ବିଧାନସଭା କଡ଼ା ଟକ୍କର; ଅଳ୍ପକେ ଜିତିଲେ ୨୯ଜଣ ବିଧାୟକ

ଭୁବନେଶ୍ୱର,୨୪ା୫(ବ୍ୟୁରୋ): ଓଡ଼ିଶା ବିଧାନସଭା ନିର୍ବାଚନରେ ପ୍ରାର୍ଥୀଙ୍କ ଭିତରେ ଦେଖିବାକୁ ମିଳିଥିଲା କଡ଼ା ମୁକାବିଲା । ନବନିର୍ବାଚିତ ୨୯ ଜଣ ବିଧାୟକ ଅଳ୍ପକେ ଜିତିଛନ୍ତି । ନିକଟ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ଏମାନଙ୍କ ବିଜୟୀ ଭୋଟ୍ର ବ୍ୟବଧାନ ୫,୦୦୦ରୁ କମ୍ ରହିଛି । ସେହିପରି ଏହି କମ୍ ଭୋଟ୍ ବ୍ୟବଧାନ ବିଜେଡି ହେଭିୱେଟ୍ ସଞ୍ଜୟ ଦାସବର୍ମା, ଦେବାଶିଷ ସାମନ୍ତରାୟ, ଲାଲ୍ ବିହାରୀ ହିମିରିକା ଓ ମହେଶ୍ୱର ମହାନ୍ତିଙ୍କ ମୁଣ୍ଡ ଗଡ଼ାଇଛି ।
ସ୍ୱଳ୍ପ ଭୋଟ୍ରେ ବିଜୟ ସ୍ୱାଦ ଚାଖିଥିବା ୨୯ ବିଧାୟକଙ୍କ ମଧ୍ୟରୁ ୪ ଜଣ ପ୍ରାର୍ଥୀଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କ ଭୋଟ୍ ବ୍ୟବଧାନ ୧,୦୦୦ରୁ କମ୍ । କଣ୍ଟାବାଞ୍ଜିରୁ କଂଗ୍ରେସ ବିଧାୟକ ହୋଇଥିବା ସନ୍ତୋଷ ସିଂହ ସାଲୁଜା ସର୍ବନିମ୍ନ ୧୨୮ଟି ଭୋଟ୍ରେ ବିଜୟୀ ହୋଇଛନ୍ତି । ସେ ନିକଟ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗଙ୍କୁ ପରାସ୍ତ କରିଛନ୍ତି ।
ଲକ୍ଷ୍ମୀପୁର ବିଧାନସଭା ଆସନରୁ ବିଜୟୀ ହୋଇଥିବା ବିଜେଡି ପ୍ରାର୍ଥୀ ପ୍ରଭୁ ଜାନି ୨୨୯ ଖଣ୍ଡ ଭୋଟ୍ରେ କଂଗ୍ରେସ ପ୍ରାର୍ଥୀ କୈଳାସ ଚନ୍ଦ୍ର କୁଲେସିକାଙ୍କୁ ହରାଇଛନ୍ତି । ପରଜଙ୍ଗ ବିଧାନସଭା ଆସନକୁ ପୁଣି ଥରେ ନିଜ ଦଖଲକୁ ନେଇଥିବା ବିଜେଡି ପ୍ରାର୍ଥୀ ନୃସିଂହ ଚରଣ ସାହୁଙ୍କୁ ଏଥର ବିଜେପି ପ୍ରାର୍ଥୀ ବିଭୂତି ଭୂଷଣ ପ୍ରଧାନଙ୍କୁ କଡ଼ା ଟକ୍କର ଦେବାକୁ ପଡ଼ିଥିଲା । ଶ୍ରୀ ପ୍ରଧାନଙ୍କଠାରୁ ୭୪୦ ଖଣ୍ଡ ଭୋଟ୍ରେ ଆଗରେ ରହି ନୃସିଂହ ବିଜୟୀ ହୋଇଥିଲେ । ଏପଟେ ରାଜଗାଙ୍ଗପୁରର କଂଗ୍ରେସ ପ୍ରାର୍ଥୀ ସି ଏସ୍ ରାଜେନ ଏକ୍କା ମଧ୍ୟ ମାତ୍ର ୯୪୬ ଖଣ୍ଡ ଭୋଟ୍ରେ ପ୍ରତିଦ୍ୱନ୍ଦ୍ୱୀ ବିଜେଡି ପ୍ରାର୍ଥୀ ମଙ୍ଗଳ କିଷାନଙ୍କୁ ପରାସ୍ତ କରିଛନ୍ତି ।
