• ଲୋକସଭାରେ ‘ଭିବି-ଜି ରାମ୍ ଜି ବିଲ୍’ ପାସ୍ 
  • ବିରୋଧିଙ୍କ ପ୍ରବଳ ହଙ୍ଗାମା ପରେ ଧ୍ବନୀମତରେ ଗୃହୀତ
  • ମହାତ୍ମା ଗାନ୍ଧୀଙ୍କ ଅପମାନ ଅଭିଯୋଗ ଆଣିଲେ ବିରୋଧି
  • ଶିବରାଜ କହିଲେ- ନିର୍ବାଚନ ପାଇଁ ଗାନ୍ଧୀଙ୍କ ନାଁ ବ୍ୟବହାର କରିଥିଲା କଂଗ୍ରେସ

ନୂଆଦିଲ୍ଲୀ,୧୮।୧୨: ବିରୋଧିଙ୍କ ପ୍ରବଳ ହଙ୍ଗାମା ଭିତରେ ଲୋକସଭାରେ ଗୁରୁବାର ପାସ୍ ହୋଇଛି ବିକଶିତ ଭାରତ ଗ୍ୟାରେଣ୍ଟି ଫର ରୋଜଗାର ଆଣ୍ଡ ଆଜୀବିକା ମିଶନ୍ (ଗ୍ରାମୀଣ) ବା ‘ଭିବି ଜି-ରାମ-ଜି’ ବିଲ୍ ୨୦୨୫ । ଆଲୋଚନାରେ ୯୯ ଜଣ ସଦସ୍ୟ ଅଂଶଗ୍ରହଣ କରିଥିଲେ। ଏହି ପ୍ରସ୍ତାବିତ ଆଇନ ୨୦ ବର୍ଷ ପୁରୁଣା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆଇନ (MGNREGA)ର ସ୍ଥାନ ନେଇଛି। ଏହାକୁ ନେଇ ବିରୋଧି ସାଂସଦଙ୍କ ପକ୍ଷରୁ ହୋଇଥିଲା ଜୋରଦାର ହଙ୍ଗାମା। ବିରୋଧି ସରକାରଙ୍କ ଉପରେ ମହାତ୍ମା ଗାନ୍ଧୀଙ୍କ ଅପମାନ କରିବା ଓ ମହାତ୍ମା ଗାନ୍ଧୀ ରାଷ୍ଟ୍ରୀୟ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ନିୟମ(ମନରେଗା)ର ବ୍ୟବସ୍ଥାକୁ ଦୁର୍ବଳ କରିବା ନେଇ ଅଭିଯୋଗ କରିଛି।

କେନ୍ଦ୍ର କୃଷି ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ବିଲ୍ ଉପସ୍ଥାନିତ କରିଥିଲେ। ଗୃହରେ ବିଲ୍‌ ଉପରେ ଆଲୋଚନା ପରେ ଏହା ଧ୍ବନୀମତରେ ଗୃହୀତ ହୋଇଛି। ବିଲ୍ ପାସ୍ ହେବା ମାତ୍ରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ମଧ୍ୟାହ୍ନ ୧ଟା ୭ ମିନିଟ୍‌ରେ ଗୃହକୁ ଶୁକ୍ରବାର ସକାଳ ୧୧ ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। ଲୋକସଭା ବାଚସ୍ପତି ଓମ୍ ବିର୍ଲା ଗୁରୁବାର ବିରୋଧୀଙ୍କ ପକ୍ଷରୁ 'ବିକଶିତ ଭାରତ-ଜୀ ରାମ ଜୀ ବିଲ୍, ୨୦୨୫'କୁ ଆଲୋଚନା ପାଇଁ ସଂସଦୀୟ କମିଟିକୁ ପଠାଇବା ଦାବିକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏହାପରେ ବିରୋଧି ସାଂସଦଙ୍କ ପକ୍ଷରୁ ହୋଇଥିଲା ଜୋରଦାର ହଙ୍ଗାମା। ବିରୋଧି ସରକାରଙ୍କ ଉପରେ ମହାତ୍ମା ଗାନ୍ଧୀଙ୍କ ଅପମାନ କରିବା ଓ ମହାତ୍ମା ଗାନ୍ଧୀ ରାଷ୍ଟ୍ରୀୟ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ନିୟମ(ମନରେଗା)ର ବ୍ୟବସ୍ଥାକୁ ଦୁର୍ବଳ କରିବା ନେଇ ଅଭିଯୋଗ କରିଛି। ଏହି ସମୟରେ, ବିରୋଧୀ ଦଳ ସାଂସଦମାନେ ବିଲ୍ ବିରୋଧରେ ସ୍ଲୋଗାନ ଦେଇଥିଲେ। ବିରୋଧୀ ସଂସଦର ଭେଲ୍ ଭିତରକୁ ପଶି କାଗଜ ଫିଙ୍ଗିଥିଲେ। କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏହା ଉପରେ ପ୍ରତିକ୍ରିୟା ଦେଇଥିଲେ। କହିଥିଲେ ‘ମନରେଗା’ ମୂଳତଃ ମହାତ୍ମା ଗାନ୍ଧୀଙ୍କ ନାମରେ ନାମିତ ହୋଇନଥିଲା। ଏହା ପ୍ରଥମେ NREGA ଥିଲା। ପରେ, ଯେତେବେଳେ ୨୦୦୯ ନିର୍ବାଚନ ଆସିଲା, ନିର୍ବାଚନ ଏବଂ ଭୋଟ ପାଇଁ ମହାତ୍ମା ଗାନ୍ଧୀଙ୍କୁ ମନେ ପକାଇଲେ। ତା'ପରେ ମହାତ୍ମା ଗାନ୍ଧୀଙ୍କ ନାଁକୁ ଏଥିରେ ଯୋଡାଗଲା।

