ଚାକିରି ସରକାରୀ । ହେଲେ ଦରମା ଗଣ୍ଡାକରେ ମନ ସନ୍ତୁଷ୍ଟ ନାହିଁ । ଉପୁରି କମେଇ ଉପରେ ନଜର । ବିନା ଲାଞ୍ଚରେ ଫାଇଲ ଗଡେନି । ଅଧର୍ମ ବିତ୍ତ ବଢ଼େ ବହୁତ, ଗଲାବେଳେ ଯାଏ ମୂଳ ସହିତ ନ୍ୟାୟରେ ଅସଦ୍ ଉପାୟରେ ସଞ୍ଚିଥିବା ଧନତକ ଯାଇଛି । ଲୋକଙ୍କଠୁ ଲାଞ୍ଚ ନେବାବେଳେ ଧରାପଡ଼ି ହଟହଟା ହେବାକୁ ପଡ଼ିଛି ଅନେକ ସରକାରୀ ବାବୁଙ୍କୁ । ଶେଷରେ ନିଜ କାର୍ଯ୍ୟକାଳ ମଧ୍ୟରେ ଅର୍ଜିଥିବା ସମ୍ମାନ ଟିକକ ବି ହରାଇବାକୁ ପଡ଼ିଛି । ୨୦୨୫ବର୍ଷରେ ଭିଜିଲାନ୍ସ ପଞ୍ଝାରେ ପଡ଼ିଥିବା ଏଭଳି କେତେକ କୁବେର ବାବୁଙ୍କ ସମ୍ପର୍କରେ ଏକ ଫ୍ଲାସବ୍ୟାକ ।
ଭିଜିଲାନ୍ସ ପଞ୍ଝାରେ ଆଇଏଏସ ଧୀମନ ଚକମା
ଭବାନୀପାଟଣା: ରାଜ୍ୟର ବହୁ ଚର୍ଚ୍ଚିତ ଭିଜିଲାନ୍ସ ମାମଲାରେ ଏବର୍ଷ ବହୁତ ଚର୍ଚ୍ଚାରେ ଥିଲା କଳାହାଣ୍ଡି ଜିଲ୍ଲା ଧର୍ମଗଡ ଉପଜିଲ୍ଲାପାଳ ତଥା ଆଇଏଏସ ଧିମାନ ଚକମା ଧରାପଡ଼ିବା ଘଟଣା । ତାଙ୍କ ଜାମିନ ନାମଞ୍ଜୁର ହେବା ସହ ଜେଲ ଯିବାକୁ ପଡ଼ିଥିଲା । ଜଣେ ଆଇଏଏସ ଭିଜିଲାନ୍ସ ମାମଲାରେ ଜେଲଯିବା ସାରାରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା । ଗତ ଜୁନ ୮ତାରିଖ ରାତିରେ ଭିଜିଲାନ୍ସ ଟିମ୍ ଧର୍ମଗଡ଼ ଉପଜିଲ୍ଲାପାଳଙ୍କ ସରକାରୀ ବାସଭବନରେ ଚଢଉ କରିଥିଲା । ଲଘୁଖଣି ବ୍ୟବସାୟୀ ହର୍ଷ ବର୍ଦ୍ଧନ ବେହେରାଙ୍କ ଅଭିଯୋଗକ୍ରମେ ଏହି ଚଢ଼ଉ ହୋଇଥିଲା । ଶ୍ରୀ ବେହେରାଙ୍କ ଜୟପାଟଣା କ୍ରସରକୁ ଚଲାଇ ନଦେବା ପାଇଁ ଉପଜିଲ୍ଲାପାଳ ଧୀମାନ ଚକମା ଭୟଭୀତ କରିଥିଲେ । କ୍ରସରର ବେଆଇନ କାର୍ଯ୍ୟ ବିରୋଧରେ କାର୍ଯ୍ୟାନୁଷ୍ଠାନ ନନେବାକୁ ୨୦ଲକ୍ଷ ଟଙ୍କା ଲାଞ୍ଚ ଦାବି କରିଥିଲେ ବୋଲି ଅଭିଯୋଗ ହୋଇଥିଲା । ତାହାର ପ୍ରଥମକିସ୍ତି ଦେବାକୁ କ୍ରସର ମାଲିକ ରାତିରେ ସରକାରୀ ବାସଭବନ ପହଞ୍ଚିଥିଲେ । ତାଙ୍କ ସହ ପୂର୍ବ ପ୍ରସ୍ତୁତିରେ ଥିବା ଭିଜିଲାନ୍ସ ଟିମ୍ ମାଡ଼ି ବସି ରାସାୟନିକ ବୋଳା ଶହେ ଟଙ୍କିଆ ନୋଟ୍ ୨୬ଟି ବିଡ଼ାରେ ୧୦ଲକ୍ଷ ଲାଞ୍ଚ ଟଙ୍କା ଜବତ କରିଥିଲା । ପରବର୍ତ୍ତି ଯାଞ୍ଚରେ ୪୭ଲକ୍ଷ ୪୭ହଜାର ୬୦୦ଟଙ୍କା ମଧ୍ୟ ଜବତ ହୋଇଥିଲା ।
ବୌଦ୍ଧର କୋଟିପତି ଏମଭିଆଇ ଗୋଲାପ ଚନ୍ଦ୍ର ହାଁସଦା
