ଶ୍ରୀକାକୁଲମ୍,୧।୧୧: ଆନ୍ଧ୍ରପ୍ରଦେଶର ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିର ଦଳାଚକଟା ଘଟଣାରେ ମୃତକଙ୍କ ସଂଖ୍ୟା ବଢିଛି। ଆଗକୁ ମଧ୍ୟ ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏପର୍ଯ୍ୟନ୍ତ ୧୦ ଜଣଙ୍କର ମୃତ୍ୟୁ ହୋଇସାରିଛି। ତେବେ ପ୍ରଶ୍ନ ଉଠୁଛି ଏହି ଅଘଟଣ ପାଇଁ ଦାୟୀ କିଏ ? କାହିଁକି ଏଭଳି ଘଟଣା ଘଟିଲା ? ଭିଡ ପରିଚାଳନା ପାଇଁ କିଭଳି ପରିଚାଳନା କରାଯାଇଥିଲା ? ଘଟଣା ପରେ ଯେଉଁ ତଥ୍ୟ ଆସିଛି, ସେଥିରୁ ଜଣାପଡିଛି ଏଭଳି ଅଘଟଣ ପାଇଁ ଅନେକ ପ୍ରକାର ସ୍ଥିତି ଦାୟୀ। କାର୍ତ୍ତିକ ମାସ ଏକାଦଶୀରେ ଦର୍ଶନ ପାଇଁ ବହୁ ସଂଖ୍ୟାରେ ଲୋକ ଏକାଠି ହୋଇଥିଲେ। ହଠାତ ଘଟିଥିଲା ଠେଲାପେଲା ଓ ଦଳାଚକଟା। ମୃତକଙ୍କ ମଧ୍ୟରେ ମହିଳା, ବୃଦ୍ଧ ଏବଂ କିଛି ଯୁବକ ଅଛନ୍ତି। ତଦନ୍ତରୁ ଜଣାପଡିଛି, ପ୍ରବେଶ ଏବଂ ପ୍ରସ୍ଥାନ ପାଇଁ କେବଳ ଗୋଟିଏ ବାଟ ଥିଲା। ତା ଛଡା କୌଣସି ପ୍ରକାର ଅନୁମତି ନନେଇ ଏତେ ସଂଖ୍ୟାକ ଲୋକ ଭିଡ ଜମାଇଥିଲେ। ଦୁର୍ଘଟଣାସ୍ଥଳରେ ନିର୍ମାଣ କାର୍ଯ୍ୟ ଚାଲୁଥିବାରୁ ସ୍ଥିତି ଆହୁରି ଖରାପ ହୋଇ ଯାଇଥିଲା।

ତଦନ୍ତରୁ ଜଣାପଡିଛି ଯେ ମନ୍ଦିର ପରିଚାଳନା କିମ୍ବା ଆୟୋଜକମାନେ ଏହି କାର୍ଯ୍ୟକ୍ରମ ପାଇଁ ରାଜ୍ୟ ସରକାର କିମ୍ବା ସ୍ଥାନୀୟ ପ୍ରଶାସନଠାରୁ କୌଣସି ଅନୁମତି ନେଇ ନଥିଲେ। ମନ୍ଦିରଟି ବ୍ୟକ୍ତିଗତ ଭାବରେ ପରିଚାଳିତ ଏବଂ ଏଣ୍ଡାଓମେଣ୍ଟସ୍ ଡିପାର୍ଟମେଣ୍ଟ (ଦେବତ୍ତୋର ବିଭାଗ) ଅଧୀନରେ ଆସୁନାହିଁ। ଏହି କାର୍ଯ୍ୟକ୍ରମ ବିଷୟରେ ସରକାର କିମ୍ବା ଜିଲ୍ଲା ପ୍ରଶାସନକୁ ସୂଚନା ଦିଆଯାଇ ନଥିଲା। କୌଣସି ଭିଡ଼ ପରିଚାଳନା ଯୋଜନା କରାଯାଇ ନଥିଲା। ପୋଲିସ ଫୋର୍ସ, ଡାକ୍ତରୀ ଦଳ କିମ୍ବା ଜରୁରୀକାଳୀନ ସେବାକୁ ମଧ୍ୟ ପୂର୍ବରୁ ସତର୍କ କରାଯାଇ ନଥିଲା।

ଯେଉଁଠାରେ ଭକ୍ତମାନଙ୍କର ପ୍ରବଳ ଭିଡ଼ ଏକତ୍ରିତ ହୋଇଥିଲା, ସେହି ସ୍ଥାନରେ ନିର୍ମାଣ କାର୍ଯ୍ୟ ଚାଲୁଥିଲା। ସେଠାରେ କାଦୁଅ, ପଥର, ଗାତ ଏବଂ ଲୁହା ରଡ୍ ଖୋଲା ଅବସ୍ଥାରେ ଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ଲୋକମାନେ ଦର୍ଶନ ପାଇଁ ଆଗକୁ ବଢ଼ୁଥିବା ସମୟରେ ସେତେବେଳେ କାହାର ଗୋଡ ଖସି ତଳେ ପଡିଯାଇଥିଲେ  , ଫଳରେ ଆଉ କିଛି ଲୋକ ପଡ଼ିଗଲେ ଏବଂ ପଛରେ ଆସୁଥିବା ଭିଡ଼ ଅନିୟନ୍ତ୍ରିତ ହୋଇଯାଇଥିଲେ। ନିର୍ମାଣ କାର୍ଯ୍ୟର ଭଗ୍ନାବଶେଷ ଏବଂ ସଂକୀର୍ଣ୍ଣ ପଥ ଦଳାଚକଟାର ଏକ ପ୍ରମୁଖ କାରଣ ଥିଲା। ଏହି ଦୁର୍ଘଟଣାର ସବୁଠାରୁ ବଡ଼ କାରଣ ଥିଲା ଏଣ୍ଟ୍ରି-ଏଗଜିଟ୍ ବା ପ୍ରବେଶ-ପ୍ରସ୍ଥାନ ଗେଟ୍‌ ଗୋଟିଏ ଥିଲା। ଶ୍ରଦ୍ଧାଳୁଙ୍କ ଯିବା ଆସିବା ଗୋଟିଏ ବାଟରେ ହିଁ ଚାଲିଥିଲା। ବ୍ୟାରିକେଡ୍ କିମ୍ବା ଭିଡ ନିୟନ୍ତ୍ରଣ ପାଇଁ କୌଣସି ସୁରକ୍ଷାକର୍ମୀ ନଥିଲେ। ଫଳରେ ଅଧିକ ଭୟାବହ ସ୍ଥିତି ସୃଷ୍ଠି ହୋଇଥିଲା। ମାତ୍ର କିଛି ମିନିଟ୍ ଭିତରେ ଏତେ ସଂଖ୍ୟକ ଲୋକଙ୍କ ଜୀବନ ଚାଲିଯାଇଥିଲା।