ପ୍ରବଳ ବିରୋଧ ପରେ ବି ‘ଭିବି-ଜି ରାମ୍ ଜି ବିଲ୍’ ଗୃହରେ ଧ୍ବନୀ ମତରେ ପାସ୍ ହୋଇଛି। ଏହା ପୂର୍ବରୁ, ବିରୋଧୀ ଦଳ ବିଲ୍ ବିରୋଧରେ ସଂସଦ ପରିସରରେ ଏକ ଶୋଭାଯାତ୍ରା ଆୟୋଜନ କରିଥିଲେ। ୫୦ରୁ ଅଧିକ ବିରୋଧୀ ସାଂସଦ ପଦଯାତ୍ରାରେ ଅଂଶଗ୍ରହଣ କରିଥିଲେ ଏବଂ VB-G-RAM-G ବିଲ୍ ପ୍ରତ୍ୟାହାର ଦାବି କରି ସ୍ଲୋଗାନ ଦେଇଥିଲେ। ଏହା ପୂର୍ବରୁ ବୁଧବାର ଲୋକସଭାରେ ଭିବି-ଜି ରାମ୍ ଜି ବିଲ୍ ଉପରେ ୧୪ ଘଣ୍ଟା ଚର୍ଚ୍ଚା ହୋଇଥିଲା। ବୁଧବାର ବିଲ୍ ଉପରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଆଲୋଚନା ପରେ, ଯେତେବେଳେ ବାଚସ୍ପତି ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ଆଲୋଚନାର ଉତ୍ତର ଦେବା ପାଇଁ ନିଯୁକ୍ତ କଲେ, କଂଗ୍ରେସ ସାଂସଦ କେସି ଭେନୁଗୋପାଳ ବିଲ୍ କୁ ସଂସଦୀୟ ସ୍ଥାୟୀ କମିଟି କିମ୍ବା ଯୁଗ୍ମ କମିଟି (ଜେପିସି) ନିକଟକୁ ପଠାଇବାକୁ ଦାବି କରିଥିଲେ। ସେ କହିଲେ,’ଏହା ସମଗ୍ର ଗୃହର ଭାବନା। ସରକାର ଏହାକୁ ସଂସଦୀୟ କମିଟିକୁ ପଠାଇବା ଉଚିତ। ଆମେ ସହଯୋଗ କରିବାକୁ ପ୍ରସ୍ତୁତ।’ ବିର୍ଲା କହିଥିଲେ ବିଲ୍ ଉପରେ ୯୯ ଜଣ ସାଂସଦ ତାଙ୍କର ମତାମତ ପ୍ରକାଶ କରିଛନ୍ତି। ଆଲୋଚନା ରାତି ପର୍ଯ୍ୟନ୍ତ ଚାଲିଥିଲା। ସମସ୍ତ ଦଳର ସଦସ୍ୟମାନେ ସେମାନଙ୍କର ମତାମତ ପ୍ରକାଶ କରିଥିଲେ। ବିରୋଧୀଙ୍କ ଅନୁରୋଧରେ ମୁଁ ଆଲୋଚନା ସମୟ ବୃଦ୍ଧି କରିଥିଲି। ଏହି ଉପାୟରେ ପ୍ରତିବାଦ କରିବା ଠିକ୍ ନୁହେଁ।’