ବୌଦ୍ଧ: ବୌଦ୍ଧର କୋଟିପତି ଏମଭିଆଇ ଗୋଲାପ ଚନ୍ଦ୍ର ହାଁସଦାଙ୍କୁ ଭିଜିଲାନ୍ସ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅଗଷ୍ଟ ୪ ତାରିଖରେ ବାନ୍ଧିଥିଲା । ଅଗଷ୍ଟ ୩ ତାରିଖ ଭିଜିଲାନ୍ସ ବୌଦ୍ଧ, ବାରିପଦା, ଭୁବନେଶ୍ୱର ସମେତ ୬ଟି ସ୍ଥାନରେ ଏକକାଳୀନ ଚଢ଼ଉ କରିଥିଲା । ଚଢ଼ଉରେ ତାଙ୍କର ୪୪ଟି ପ୍ଲଟ୍, ୧ କେଜି ସୁନା, ୨ କେଜି ରୁପା, ନଗଦ ୨ ଲକ୍ଷ ୩୮ ହଜାର ଟଙ୍କା ସମେତ ୨୦ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରିଥିଲା । ସେହିପରି ଝିଅର ମେଡିକାଲ ପାଠପଢ଼ାରେ ସେ ୪୦ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଜଣାପଡ଼ିଛି । ଚଢ଼ଉରେ ଶ୍ରୀ ହାଁସଦାଙ୍କ ବାରିପଦା ପ୍ରଫୁଲ୍ଲନଗରରେ ଦୁଇ ମହଲା କୋଠା ଯାହା ୩୩୦୦ ବର୍ଗଫୁଟ୍ରେ ରହିଛି । ସେହିପରି ବାରିପଦା ଟାଉନରେ ୪୩ଟି ଓ ବାଲେଶ୍ୱରରେ ଗୋଟିଏ ପ୍ଲଟ, ୧ କେଜି ସୁନା ଅଳଙ୍କାର (୨ଟି ସୁନା ବସ୍କୁଟ), ଦୁଇ କେଜିରୁ ଊଦ୍ଧ୍ୱର୍ ରୁପା, ୧ କୋଟି ୩୪ ଲକ୍ଷ ଟଙ୍କାର ବ୍ୟାଙ୍କ୍, ପୋଷ୍ଟାଲ, ବୀମା ରାଶି ଜମା, ଗୋଟିଏ କାର୍, ୩ଟି ବାଇକ୍ ଏବଂ ୧୬ ଲକ୍ଷ ଟଙ୍କାର ମୂଲ୍ୟବାନ ଗୃହ ଉପକରଣକୁ ଭିଜିଲ୍ଲାନ୍ସ ଠାବ କରିଥିଲା । ଜଣେ ଅଧିକାରୀ କିଭଳି ଅସାଧୁ ଉପାୟରେ ନିଜ ଆୟଠାରୁ ଢେରଗୁଣା ଅଧିକ ସମ୍ପତ୍ତି ଠୁଳ କରିଥିଲେ ତାହା ଜଣାପଡ଼ିବା ପରେ ଏହି ଘଟଣା ସେ ସମୟରେ ରାଜ୍ୟରେ ଚହଳ ପକାଇଥିଲା।
ଆୟ ତୁଳନାରେ ୩୭୫ପ୍ରତିଶତ ଅଧିକ ସମ୍ପତ୍ତି ଠୁଳ
ନୂଆପଡ଼ା: ନୂଆପଡ଼ା ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗ କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜେଲ ଯାଇଥିଲେ । ସମ୍ପୃକ୍ତ ଜେଇଙ୍କ ଭୁବନେଶ୍ୱରସ୍ଥିତ ଲିଙ୍ଗିପୁର ଗଙ୍ଗୋତ୍ରୀନଗରରେ ଅବସ୍ଥିତ ତିନି ମହଲା ଘର, ନୂଆପଡ଼ାସ୍ଥିତ ଅଫିସ ଓ ସରକାରୀ ବାସଭବନ ସମେତ ୮ଟି ସ୍ଥାନରେ ଏକକାଳୀନ ଚଢ଼ଉ ହୋଇଥିଲା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଶ୍ରୀ ସେଠୀଙ୍କ ବିଭିନ୍ନ ଠିକଣାରୁ ୫୫ଲକ୍ଷ ଟଙ୍କାର ବ୍ୟାଙ୍କଜମା, ୩ଟି ବହୁତଳ କୋଠା, ଏକ ଫାର୍ମ ହାଉସ, ୯ଟି ମୂଲ୍ୟବାନ ପ୍ଲଟ, ୨ଟି ଦାମୀକାର, ଗୋଟିଏ ବେନାମୀ କାର ଓ ୧୪ଲକ୍ଷ ଟଙ୍କାର ଆସବାବପତ୍ର, ଘର ଭଡ଼ାଟିଆଙ୍କ ପାଖରେ ଲୁଚାଇ ରଖିଥିବା ନଗଦ ୫୫ଲକ୍ଷ ଟଙ୍କା ଓ ୧କେଜି ୪ଶହ ଗ୍ରାମ ସୁନା ଜବତ ହୋଇଥିଲା । ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ମାମଲା ରୁଜୁ ହେବାପରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା । ଆୟ ତୁଳନାରେ ସଂପୃକ୍ତ ଜେଇ ୩୭୫ ପ୍ରତିଶତ ଅଧିକ ସମ୍ପତ୍ତି ଠୁଳ କରିବା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ।
ମାଟିତଳ ସିକ୍ରେଟ ଚାମ୍ବରରୁ ବାହାରିଥିଲା ବିଡ଼ାବିଡ଼ା ନୋଟ୍
ବଲାଙ୍ଗିର: ଗତ ଜୁଲାଇ ମାସରେ ଭିଜିଲାନ୍ସ ଟିଟିଲାଗଡ଼ ପୂର୍ତ୍ତ ବିଭାଗ ଉପରେ ପଞ୍ଚା ମାରିଥିଲା । ଯେଉଁଥିରେ ଟିଟିଲାଗଡ଼ ଅତିରିକ୍ତ ନିର୍ବାହୀ ଅଧିକାରୀ(ଏଇଇ) ଦିଲେଶ୍ୱର ମାଝିଙ୍କ ଏକକାଲୀନ ୬ଟି ସ୍ଥାନରେ ଚଢ଼ଉ କରିଥିଲା । ଯେଉଁଠି ଭିଜିଲାନ୍ସଙ୍କୁ ଆଖି ଖୋସିଗଲା ଭଳି ସମ୍ପତ୍ତି ମିଳିଥିଲା । ବିଶେଷକରି ସମ୍ବଲପୁର ସ୍ଥିତ ଘରର ମାଟିତଳ ସିକ୍ରେଟ ଚାମ୍ବରରୁ ଏକାଥରକେ ୬.୮ଲକ୍ଷ ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ଏହାବାଦ୍ ୪ଟି କୋଠା, ୯ଟି ଦାମୀ ଜମି, ମାର୍କେଟ କମ୍ପେଲ୍ସ, ୩ଶହ ଗ୍ରାମ ସୁନା ସହ ନଗଦ ଆଦି ଜବତ କରାଯାଇଥିଲା।
ଫାଇନ ପକାଇ ଲାଞ୍ଚ ନେଉଥିଲେ ସିଟି ଆଣ୍ଡ ଜିଏସଟି ଅଧିକାରୀ
ବଲାଙ୍ଗିର: ସରକାରଙ୍କୁ ଫାଇନ ଫାଙ୍କୁଥିବା ବେପାରୀଙ୍କୁ ଧରିବା ପାଇଁ ସିଟି ଆଣ୍ଡ ଜିଏସଟି ବିଭାଗ ରହିଛି । ହେଲେ ଜଣେ ବେପାରୀଙ୍କୁ ବିଭାଗ ପକ୍ଷରୁ ପଡିଥିବା ଫାଇନକୁ ନିଜେ ଜଣେ ସିଟି ଆଣ୍ଡ ଜିଏସଟି ଅଧିକାରୀ ଫାଙ୍କିବାକୁ ଲାଞ୍ଚ ନେଇ ଏଥର ଭିଜିଲାନ୍ସ ହାବୁଡରେ ପଡିଥିଲେ । ଟିଟିଲାଗଡ଼ ସହାୟକ ସିଟି ଜିଏସଟି ଅଧିକାରୀ ଉମାକାନ୍ତ ମହାକୁର ଜଣର ବ୍ୟବସାୟୀଠୁ ୧୨ହଜାର ଟଙ୍କା ଲାଞ୍ଚ ନେଇ ହାତାହତି ଧରାପଡିଥିଲେ । ଜଣେ ବ୍ୟବସାୟୀ ଲାଗାତାର ୩ବର୍ଷ ହେଲା ତାଙ୍କର ଟିକସ ଦାଖଲ କରୁନଥିଲେ । ଯାହାପରେ ତାଙ୍କୁ ଏକ ନୋଟିସ ଦିଆଯାଇ ଏକାଥରକେ ଫାଇନ, ବକେୟା ଟିକସ ବାବଦକୁ ଏକାଥରକେ ୨୩ହଜାର ୬ଶହ ଟଙ୍କା ଦେବାକୁ କୁହାଯାଇଥିଲା । ଯାହାପରେ ବ୍ୟବସାୟୀଜଣକ ଅଧିକାରୀଙ୍କୁ ଭେଟି ଆଲୋଚନା ପରେ ସେ ୧୨ହଜାର ଟଙ୍କା ଲାଞ୍ଚ ମାଗିଥିଲେ।
ପୂର୍ବତନ ରାଜସ୍ୱନିରୀକ୍ଷକଙ୍କୁ ୩ବର୍ଷ ଜେଲ
ଫୁଲବାଣୀ ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ ଗତ ନଭେମ୍ବର ୧୧ ତାରିଖରେ ଏକ ଲାଞ୍ଚ ମାଲଲାର ବିଚାର କରି ବୌଦ୍ଧ ଜିଲ୍ଲା ଦହ୍ୟା ସର୍କଲର ପୂର୍ବତନ ରାଜସ୍ୱ ନିରୀକ୍ଷକ ଗଜେନ୍ଦ୍ର ଦିଗାଲଙ୍କୁ ୩ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ । ଏଥିସହ ତାଙ୍କୁ ୨୦ହଜାର ଟଙ୍କା ଜରିମାନା ଆଦେଶ ଦେଇଥିଲେ । ୨୦୨୧ରେ ଶ୍ରୀ ଦିଗାଲ ଦହ୍ୟା ସର୍କଲର ରାଜସ୍ୱ ନିରୀକ୍ଷକ ରହିଥିଲେ । ସେହି ସମୟରେ ସେ ଜଣେ ବ୍ୟକ୍ତିଙ୍କ ଜମି ମାପ କରିବାକୁ ୧୫ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବ୍ରହ୍ମପୁର ଭିଜିଲାନ୍ସ ଦ୍ୱାରା ଧରାପଡ଼ିଥିଲେ ।
ବ୍ଲକକୁ ବଦନାମ କଲେ ଜେଇ ବାବୁ
ବଲାଙ୍ଗିର: ଦୁର୍ନୀତି ଏବଂ ସରକାରୀ ଅର୍ଥ ତୋସରପାତ ଅଭିଯୋଗରେ ଏଥର ବର୍ଷ ତମାମ ବଙ୍ଗୋମୁଣ୍ଡା ବ୍ଲକ ବଦନାମ ମୁଣ୍ଡାଇଥିଲା । ନକଲି ଜବ କାର୍ଡ, ମୃତକ ଏବଂ ସ୍ଥାନାନ୍ତର ଲୋକଙ୍କ ନାଁରେ ମଷ୍ଟରରୋଲ ପ୍ରସ୍ତୁତ କରାଯାଇ ବିନା କାମରେ ଟଙ୍କା ହଡ଼ପ ଅଭିଯୋଗ ହେଇଥିଲା । ବ୍ଲକର ଚାନ୍ଦୋତରା, ଝରିଏଲ, କପିଲାଭଟା, ବେଲପଡା ଆଦି ବିଭିନ୍ନ ପଞ୍ଚାୟତରେ ଏଭଳି ଦୁର୍ନିତି ପରେ ବିରୋଧୀ କଂଗ୍ରେସ ଏବଂ ବିଜେଡି ରାଜରାସ୍ତାକୁ ଓହ୍ଲାଇବା ପରେ ଭିଜିଲାନ୍ସ ଫାଇଲ ଜବତ କରି ତଦନ୍ତ କଲା । ଶେଷରେ ୨୦୨୩-୨୪ ଏବଂ ୨୦୨୪-୨୫ର ୨୨ ଲକ୍ଷ ଟଙ୍କାର ଆତ୍ମସାତ ଅଭିଯୋଗରେ ଭିଜିଲାନ୍ସ ନଭେମ୍ବର ୧୦ତାରିଖରେ ବ୍ଲକ ଜେଇ ଜୟନାରାୟଣ ବାଗଙ୍କୁ ଗିରଫ କଲା ।
ଅବସର ପରେ ୪ କର୍ମଚାରୀଙ୍କୁ ଜେଲ
ବଲାଙ୍ଗିର: ଚାକିରିରେ ଥିବା ବେଳେ ଦୁର୍ନିତି ଅଭିଯୋଗ ଆସିଥିଲା । ଭିଜିଲାନ୍ସ ତଦନ୍ତ ବି କରିଥିଲା । ହେଲେ ଚାର୍ଜସିଟ ଦାଖଲ ବିଳମ୍ବ ହୋଇଥିଲା । କିନ୍ତୁ ଚଳିତ ବର୍ଷ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଚାର୍ଜସିଟ ଦାଖଲ ପରେ ଚାକିରିରୁ ଅବସର ନେବା ପରେ ୫ଜଣ ସରକାରୀ କର୍ମଚାରୀଙ୍କୁ ଜେଲ ଯିବାକୁ ପଡିଛି । ସେମାନଙ୍କ ମଧ୍ୟରେ ଆଗଲପୁର ତହସିଲର ଅବସରପ୍ରାପ୍ତ ସେକ୍ସନ ଅଫିସର କିଶୋର ଚନ୍ଦ୍ର ଖର୍ସେଲ(ଅବସରପ୍ରାପ୍ତ) ୨୦୨୨ ମସିହାରେ ଜଣେ ଟ୍ରାକ୍ଟର ଡ୍ରାଇଭରଠୁ ୩୫ହଜାର ଟଙ୍କା ନେଇ ଧରାପଡିଥିଲେ । ସେହିପରି ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପେକ୍ସର ସମ୍ପାଦକ ବଂଶୀଧର ପଧାନ ୧୧ଲକ୍ଷ ୧୩ହଜାର ଟଙ୍କା ତୋସରପାତ ଅଭିଯୋଗରେ ସେପ୍ଟେମ୍ବର ୨୪ରେ ଗିରଫ ହେଲେ । ଜୁଲାଇ ୧୭ତାରିଖରେ ଆଗଲପୁର ତହସିଲର ହେଡ଼କ୍ଲର୍କ(ଅବସରପ୍ରାପ୍ତ) ବିକାଶ ଭୋଇ ଏବଂ ତତ୍କାଳୀନ ଏସଆରଏ ଚନ୍ଦ୍ରଶେଖର ପାତ୍ରଙ୍କୁ ୩ବର୍ଷ ଜେଲଦଣ୍ଡାଦେଶ ହୋଇଥିଲା । ସେମାନେ ୨୦୨୦ ମସିହାରେ ୬ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଥିଲେ । ଦେଓଗାଁ ବ୍ଲକର ତତ୍କାଳୀନ ଭିଏଲଡ଼ବ୍ଲ୍ୟୁ(ଅବସରପ୍ରାପ୍ତ) ବିହାରୀଲାଲ ବାରିକ ସରକାରୀ ଚାଉଳ ଏବଂ ଅର୍ଥ ହଡ଼ପ ଅଭିଯୋଗରେ ଦୁଇବର୍ଷ ପାଇଁ ଜେଲ ଗଲେ । ମଇ ୨୦ତାରିଖରେ ଡ଼ିଏଫଓ କାର୍ଯ୍ୟାଳୟର ତତ୍କାଳୀନ ଜୁନିୟର ଆକାଉଣ୍ଟାଣ୍ଟ(ଅବସରପ୍ରାପ୍ତ) କାଳିନ୍ଦୀ ଚରଣ ଭୂୟାଙ୍କୁ ୩ବର୍ଷ ଜେଲ ଦଣ୍ଡାଦେଶ ହୋଇଛି ।
ସରକାରୀ ଟଙ୍କା ହଡ଼ପ ଅଭିଯୋଗରେ ଓଏଭି ଅଧ୍ୟକ୍ଷ ଗିରଫ
ସୋନପୁର: ସରକାରୀ ଟଙ୍କା ହଡ଼ପ ଅଭିଯୋଗରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଆଦର୍ଶ ବିଦ୍ୟାଳୟର ପୂର୍ବତନ ଅଧକ୍ଷ ସୌମ୍ୟରଂଜନ କ୍ଷେତୀଙ୍କୁ ସମ୍ବଲପୁର ଭିଜିଲାନ୍ସ ଗତ ସେପ୍ଟମ୍ୱର ୨୨ ତାରିଖରେ ଗିରଫ କରିଥିଲା । ସେ ଗତ ୨୦୨୧-୨୨ରୁ ୨୦୨୪-୨୫ ଆର୍ଥିକ ବର୍ଷ ମଧ୍ୟରେ ମଧ୍ୟାହ୍ନ ଭୋଜନ, ମୋ ସ୍କୁଲ ଅଭିଯାନ ଓ ବାଳିକା ଛାତ୍ରୀନିବାସ ପାଣ୍ଠିରୁ ୫୫ ଲକ୍ଷ ୨ ହଜାର ୬୧୦ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା । ଶ୍ରୀ କ୍ଷେତୀ ୨୦୨୧ ସେପ୍ଟମ୍ୱର ୨୯ ତାରିଖରେ ବିନିକା ଆଦର୍ଶ ବିଦ୍ୟାଳୟରେ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଥିଲେ । ସେହି ଦିନଠାରୁ ସେ ସରକାରୀ ଟଙ୍କା ଆତ୍ମସାତ କରୁଥିବା ଅଭିଯୋଗ ହୋଇଆସୁଥିଲା । ଅଭିଯୋଗ ପରେ ତାଙ୍କୁ କାର୍ଯ୍ୟରୁ ନିଲମ୍ୱିତ କରାଯାଇଥିଲା । ଏନେଇ ସମ୍ୱଲପୁର ଭିଜିଲାନ୍ସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଥିଲା । ପରେ ଅଭିଯୁକ୍ତ ଶ୍ରୀ କ୍ଷେତୀଙ୍କୁ ଗିରଫ କରିଥିଲା ।
ଧରାପଡ଼ିବା ଭୟରେ ଝରକା ବାହାରକୁ ଟଙ୍କା ଫିଙ୍ଗିଦେଲେ
