ନୂଆଦିଲ୍ଲୀ,୧୭/୦୧: ଚଳିତ ବିଜୟ ହଜାରେ ଟ୍ରଫିରେ ସୌରାଷ୍ଟ୍ର ଓ ବିଦର୍ଭ ଟାଇଟଲ ପାଇଁ ଲଢ଼େଇ କରିବେ । ଦ୍ୱିତୀୟ ସେମି ଫାଇନାଲ୍ରେ ସୌରାଷ୍ଟ୍ର ୯ ୱିକେଟ୍ରେ ପଞ୍ଜାବକୁ ପରାସ୍ତ କରିଥିଲା । ପ୍ରଥମ ସେମିରେ କର୍ଣ୍ଣାଟକକୁ ହରାଇ ଫାଇନାଲ ଟିକଟ ହାତେଇଥିବା ବିଦର୍ଭ । ଏହି ଟୁର୍ଣ୍ଣାମେଣ୍ଟରେ ବିଦର୍ଭ ବନାମ ସୌରାଷ୍ଟ୍ର ମଧ୍ୟରେ ଫାଇନାଲ ଫାଇଟ୍ ହେବ ।
ଦ୍ୱିତୀୟ ସେମି ଫାଇନାଲ ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ୨୯୧ ରନ କରି ଅଲ୍ ଆଉଟ୍ ହୋଇ ଯାଇଥିଲା । ଜବାବରେ ସୌରାଷ୍ଟ୍ର ୩୯.୩ ଓଭରରେ ୧ ୱିକେଟ୍ ହରାଇ ଆବଶ୍ୟକ ରନ ସଂଗ୍ରହ କରି ନେଇଥିଲା । ଶତକୀୟ ଇନିଂସ୍ ଖେଳି ଦଳକୁ ଜିତାଇଥିବା ବିଶ୍ୱରାଜ ଜାଡେଜା ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ । ଟସ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ସୌରାଷ୍ଟ୍ର । ପଞ୍ଜାବର ଦୁଇ ଓପନର ହାରନୂର ସିଂହ ଓ ପ୍ରଭସିମରନ ସିଂହ ୬୦ ରନ ସଂଗ୍ରହ କରିଥିଲେ । ହାରନୂର ୩୩ ରନ କରି ପ୍ରଥମେ ଆଉଟ୍ ହୋଇଥିଲେ । ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ଅନମୋଲପ୍ରୀତ ସିଂହ ଅପରାଜିତ ପ୍ରଭସିମରନଙ୍କ ସହ ମିଶି ୧୦୯ ରନ୍ର ଭାଗିଦାରୀ ଗଠନ କରିଥିଲେ ।
ଅଧିକ ପଢନ୍ତୁ...ଟି-ଟ୍ୱେଣ୍ଟି ଦଳରେ ଶ୍ରେୟସ-ବିଷ୍ଣୋଇ ସାମିଲ, ୨ ବର୍ଷ ପରେ ଆୟରଙ୍କ କମବ୍ୟାକ୍
ଦଳୀୟ ସ୍କୋର ୧୬୯ ବେଳେ ପ୍ରଭସିମରନ ବ୍ୟକ୍ତିଗତ ୮୭ (୯ଚୌକା, ୩ଛକା) ରନ କରି ଆଉଟ୍ ହୋଇଥିଲେ । ଏହାପରେ ଦଳ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଅନମୋଲପ୍ରୀତ ଆକ୍ରମଣ ଜାରି ରଖି ୯ଚୌକା ଓ ୧ ଛକା ଶତକ ଅର୍ଜନ କରିଥିଲେ । ନିମ୍ନ ମଧ୍ୟଭାଗରେ ରମଣଦୀପ ସିଂହ ୪୨ ରନ ସଂଗ୍ରହ କରିବା ଫଳରେ ଦଳୀୟ ସ୍କୋର ୨୯୧ରେ ପହଞ୍ଚିଥିଲା । ସୌରାଷ୍ଟ୍ର ପକ୍ଷରୁ ଚେତନ ସକରିୟା ୪ଟି ୱିକେଟ୍ ଅକ୍ତିଆର କରିଥିବାବେଳେ ଅଙ୍କୁର ପୱଁର ଓ ଚିରାଗ ଜାନି ୨ଟି ଲେଖାଏଁ ୱିକେଟ୍ ନେଇଥିଲେ । ଜବାବରେ ସୌରାଷ୍ଟ୍ରର ଦୁଇ ଓପନର ହାର୍ଭିକ ଦେଶାଇ ଓ ବିଶ୍ୱରାଜ ଜାଡେଜା ବିସ୍ଫୋରକ ବ୍ୟାଟିଂ କରି ୧୭୨ ରନ ସଂଗ୍ରହ କରିଥିଲେ । ହାର୍ଭିକ ୬୪ ରନ କରି ଆଉଟ୍ ହୋଇଥିଲେ । ଏହାପରେ ପଞ୍ଜାବ ବୋଲର ୱିକେଟ ନେଇ ପାରି ନଥିଲେ । ବିଶ୍ୱରାଜଙ୍କ ସହ ପ୍ରେରକ ମଙ୍କଡ଼ ମିଶି ଦଳକୁ ବିଜୟୀ କରାଇଥିଲେ । ବିଶ୍ୱରାଜ ୧୮ଚୌକା ଓ ୩ ଛକା ବଳରେ ୧୬୫ ରନ କରିଥିଲେ । ପ୍ରେରକ ୫୨ ରନ୍ର ଅପରାଜିତ ପାଳି ଖେଳିଥିଲେ ।