱାସ ଏବଂ ଶ୍ରଦ୍ଧାର କେନ୍ଦ୍ରବିନ୍ଦୁ ମା' ବୈଷ୍ଣୋଦେବୀଙ୍କ ମନ୍ଦିରରେ ହୋଇଥିବା ଏହି ବଡ଼ ଧରଣର ଦୁର୍ନୀତିର ପେଡ଼ି ଏବେ କୋର୍ଟଙ୍କ ହସ୍ତକ୍ଷେପ ପରେ ଖୋଲିବାକୁ ଯାଉଛି ।