ବିଧାନସଭା ଆସନରେ ଅନ୍ୟ ୨୫ ଜଣ ପ୍ରାର୍ଥୀ ୧,୦୦୦ରୁ ୫,୦୦୦ ଭୋଟ୍ ବ୍ୟବଧାନରେ ବିଜୟର ସ୍ୱାଦ ଚାଖିଛନ୍ତି । ଏପରିକି ଏ ଅଳ୍ପ ଭୋଟ୍ରେ ବହୁ ହେଭିୱେଟ୍ ଏଥର ଚିତ୍ପଟାଙ୍ଗ ମାରିଛନ୍ତି । ବାରବାଟୀ-କଟକ ବିଧାନସଭା ଆସନର ବିଜେଡି ହେଭିୱେଟ୍ ଦେବାଶିଷ ସାମନ୍ତରାୟଙ୍କୁ ୩,୮୨୭ ଖଣ୍ଡ ଭୋଟ୍ରେ ହରାଇଛନ୍ତି କଂଗ୍ରେସ ହେଭିୱେଟ୍ ମହମ୍ମଦ ମୋକିମ୍ । ରାୟଗଡ଼ା ଆସନରେ ସ୍ୱାଧୀନ ପ୍ରାର୍ଥୀ ମକରନ୍ଦ ମୁଦୁଲି ୪,୮୭୦ ଭୋଟ୍ରେ ଜିତିଛନ୍ତି । ସେ ବିଜେଡିର ହେଭିୱେଟ୍ ଲାଲ୍ବିହାରୀ ହିମିରିକାଙ୍କୁ ପରାସ୍ତ କରିଛନ୍ତି ।
ବ୍ରହ୍ମଗିରି ଆସନକୁ ଲଗାତର ଦଖଲରେ ରଖିଥିବା ବିଜେଡି ହେଭିୱେଟ୍ ସଞ୍ଜୟ ଦାସବର୍ମା ଏଥର ଅଳ୍ପ କେଇଟା ଭୋଟ୍ରେ ପରାଜୟ ହୋଇଛନ୍ତି । ଶ୍ରୀ ଦାସବର୍ମାଙ୍କୁ ମାତ୍ର ୨,୧୩୦ଟି ଭୋଟ୍ରେ ବିଜେପି ପ୍ରାର୍ଥୀ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ମାତ୍ ଦେଇଛନ୍ତି । ପୁରୀ ଆସନକୁ ୨୫ ବର୍ଷ ଧରି ଦଖଲରେ ରଖିଥିବା ମହେଶ୍ୱର ମହାନ୍ତିଙ୍କୁ ବିଜେପିର ନବାଗତ ପ୍ରାର୍ଥୀ ଜୟନ୍ତ କୁମାର ଷଡ଼ଙ୍ଗୀ ୪,୦୦୮ଟି ଭୋଟ୍ରେ ପରାସ୍ତ କରିଛନ୍ତି ।
ଏହାବ୍ୟତୀତ ବଡ଼ଚଣା, ବରି, ଭବାନୀପାଟଣା, ଚିତ୍ରକୋଣ୍ଡା, ଧାମନଗର, ଗୋପାଳପୁର, କଣ୍ଟାମାଳ, କେନ୍ଦୁଝର, ଖରିଆର, କୋଟପାଡ଼, କୁଚିଣ୍ଡା, ମୋହନା, ନୀଳଗିରି, ପଟାଙ୍ଗୀ, ରଘୁନାଥପଲ୍ଲୀ, ରାଇରଙ୍ଗପୁର, ରଣପୁର, ରେମୁଣା, ସମ୍ବଲପୁର, ସୋରୋ ଓ ଉଦଳା ବିଧାନସଭା ଆସନରେ ବିଜୟୀ ପ୍ରାର୍ଥୀମାନେ ନିଜ ନିକଟ ପ୍ରତିଦ୍ୱନ୍ଦ୍ୱୀଙ୍କ ନିକଟରୁ ମାତ୍ର ୫,୦୦୦ରୁ କମ୍ ଭୋଟ୍ ବ୍ୟବଧାନରେ ଆଗରେ ରହିଛନ୍ତି ।