ବାଲିଗୁଡ଼ା,୧୯/୦୯:ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ରାୟଗଡ଼ା ଜିଲ୍ଲାର କାଶୀପୁର ଫରେଷ୍ଟ ରେଞ୍ଜର ଅନ୍ତରଯ୍ୟାମୀ ସାହୁଙ୍କ ସରକାରୀ ବାସଭବନ ସମେତ ୯ଟି ସ୍ଥାନରେ ଭିଜିଲାନ୍ସ ରେଡ୍ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ କରିଥିବା ସୂଚନା ମିଳିଛି। ରେଞ୍ଜର ସାହୁ ଦୁର୍ନୀତି କରିବା ଏବଂ ଆୟ ବର୍ହିଭୁତ ସମ୍ପତ୍ତି ଠୁଳ କରିଥିବା ନେଇ ଅଭିଯୋଗ ପାଇ ବହୁ ଦିନରୁ ଭିଜିଲାନ୍ସ ସ୍କାନରରେ ଥିଲେ। ବିଭିନ୍ନ ତଥ୍ୟ ସଂଗ୍ରହ ପରେ ଶୁକ୍ରବାର ସକାଳୁ ସକାଳୁ ଚଢ଼ାଉ ଆରମ୍ଭ କରିଛି। କାଶୀପୁର ସରକାରୀ କାର୍ଯ୍ୟାଳୟ, ବାସଭବନ, ପୈତୃକ ବାସଭବନ ଦାରିଙ୍ଗବାଡି,କନ୍ଧମାଳ ଜିଲ୍ଲାର ବାଲିଗୁଡା ବାସଭବନ , ଗଞ୍ଜାମ ଜିଲ୍ଲାର ଭଞ୍ଜନଗର, ବ୍ରହ୍ମପୁର, ନୟାଗଡ଼ ସମେତ ୯ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରଖିଥିବା ଜଣାପଡିଛି। ଜୟପୁର ଭିଜିଲାନ୍ସ ଡିଏସପିଙ୍କ ନେତୃତ୍ବରେ ୧୩ ଜଣିଆ ଟିମ୍ ରେଡରେ ସାମିଲ ଥିବା ଜଣାପଡ଼ିଛି।
ଜୟପୁରର ଏକ ଭିଜିଲାନ୍ସ ଟିମ ଅନ୍ତର୍ଯ୍ୟାମୀ ସାହୁଙ୍କ ଭଣଜା ସୁକେଶ ସାହୁଙ୍କ ପୈତୃକ ଘର ଭଞ୍ଜନଗରରେ ମଧ୍ୟ ତଦନ୍ତ ଆରମ୍ଭ କରିଛନ୍ତି । ଭିଜିଲାନ୍ସର ଟିମ ସୁକେଶ ସାହୁଙ୍କ ଦାଦାଙ୍କୁ ମଧ୍ୟ ପଚରାଉଚରା କରିଛନ୍ତି। ଏପଟେ ସୁକେଶ ସାହୁଙ୍କ ଘରେ ତାଲା ପଡ଼ିଛି। ତେବେ ସୁକେଶ ଭୁବନେଶ୍ୱରରେ ଡାକବିଭାଗରେ ଚାକିରି କରୁଥିବା ବେଳେ ସେ ୩୫ ଲକ୍ଷ ଟଙ୍କାର ଉପହାର ମାମୁଁ ଅନ୍ତର୍ଯ୍ୟାମୀଙ୍କୁ ଦେଇ ଥିବା ଜଣାପଡିବା ପରେ ତାଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଛି। ଏଥିସହ ତାଙ୍କୁ ତୁରନ୍ତ ଜୟପୁର ଭିଜିଲାନ୍ସ କାର୍ଯ୍ୟାଳୟକୁ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଭିଜିଲାସନ୍ସ କର୍ମଚାରୀ କହିଛନ୍ତି ।