PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଏକାଧିକ କିଓସ୍କୋରେ ନାହିଁ ଇଣ୍ଟରନେଟ୍, ହେଉନି ବ୍ୟବହାର… ଖତ ଖାଉଛି ଡିଜିଟାଲ୍ କିଓସ୍କୋ
  • ||
  • ଭୁବନେଶ୍ଵର : ନନ୍ଦନକାନନକୁ ଆସିବେ ନୂଆ ଅତିଥି, ଯିବେ ୨ ବାଘ ଆସିବେ ହୁଲୁକ ଗିବନ
  • ||

ଆରପାରିରେ ଫିଲ୍ମ ନିର୍ମାତା ଚକ୍ରଧର

ଭୁବନେଶ୍ୱର,୬/୨: ଜଣାଶୁଣା ଓଡ଼ିଆ ସିନେମା ନିର୍ମାତା-ନିର୍ଦ୍ଦେଶକ ତଥା ସଂପାଦକ ଚକ୍ରଧର ସାହୁଙ୍କର ବୁଧବାର ସକାଳେ ଫୁସଫୁସ୍ ଜନିତ ରୋଗରେ ପରଲୋକ ଘଟିଛି। ‘ନୀଳମାଷ୍ଟ୍ରାଣୀ’, ‘ତୁମକୁ ତ ପାରୁନି ତ ଭୁଲି’, ‘କେବେ ତୁମେ ନାହଁ, କେବେ ମୁଁ ନାହିଁ ’ ଓ ‘ମୀମାଂସା’ ପରି ଚର୍ଚ୍ଚିତ ସିନେମାର ନିର୍ଦ୍ଦେଶକ ଚକ୍ରଧର ସାହୁଙ୍କ ପରଲୋକରେ ସିନେଜଗତ ସହିତ ବୁଦ୍ଧିଜୀବୀ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି। ଅସୁସ୍ଥତା ହେତୁ ସେ  ଗତ ୧୫ ଦିନ ଧରି ଭୁବନେଶ୍ୱର ଆମ୍ରି ହସ୍ପିଟାଲ ଚିକିତ୍ସିତ ହେଉଥିଲେ। ପରେ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବର ଏମସ୍ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳ ୫ଟା ୪୫ ମିନିଟ୍‌ରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତ୍ୟୁ  ବେଳକୁ ତାଙ୍କୁ ୫୯ ବର୍ଷ ହୋଇଥିଲା। ଶେଷ ଦର୍ଶନ ଲାଗି ମରଶରୀରକୁ ତାଙ୍କ ଭୁବନେଶ୍ୱର  ନୂଆପଲ୍ଲୀସ୍ଥିତ ବାସଭବନରେ ରଖାଯାଇଛି। ସତ୍ୟନଗର ଶ୍ମଶାନରେ ସ୍ବର୍ଗତଃ ସାହୁଙ୍କର ଦାହସଂସ୍କାର କରାଯିବ ବୋଲି ପରିବାର ସୂତ୍ରରୁ ପ୍ରକାଶ। ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ରେ ଜନ୍ମିତ ଶ୍ରୀ ସାହୁ ପୁନେ ଫିଲ୍ମ୍‌ ଇନଷ୍ଟିଚ୍ୟୁଟ୍‌ରୁ ଫିଲ୍ମ ଏଡିଟିଂରେ ଡିପ୍ଲୋମା କରିଥିଲେ। ଶ୍ରୀ ସାହୁ କିଛି ଦିନ ମୁମ୍ବାଇରେ କାର୍ଯ୍ୟ କରିବା ପରେ ଓଡ଼ିଶା ଆସିଥିଲେ। ପ୍ରସିଦ୍ଧ ହିନ୍ଦୀ ସିନେମା ନିର୍ଦ୍ଦେଶକ ଶ୍ୟାମ ବୋନଗାଲଙ୍କ ସହକାରୀ ଭାବେ ମଧ୍ୟ ସେ କାର୍ଯ୍ୟ କରିଥିଲେ। ପୁନେ ଫିଲ୍ମ ଇନଷ୍ଟିଚ୍ୟୁଟରେ ପଢ଼ିବା ବେଳେ ରାଜକୁମାର ହିରାନୀ, ସଞ୍ଜୟ ଲୀଳା ଭଂସାଲିଙ୍କ ପରି ନିର୍ଦ୍ଦେଶକ ଶ୍ରୀ ସାହୁଙ୍କର ସହପାଠୀ ଥିଲେ। ଦୂରଦର୍ଶନରେ ପ୍ରସାରିତ ଶ୍ୟାମ ବୋନଗାଲଙ୍କ ନିର୍ଦ୍ଦେଶିତ ଧାରାବାହିକ ‘ଭାରତ ଏକ ଖୋଜ’ରେ ସହକାରୀ ସଂପାଦକ ଭାବେ କାର୍ଯ୍ୟ କରିଥିଲେ ସେ। ଶ୍ରୀ ସାହୁ ଓଡ଼ିଶା ଫେରି ‘ନୀଳ ମାଷ୍ଟ୍ରାଣୀ’ ଚଳଚ୍ଚିତ୍ର ନିର୍ମାଣ କରିଥିଲେ। ଏହି ଚଳଚ୍ଚିତ୍ର ଲାଗି ତାଙ୍କୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା।  ପରେ ଏକ ଗଣମାଧ୍ୟମର ମୁଖ୍ୟ ଭାବେ ସେ କିଛି ଦିନ କାର୍ଯ୍ୟ କରିଥିଲେ।  ସେ ପୁଣି ନିର୍ଦ୍ଦେଶନା କ୍ଷେତ୍ରକୁ ଫେରି ‘ତୁମକୁ ପାରୁନି ତ ଭୁଲି’, ‘ମୀମାଂସା’ ସିନେମା ନିର୍ମାଣ କରିଥିଲେ।