ଭବାନୀପାଟଣା: ଭବାନୀପାଟଣା ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କଠାରୁ ବିଭାଗୀୟ କିରାଣି ଟି. ଭେଙ୍କଟଗିରି ରାଓ ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଥିଲେ । ପେନ୍ସନ୍ ବୃଦ୍ଧି ପାଇଁ ଫାଇଲ ପ୍ରକ୍ରିୟାକରଣ କରିବା ଲାଗି ସେ ୨୦ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ନଭେମ୍ବର ୧୧ତାରିଖରେ ଅଭିଯୋଗକାରୀଙ୍କ ଠାରୁ ୨୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା । ଭିଜିଲାନ୍ସ ଅଧିକାରୀଙ୍କୁ ଦେଖି ସେ ଭୟରେ ଟଙ୍କାତକ ଝରକା ବାହାରକୁ ଫିଙ୍ଗି ଦେଇଥିଲେ । ଭିଜିଲାନ୍ସ ଟିମ୍ କିରାଣି ଟି. ଭେଙ୍କଟଗିରି ରାଓଙ୍କୁ ଗିରଫପରେ କୋର୍ଟଚାଲାଣ କରିଥିଲା ।
ସରକାରୀ ଅନୁଦାନ ଆତ୍ମସାତ କରି ସରପଞ୍ଚ ଓ ପିଇଓ ଗିରଫ
ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ରାଣିମୁଣ୍ଡା ପଞ୍ଚାୟତରେ ସରକାରୀ ଅନୁଦାନ ଆତ୍ମସାତ ଅଭିଯୋଗରେ ସରପଞ୍ଚ ଓ ପିଇଓ ଗିରଫ ହେବା ଚର୍ଚ୍ଚାର ବିଷୟ ହୋଇଥିଲା । ଗତ ୨୦୨୨-୨୩ ଓ ୨୦୨୩-୨୪ ଆର୍ଥିକ ବର୍ଷରେ ୧୫ତମ ସିଏଫସି ଓ ୬ଷ୍ଠ ଏସଏଫସି ପାଣ୍ଠିରୁ ରାଣିମୁଣ୍ଡାରେ ପାନୀୟ ଜଳ ପାଇଁ ପାଇପ ଲାଇନ ଓ ଉନ୍ନୟନ କାମ ପାଇଁ ୧୪ଲକ୍ଷ ୨୪ହଜାର ୭୨୨ଟଙ୍କା ସରକାରୀ ଅନୁଦାନ ଆସିଥିଲା । ହେଲେ ପିଇଓ ଏବଂ ସରପଞ୍ଚ କୌଣସି କାମ ନକରି ଉକ୍ତ ଅନୁଦାନ ଟଙ୍କା ହଡ଼ପ କରିଥିଲେ । ଏପ୍ରିଲ ୪ତାରିଖରେ କୋରାପୁଟ ଭିଜିଲାନ୍ସ ଟିମ୍ ତତ୍କାଳୀନ ପିଇଓ ଭୀଷ୍ମରାଜ ମେହେର ଓ ସରପଞ୍ଚ ତୁକାରାମ ହିଆଲଙ୍କୁ ଗିରଫପରେ ଜେଲ ଯିବାକୁ ପଡ଼ିଥିଲା।
୫୬ଲକ୍ଷ ହଡ଼ପ କରି ଜେଲଗଲେ ଠିକାଦାର
ନୂଆପଡ଼ା: ୨୦୨୨-୨୩ ଆର୍ଥିକ ବର୍ଷରେ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ମୃତ୍ତିକା ସଂରକ୍ଷଣ ବିଭାଗରେ ଖଡ଼ିଆଳ ବ୍ଲକ ଅଧିନରେ ୨୨ଟି ଚେକଡ୍ୟାମ ନିର୍ମାଣରେ ଫିଲ୍ଡ ବଡ଼ିଂ ଓ ଲୁଜ ବୋଲ୍ଟର କାମ ପାଇଁ ୫୬ଲକ୍ଷ ୯୩ହଜାର ୯୫୭ ଟଙ୍କା ମଞ୍ଜୁର ହୋଇଥିଲା । ତେବେ ଠିକାଦାର ଜଣକ କାମ ନକରି ୫୬ଲକ୍ଷ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଥିଲା । କୋରାପୁଟ ଭିଜିଲାନ୍ସ ଟିମ ଘଟଣାର ତଦନ୍ତକରି ନୟାଗଡ଼ ଜିଲ୍ଲା ବୋଲଗଡ଼ ଥାନା ଦଳେଇସାହି ଗାଁର ସମ୍ପୃକ୍ତ ଠିକାଦାର ଲକ୍ଷ୍ମୀଧର ରାଉତରାୟଙ୍କୁ ଜେଲଯିବାକୁ ପଡ଼ିଥିଲା । ଏହି ଘଟଣାର ଅନ୍ୟତମ ଅଭିଯୁକ୍ତ ଖଡ଼ିଆଳ ମୃତ୍ତିକା ସଂରକ୍ଷଣ ବିଭାଗ ଓଭରସିଅର ହରିଶ୍ଚନ୍ଦ୍ର ଭେଣ୍ଟକର ଏବଂ ଅନ୍ୟଜଣେ ଠିକାଦାର ଅଭିଳାଷ ମେହେର ଫେରାର ଥିଲେ ।
