ମୁମ୍ବାଇ,୧୩/୦୭:ଆଉ ନାହାନ୍ତି ତେଲୁଗୁ ଚଳଚ୍ଚିତ୍ର ଅଭିନେତା ତଥା ପୂର୍ବତନ ବିଜେପି ବିଧାୟକ କୋଟା ଶ୍ରୀନିବାସ ରାଓ। ୮୩ ବର୍ଷ ବୟସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ବେଳେ ତାଙ୍କର ହାଇଦ୍ରାବାଦର ଜୁବୁଲି ହିଲ୍ସର ଫିଲ୍ମନଗରସ୍ଥିତ ବାସଭବନରେ ପରଲୋକ ଘଟିଛି।
ଆନ୍ଧ୍ରପ୍ରଦେଶର କୃଷ୍ଣା ଜିଲ୍ଲାର କାଙ୍କିପାଡୁରେ ଜନ୍ମଗ୍ରହଣ କରିଥିବା ଶ୍ରୀ ରାଓ ୧୯୭୮ ମସିହାରେ 'ପ୍ରଣମ ଖାରେଧୂ' ଚଳଚ୍ଚିତ୍ର ମାଧ୍ୟମରେ ଡେବ୍ୟୁ କରିଥିଲେ। ଚାରି ଦଶନ୍ଧିରୁ ଅଧିକ ସମୟ ଧରି ତାଙ୍କ କ୍ୟାରିଅରରେ ସେ ତେଲୁଗୁ, ତାମିଲ, କନ୍ନଡ ଏବଂ ହିନ୍ଦୀ ଭାଷାରେ ୭୫୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ।ବିଶେଷକରି ଖଳନାୟକ ଭୂମିକାରେ ତାଙ୍କର ଅଭିନୟ ପାଇଁ ପ୍ରସିଦ୍ଧି ଅର୍ଜନ କରିଥିଲେ। ତେବେ ସେ ଅନେକ ପୁରସ୍କାରର ଅଧିକାରୀ ହୋଇଥିଲେ, ଯେଉଁଥିରେ ଭାରତୀୟ ସିନେମାରେ ତାଙ୍କର ଅପୂର୍ବ ଅବଦାନ ପାଇଁ ୨୦୧୫ରେ ପଦ୍ମଶ୍ରୀ ଏବଂ ନଅଟି ନନ୍ଦୀ ପୁରସ୍କାର ପାଇଥିଲେ। ତାଙ୍କ ଅଭିନୟ କ୍ୟାରିୟର ବ୍ୟତୀତ, ସେ ୧୯୯୯ ରୁ ୨୦୦୪ ପର୍ଯ୍ୟନ୍ତ ବିଜୟୱାଡା ପୂର୍ବ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ଏହି କିମ୍ବଦନ୍ତୀ ଅଭିନେତାଙ୍କ ବିୟୋଗରେ ତେଲୁଗୁ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି ।