ଭୁବନେଶ୍ୱର,୦୩/୦୮: ବୌଦ୍ଧ ଏମଭିଆଇ ଗୋଲପ ଚନ୍ଦ୍ର ହାଁସଦାଙ୍କ ଘରେ ଆଜି ଭିଜିଲାନ୍ସ ଚଢାଉ ଜାରି ରହିଛି । ଏହି ଚଢାଉ ବେଳେ ଗୋଟିଏ ବହୁମହଲା କୋଠା, ୩୬ଟି ପ୍ଲଟ୍, ପ୍ରାୟ ୨୫୦ ଗ୍ରାମ ସୁନା, ୨.୩୮ ଲକ୍ଷ ଟଙ୍କାରୁ ଅଧିକ ନଗଦ, ୫୬ ଲକ୍ଷ ଟଙ୍କା ବ୍ୟାଙ୍କ ଜମା ଠାବ ହୋଇଛି । କେବଳ ସେତିକି ନୁହେଁ,ସେ ତାଙ୍କ ଝିଅର ମେଡିକାଲ ପାଠ ପଢା ପାଇଁ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଜଣାପଡ଼ିଛି । ଏହା ସହ ଗୋଟିଏ ୪ ଚକିଆ ଗାଡ଼ି ଏବଂ ୩ଟି ୨ ଚକିଆ ଗାଡ଼ି ମଧ୍ୟ ଠାବ ହୋଇଛି ।
କହିରଖୁ କି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୌଦ୍ଧ MVI ଗୋଲାପ ଚନ୍ଦ୍ର ହାଁସଦାଙ୍କ ଘରେ ଚଢାଉ କରୁଛି ଭିଜିଲାନ୍ସ ଟିମ୍ । ବାରିପଦା, ବୌଦ୍ଧ ଏବଂ ଭୁବନେଶ୍ୱରର ମୋଟ ୬ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଏକକାଳୀନ ଚଢାଉ କରୁଛି । ଏନେଇ ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରା ସର୍ଚ୍ଚ ୱାରେଣ୍ଟ ଜାରି ହେବା ପରେ ମୋଟ ୬ ଟି ସ୍ଥାନରେ ଚଢାଉ କରାଯାଉଛି । ଏହି ରେଡ୍ରେ ୪ ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର ଏବଂ ସହାୟକ କର୍ମଚାରୀ ସାମିଲ ହୋଇଛନ୍ତି ।