ଭିଜିଲାନ୍ସ ଜାଲରେ ବୟନ ଶିଳ୍ପ ସହକାରୀ ନିର୍ଦ୍ଦେଶକ ଓ ସମ୍ପାଦକ
ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ବୟନ ଶିଳ୍ପ ବିଭାଗ ପକ୍ଷରୁ ବୁଣାକାରଙ୍କୁ ଟାଏ ଆଣ୍ଡ ଡାଏ ତାଲିମ ପ୍ରଦାନ କରାଯାଇଥିଲା । ଏଥିରେ ବୁଣାକାରଙ୍କୁ ଷ୍ଟାଇପେଣ୍ଡ ଟଙ୍କା ପ୍ରଦାନ ପାଇଁ ବ୍ୟବସ୍ଥା ରହିଥିଲା । ତାଲିମ ଶେଷ ହେବାକୁ ରହିଥିବାରୁ ବୁଣାକାରମାନେ ଷ୍ଟାଇପେଣ୍ଡ ଟଙ୍କା ପ୍ରଦାନ ପାଇଁ ସହକାରୀ ବୟନ ଶିଳ୍ପ ନିର୍ଦ୍ଦେଶକ ସତ୍ୟାନନ୍ଦ ବେହେରା ଓ ଉଲୁଣ୍ଡା ବୁଣାକାର ସମବାୟ ସମିତି ସମ୍ପାଦକ ରମାକାନ୍ତ ମେହେରଙ୍କୁ କହିଥିଲେ । ଉଭୟ ଷ୍ଟାଇପେଣ୍ଡ ଟଙ୍କା ମଞ୍ଜୁର ପାଇଁ ବୁଣାକାରମାନଙ୍କଠାରୁ ୮୦ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ତେଣୁ ବୁଣାକାରମାନେ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଯୋଜନା ମୁତାବକ ନଭେମ୍ବର ୧୪ ତାରିଖ ନିର୍ଦ୍ଦେଶକ ଶ୍ରୀ ବେହେରା ଓ ଉଲୁଣ୍ଡା ବୁଣାକାର ସମବାୟ ସମିତି ସମ୍ପାଦକ ଶ୍ରୀ ମେହେର ଉଭୟେ ଲାଞ୍ଚର ପ୍ରଥମ କିସ୍ତି ୩୬ହଜାର ଟଙ୍କା ଗ୍ରହଣ କରିଥିଲେ । ସେହି ସମୟରେ ନିକଟରେ ଛପି ରହିଥିବା ଭିଜିଲାନ୍ସ ଅଧିକାରୀମାନେ ଉଭୟଙ୍କୁ ମାଡ଼ି ବସିଥିଲେ । ଏନେଇ ସୋନପୁର ଭିଜିଲାନ୍ସ ବିଭାଗ ଏକ ମାମଲା ରୁଜୁକରି ଉଭୟଙ୍କୁ କୋର୍ଟଚାଲାଣ କରିଥିଲା । ଏହାବ୍ୟତୀତ ଭିଜିଲାନ୍ସ ଅଧିକାରୀଙ୍କ ବାସଭବନ, କାର୍ଯ୍ୟାଳୟ ଆଦି ୩ଟି ସ୍ଥାନ ଏବଂ ସମ୍ପାଦକଙ୍କ ଗୋଟିଏ ଜାଗାରେ ଚଢ଼ଉ କରିଥିଲା ।
ଲାଞ୍ଚନେଇ ଧରାପଡ଼ିଲେ ମତ୍ସ୍ୟ ଅଧିକାରୀ ଓ ସହଯୋଗୀ
ସୋନପୁର: ବୀରମହାରାଜପୁର ସହକାରୀ ମତ୍ସ୍ୟ ଅଧିକାରୀ ବିଭୂତି ଭୂଷଣ ପ୍ରଧାନ ଓ ସହଯୋଗୀ ବାବୁଲାଲ ବାରିକ ମାଛ ଯାଆଁଳ ରିହାତି ଟଙ୍କା ମଞ୍ଜୁର ବାବଦକୁ ରାଧାପୁରର ମା’ମେଟାକାନୀ ସ୍ୱୟଂ ସହାୟକ ଗୋଷ୍ଠୀଠାରୁ ୪୫ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଏନେଇ ଗୋଷ୍ଠୀର ସଦସ୍ୟାମାନେ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଯୋଜନା ମୁତାବକ ଗତ ମଇ ୨ତାରିଖ ବୀରମହାରାଜପୁର ବ୍ଲକ ବଡ଼ଖମାର ପଞ୍ଚାୟତ ରାଧାପୁର ଗାଁର ମା’ମେଟାକାନୀ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ସଂଜିତା