ଭୁବନେଶ୍ୱର,୦୬/୦୩: କଟକ ଜିଲ୍ଲା STA ଡେପୁଟି କମିଶନର ଘରେ ଭିଜିଲାନ୍ସ ଚଢାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଡେପୁଟି ଟ୍ରାନ୍ସପୋର୍ଟ କମିଶନର ପ୍ରଦୀପ କୁମାର ମହାନ୍ତିଙ୍କ ଘରେ ରେଡ୍‌ କରୁଛି ଭିଜିଲାନ୍ସ ଟିମ୍‌ । ଗୁରୁବାର ସକାଳେ ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀ, କଟକ, ନୟାଗଡ଼ ସମେତ ମୋଟ ୯ ଟି ସ୍ଥାନରେ ଏକକାଳୀନ ଚଢାଉ ଚାଲିଛି । ଏହି ଚଢାଉରେ ଭୁବନେଶ୍ୱର ମୈତ୍ରୀ ବିହାର ସ୍ଥିତ ଘରୁ ନଗତ ୧୫ ଲକ୍ଷ ଟଙ୍କା ସହ ୩ଟି ସୁନା ବିସ୍କୁଟ୍ ଏବଂ ବହୁ ସୁନା ଅଳଙ୍କାର ଜବତ କରିଛି ଭିଜିଲାନ୍ସ ଟିମ୍‌ । 

ସୂଚନା ମୁତାବକ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ଜିଲ୍ଲା STA ଡେପୁଟି କମିଶନର କମିଶନର ପ୍ରଦୀପ କୁମାର ମହାନ୍ତିଙ୍କ ଘରେ ଗୁରୁବାର ଭିଜିଲାନ୍ସ ଚଢାଉ ହେଉଛି । ଏନେଇ ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରା ସର୍ଚ୍ଚ ୱାରେଣ୍ଟ ଜାରି ହେବା ପରେ ଓଡିଶା ଭିଜିଲାନ୍ସ ଦ୍ୱାରା ଚଢାଉ କରାଯାଉଛି । ଏହି ଚଢାଉରେ ୨ ଜଣ ଅତିରିକ୍ତ ଏସ୍‌ଏସ୍‌ପି, ୧୩ ଜଣ ଡିଏସ୍‌ଏସ୍‌ପି, ୧୨ ଜଣ ଇନିସ୍ପେକ୍ଟର, ୨୫ ଜଣ ଏଏସ୍‌ଆଇଙ୍କ ସମେତ କର୍ମିଚାରୀ ସାମିଲ ହୋଇଛନ୍ତି । ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀ, କଟକ, ନୟାଗଡ଼ର ମୋଟ ୯ ଟି ସ୍ଥାନରେ ରେଡ୍ ଜାରି ରଖିଛି ଭିଜିଲାନ୍ସ ଟିମ୍‌ । 

ଭୁବନେଶ୍ୱର ଚନ୍ଦ୍ରଶେଖରପୁର ମୈତ୍ରୀ ବିହାର ଅଞ୍ଚଳର ଘର, ରଘୁନାଥପୁର ଅଞ୍ଚଳର ୪ ବିଏଚ୍‌କେ ଫ୍ଲାଟ୍‌, ନୟାଗଡ଼ ରଣପୁର ଅଞ୍ଚଳର କୁସୁପଲ୍ଲା ସ୍ଥିତ ଏକ ଫାର୍ମ ହାଉସ୍‌, ଭୁବନେଶ୍ୱର ଗୋବିନ୍ଦପ୍ରସାଦ ଅଞ୍ଚଳର ଏକ ପାଞ୍ଚ ମହଲା ବିଶିଷ୍ଟ ନିର୍ମାଣାଧିନ ଘର, ଖୋର୍ଦ୍ଧା ଟାଙ୍ଗୀ ଅଞ୍ଚଳର ଏକ ଘର, ପୁରୀ ଟାଉନ୍‌ର ଭକ୍ତି ରତ୍ନ ଲେନ୍‌ ସ୍ଥିତ ସମ୍ପର୍କୀୟଙ୍କ ଘର, ସମ୍ପର୍କୀୟଙ୍କ ନାଁରେ ଥିବା ଭୁବନେଶ୍ୱର ମଳିପଡ଼ା ସ୍ଥିତ ଏକ ପେଟ୍ରୋଲ୍‌ ପମ୍ପ୍‌, ପୁରୀରେ ସମ୍ପର୍କୀୟଙ୍କ ନାଁରେ ଥିବା ନିର୍ମାଣାଧିନ ଘର ଏବଂ କଟକ ସ୍ଥିତ ଅଫିସ୍‌ରେ ଏକକାଳୀନ ଚଢାଉ କରୁଛି ଭିଜିଲାନ୍ସ ଟିମ୍‌ ।