ନୂଆଦିଲ୍ଲୀ,୨୭/୯: ଲଗଣା ବର୍ଷା ଯୋଗୁଁ ଜମ୍ମୁ-କାଶ୍ମୀରରେ ସ୍ଥିତି ବେହାଲ । କଟରା ସ୍ଥିତ ମାତା ବୈଷ୍ଣୋଦେବୀ ଯାତ୍ରା ମାର୍ଗରେ ଭୂସ୍ଖଳନ ଯୋଗୁଁ ଅତିକମରେ ୩୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୩ ଜଣ ଗୁରୁତର ଆହତ ହୋଇଛନ୍ତି । ସେହିପରି ଅନେକ ସ୍ଥାନରେ ଭୂସ୍ଖଳନ ପରେ ମାଟି ଅତଡ଼ା ଖସିବା ଏବଂ ପଥର ଖସିବା କାରଣରୁ ଜମ୍ମୁ-କାଟରା ରାଜପଥ ବନ୍ଦ ହୋଇଯାଇଛି । ପ୍ରବଳ ବର୍ଷା ହେତୁ ଉତ୍ତର ରେଳବାଇ ବୁଧବାର ଦିନ ୨୨ଟି ଟ୍ରେନ୍ ବାତିଲ କରିଛି  । ସେହିପରି ୨୭ଟି ଟ୍ରେନକୁ ସର୍ଟ-ଟର୍ମିନେଟ୍ କରାଯାଇଛି । ଏଥିରେ ବୈଷ୍ଣୋ ଦେବୀ ବେସ୍ କ୍ୟାମ୍ପରୁ ଚାଲୁଥିବା ୯ଟି ଟ୍ରେନ୍ ମଧ୍ୟ ସାମିଲ ଅଛି।

ତେବେ ମଙ୍ଗଳବାର ଦିନ ସକାଳ ୧୧.୩୦ରୁ ସନ୍ଧ୍ୟା ୫.୩୦ ମଧ୍ୟରେ ଜମ୍ମୁରେ ୬ ଘଣ୍ଟାରେ ୨୨ ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇଛି । ଅଧା ରାତି ପରେ ବର୍ଷା କମିଯାଇଥିବାରୁ ଲୋକଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି । ବର୍ଷା ଯୋଗୁଁ ହୋଇଥିବା ବନ୍ୟା ଏବଂ ଜଳବନ୍ଦୀରୁ ୩,୫୦୦ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଜିଲ୍ଲା ପ୍ରଶାସନ, ଜେକେ ପୁଲିସ, ଏନଡିଆରଏଫ୍, ଏସଡିଆରଏଫ୍, ଭାରତୀୟ ସେନା ଏବଂ ସ୍ଥାନୀୟ ସ୍ୱେଚ୍ଛାସେବୀଙ୍କ ମିଳିତ ଦଳ ଦ୍ୱାରା ଉଦ୍ଧାର କାର୍ଯ୍ୟ ଚାଲୁ ରହିଛି । ପ୍ରଭାବିତ ଲୋକଙ୍କୁ ଅସ୍ଥାୟୀ ଆଶ୍ରୟସ୍ଥଳୀରେ ଖାଦ୍ୟ, ପାନୀୟ ଜଳ ଏବଂ ଡାକ୍ତରୀ ସହାୟତା ଯୋଗାଇ ଦିଆଯାଉଛି। ଅନେକ ଅଞ୍ଚଳରେ ଟେଲିକମ୍ ବ୍ଲାକଆଉଟ୍ ହୋଇଛି । ଯାହା ଫଳରେ ଲକ୍ଷ ଲକ୍ଷ ଲୋକ ଲୋକସମ୍ପର୍କରୁ ବିଚ୍ଛିନ୍ନ ହୋଇଯାଇଛନ୍ତି । ପ୍ରଶାସନ ଅଧିକ ବିପଦପୂର୍ଣ୍ଣ ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ସ୍ଥାନନ୍ତରଣ କରୁଛି । ବର୍ତ୍ତମାନ ଜମ୍ମୁ ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ଝଡ଼ ଏବଂ ବର୍ଷା ଜାରି ରହିଛି । 

ତେବେ ସବୁଠାରୁ ଅଧିକ ପ୍ରଭାବିତ ଅଞ୍ଚଳଗୁଡ଼ିକ ହେଉଛି - ଜମ୍ମୁ ସହର, ଆରଏସପୁରା, ସାମ୍ବା, ଅଖନୁର, ନଗରୋଟା, କୋଟ ଭଲୱାଲ, ବିଶ୍ନାହ, ବିଜୟପୁର, ପୁରମଣ୍ଡଳ, କାଠୁଆ ଏବଂ ଉଦ୍ଧମପୁର । ସେହିପରି ରିୟାସି, ରାମବାଣ, ଡୋଡା, ବିଲାୱାର, କାଟରା, ରାମନଗର, ହିରାନଗର, ଗୁଲ ଏବଂ ବନିହାଲରେ ସାମାନ୍ୟ ବର୍ଷା ହେଉଛି । ପ୍ରବଳ ବର୍ଷା ହେତୁ ଉତ୍ତର ରେଳବାଇ ବୁଧବାର ଦିନ ୨୨ଟି ଟ୍ରେନ୍ ବାତିଲ କରିଛି ଏବଂ ୨୭ଟି ଟ୍ରେନକୁ ସର୍ଟ-ଟର୍ମିନେଟ୍ କରାଯାଇଥିବା ବେଳେ କାଟରା, ଜମ୍ମୁ ଏବଂ ଉଦ୍ଧମପୁରରୁ ଚାଲୁଥିବା ଅନେକ ସର୍ଭିସ ପ୍ରଭାବିତ ହୋଇଛି, ଯେଉଁଥିରେ ବୈଷ୍ଣୋ ଦେବୀ ବେସ୍ କ୍ୟାମ୍ପରୁ ଚାଲୁଥିବା ୯ଟି ଟ୍ରେନ୍ ମଧ୍ୟ ସାମିଲ ଅଛି ।