ମିର୍ଦ୍ଧା ମତ୍ସ୍ୟ ଅଧିକାରୀ ଶ୍ରୀ ପ୍ରଧାନ ଓ ସହଯୋଗୀ ଶ୍ରୀ ବାରିକଙ୍କୁ ୩୦ହଜାର ଟଙ୍କା ପ୍ରଦାନ କରିଥିଲେ । ସେହି ସମୟରେ ନିକଟରେ ଛପି ରହିଥିବା ଭିଜିଲାନ୍ସ ଅଧିକାରୀମାନେ ଉଭୟଙ୍କୁ ମାଡ଼ି ବସିଥିଲେ । ପରେ ଅଧିକାରୀଙ୍କ ଭଡ଼ାଘରୁ ଭିଜିଲାନ୍ସ ୩ଲକ୍ଷ ୫୮ହଜାର ୭ଶହ ଟଙ୍କା ଏବଂ ସହଯୋଗୀ ଶ୍ରୀ ବାରିକ ଘରୁ ୪୮ ହଜାର ୬୧୦ଟଙ୍କା ଜବତ କରିଥିଲା । ଭିଜିଲାନ୍ସ ଅଧିକାରୀମାନେ ଉଭୟଙ୍କୁ ଗିରଫକରି ବଲାଙ୍ଗିର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟକୁ ଚାଲାଣ କରିଥିଲେ ।
୧୭ବର୍ଷ ପରେ ଧରିଲା ଭିଜିଲାନ୍ସ
ବଲାଙ୍ଗିର: ବଲାଙ୍ଗିର ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଆରମ୍ଭ ବେଳେ କୋଟିକୋଟି ଟଙ୍କାର ସରକାରୀ ଅର୍ଥ ହଡ଼ପକରି ୧୭ ବର୍ଷକାଳ ଜୀର୍ଣ୍ଣ କରିଯାଇଥିଲେ । ଶେଷରେ ଗତ ମାର୍ଚ୍ଚ ୨୧ତାରିଖରେ ଭିଜିଲାନ୍ସର ସ୍ୱତନ୍ତ୍ର ଟିମ ଢ଼େଙ୍କାନାଳ ପରଜଙ୍ଗ ସ୍ଥିତ କଙ୍କଡ଼ାସୋଡ଼ା ଗାଁରୁ ଗିରଫ କରିଥିଲା ପ୍ରକଳ୍ପର ପୂର୍ବତନ ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ (ଏଲଏଓ) ବିନୟ କୁମାର ଗଡ଼ନାୟକଙ୍କୁ । ତାଙ୍କ ନାଁରେ ପ୍ରାୟ ୭କୋଟି ଟଙ୍କାର ଆର୍ଥିକ ଅନିୟମିତତା ସାମ୍ନାକୁ ଆସିବା ପରେ ସେ ଫେରାର ହୋଇଯାଇଥିଲେ । ତାଙ୍କ ବିରୋଧରେ ଭିଜିଲାନ୍ସ ସମୁଦାୟ ୧୨ଟି ମାମଲା ରୁଜୁ କରିଥିଲା । ଫଳରେ ୨୦୦୮ ମସିହାରୁ ସେ ଫେରାର ହୋଇଯାଇଥିଲେ । ଆଉ ୧୭ବର୍ଷ ଧରି ଗିରଫଦାରୀରୁ ବଞ୍ଚିବା ପାଇଁ ବିଭିନ୍ନ ସ୍ଥାନ ବଦଳାଉଥିଲେ । ସେ କାର୍ଯ୍ୟାଳୟରେ ଭଡ଼ାରେ ଲାଗିଥିବା ଗାଡ଼ିର ଦେୟ ଏବଂ ଜମି ରେକର୍ଡର ଲାମିନେସନ ବାବଦକୁ ନକଲି ବିଲ ପ୍ରସ୍ତୁତ କରି ପ୍ରାୟ ୩୮ଲକ୍ଷ ୨୪ହଜାର ୨୩୪ଟଙ୍କା ହଡ଼ପ କରିଥିଲେ । ସେହିପରି ସାନତେଲେନପାଲି ଏବଂ କଇଣ୍ଡାପାଲିରେ ହିତାଧିକାରୀଙ୍କୁ ବିନା ଯୋଗ୍ୟତାରେ ଅତିରିକ୍ତ ସହାୟତା ରାଶି ପ୍ରଦାନ କରିଥିଲେ । ଯେଉଁଥିରେ ସରକାରଙ୍କ ପ୍ରାୟ ୬କୋଟି ୨୩ଲକ୍ଷ ୨୮ହଜାର ୧୦୨ ଟଙ୍କା କ୍ଷତି ହୋଇଥିଲା । ଏପରିକି ସମାନ ଧରଣରେ ଚୁଡ଼ାପାଲି ଗାଁରେ ମଧ୍ୟ ଅତିରିକ୍ତ ଥଇଥାନ/କ୍ଷତିପୂରଣ ରାଶି ପ୍ରଦାନ କରିବାରୁ ସରକାରଙ୍କ ୩୫ଲକ୍ଷ ୨୨ହଜାର ୬୦୧ଟଙ୍କା କ୍ଷତି ହୋଇଥିଲା ।