ଫିରିଙ୍ଗିଆ, ୧୦/୭ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଡିଣ୍ଡିରା ଗାଁ ପଞ୍ଚାୟତ କୁଡୁକିଠାରେ ଥିବା ବସୁଧା ଜଳ ପ୍ରକଳ୍ପ ଗତ ୪ ତାରିଖଠାରୁ ଅଚଳ ହୋଇଛି । ଫଳରେ ୨ ଟି ୱାର୍ଡ଼ ୮ ଏବଂ ୯ର କୁଡୁକି, ଟେଲା ପାଲି, କୁଟି ପଦର, ଲଦା ପଦର ଭଳି ୪ରୁ ଊର୍ଦ୍ଧ୍ବ ଗାଁର ପ୍ରାୟ ୯୦ରୁ ଅଧିକ ଘର ଲୋକେ ପାଣି ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l

ସୂଚନା ଅନୁସାରେ ଚଳିତ ମାସ ୪ତାରିଖଠାରୁ ଏହି ପ୍ରକଳ୍ପ ଅଚଳ ହୋଇ ପଡ଼ିଥିବାବେଳେ ଆଜି ପର୍ଯ୍ୟନ୍ତ ତାହା ମରାମତି ନ ହେବାରୁ ପାଣି ପାଇପାରୁନାହାନ୍ତି l ବର୍ତ୍ତମାନ ବର୍ଷା ଲାଗି ରହିଥିବାବେଳେ ନଦୀ ନାଳ ସହ ଚୁଆମାନଙ୍କରେ ଗୋଳି ପାଣି ଆସୁଥିବାରୁ ଏହି ଗୋଳି ପାଣି ସମୂହ ଗ୍ରାମବାସୀ ପିଇବା ହେଉ କି ଅନ୍ୟାନ୍ୟ ଆବଶ୍ୟକୀୟ ପାଇଁ ବ୍ୟବହାର କରୁଛନ୍ତି l ସେହିଭଳି ଅନ୍ୟାନ୍ୟ କୌଣସି ପାଣି ବ୍ୟବସ୍ଥା ନ ଥିବାରୁ ଏହି ବସୁଧା ଜଳ ଅମଳ ପ୍ରକଳ୍ପ ଏକ ମାତ୍ର ଭରସା ହୋଇଥିବାବେଳେ ତୁରନ୍ତ ଏହି ପ୍ରକଳ୍ପର ମରାମତି ସହ ପାଣି ଯୋଗାଇବା ଆବଶ୍ୟକ ହୋଇ ପଡିଛି l ତୁରନ୍ତ ଏହି ବସୁଧା ଜଳ ଅମଳ ପ୍ରକଳ୍ପ ମରାମତି ସହ ପାଣି ଯୋଗାଇବାକୁ ଟେଲାପାଲୀ, କୁଡୁକି, ଲଦା ପଦର, କୁଟି ପଦର ଗ୍ରାମବାସୀ ଦାବି କରିଛନ୍ତି l ପମ୍ପ ଚାଳକ ସୀତାରାମ କହଁରଙ୍କୁ ପଚାରିବାରୁ ପ୍ରକଳ୍ପର ମେସିନ ଖରାପ ଅଛି ବୋଲି କହିଛନ୍ତି l ଅନ୍ୟପଟେ ଏହି ଘଟଣାରେ ଦାୟିତ୍ୱରେ ଥିବା ଆର ଡବ୍ଲୁ ଏସଏସ ଏକଜୁନର ଅଜିତ କୁମାର ବେହେରାଙ୍କୁ ପଚାରିବାରୁ ମୋ ପାଖକୁ କୌଣସି ଅଭିଯୋଗ ଆସିନାହିଁ । ତୁରନ୍ତ ପ୍ରକଳ୍ପ ମରାମତି ସହ ସେହି ଅଞ୍ଚଳବାସୀଙ୍କୁ ପାଣି ଯୋଗାଇବାକୁ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି l