ବିଜୟ ହଜାରେ ଟ୍ରଫି: ଶୁକ୍ରବାର ସୌରାଷ୍ଟ୍ର-ମହାରାଷ୍ଟ୍ର ମଧ୍ୟରେ ଫାଇନାଲ ଟକ୍କର

ଅହମ୍ମଦାବାଦ,୦୧/୧୨: ଚଳିତ ବିଜୟ ହଜାରେ ଟ୍ରଫିର ଫାଇନାଲ୍ ଲାଇନ୍ ଅପ୍ ଚୂଡ଼ାନ୍ତ ହୋଇଛି । ଆସନ୍ତା ୨ ତାରିଖ ଅହମ୍ମଦାବାଦରେ ସୌରାଷ୍ଟ୍ର ଓ ମହାରାଷ୍ଟ୍ର ମଧ୍ୟରେ ଫାଇନାଲ୍ ଖେଳାଯିବ । ବୁଧବାର ସେମି ଫାଇନାଲ୍ରେ ସୌରାଷ୍ଟ୍ର ୫ ୱିକେଟ୍ରେ କର୍ଣ୍ଣାଟକକୁ ଏବଂ ମହାରାଷ୍ଟ୍ର ୧୨ ରନ୍ରେ ଆସାମକୁ ପରାସ୍ତ କରିଥିଲା । ମହାରାଷ୍ଟ୍ରର ଯୁବ ଓପନର ଋତୁରାଜ ଗାଏକୱାଡ଼ (୧୬୮) ଓ ଅଙ୍କିତ ବାୱନେ (୧୧୦)ଙ୍କ ଦର୍ଶନୀୟ ଶତକ ଦିବସର ମୁଖ୍ୟ ଆକର୍ଷଣ ରହିଥିଲା ।
ସୌରାଷ୍ଟ୍ର ବନାମ କର୍ଣ୍ଣାଟକ: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ସେମି ଫାଇନାଲ୍ରେ ସୌରାଷ୍ଟ୍ରଠୁ ବ୍ୟାଟିଂ ଆମନ୍ତ୍ରଣ ପାଇ କର୍ଣ୍ଣାଟକ ୧୭୧ ରନ୍ରେ ଅଲଆଉଟ୍ ହୋଇଯାଇଥିଲା । ଓପନର ରବି କୁମାର ସମର୍ଥ ୮୮ (୪ଚୌକା, ୧ଛକା), ମନୋଜ ୨୨, ରୋନିତ ମୋର ୧୬ରନ୍ କରିଥିଲେ । ସୌରାଷ୍ଟ୍ର ପକ୍ଷରୁ ଜୟଦେବ ଉନାକାତ୍ ସର୍ବାଧିକ ୪ ୱିକେଟ୍ ଅକ୍ତିଆର କରିଥିଲେ । ଏହାର ଜବାବରେ ସୌରାଷ୍ଟ୍ର ୩୬.୨ ଓଭରରେ ୫ ୱିକେଟ୍ ବିନିମୟରେ ଆବଶ୍ୟକ ରନ୍ ସଂଗ୍ରହ କରି ନେଇଥିଲା । ଜୟ ଗୋହିଲ ୬୧ (୮ଚୌକା, ୧ଛକା), ସମ୍ରାଟ ବ୍ୟାସ ୩୩, ପ୍ରେରକ ମଙ୍କଡ଼ ୩୫, ଅର୍ପିତ ଭାସଭଡ଼ା ଅପରାଜିତ ୨୫ ରନ୍ କରିଥିଲେ ।
ମହାରାଷ୍ଟ୍ର ବନାମ ଆସାମ: ସର୍ଦ୍ଦାର ପଟେଲ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ବ୍ୟାଟିଂ ଆମନ୍ତ୍ରଣ ପାଇ ମହାରାଷ୍ଟ୍ର ୭ ୱିକେଟ୍ ହରାଇ ୩୫୦ ରନ୍ ସଂଗ୍ରହ କରିଥିଲା । କ୍ୱାର୍ଟର ଫାଇନାଲ୍ରେ ଗୋଟିଏ ଓଭରରେ ରେକର୍ଡ଼ ୭ଟି ଛକା ସହ ୪୩ ରନ୍ ସଂଗ୍ରହ କରିଥିବା ଗାଏକୱାଡ୍ ଆଜି ମଧ୍ୟ ଦୃଢ଼ ବ୍ୟାଟିଂ କରିଥିଲେ । ସେ ୧୨୬ ବଲ୍ରୁ ୧୬୮ (୧୮ଚୌକା, ୬ଛକା) ରନ୍ କରିଥିବାବେଳେ ଅଙ୍କିତ ୧୧୦ (୧୦ଚୌକା, ୨ଛକା), ସତ୍ୟଜିତ୍ ବଚ୍ଛବ ୪୧ ରନ୍ କରିଥିଲେ । ଜବାବରେ ଆସାମ ନିର୍ଦ୍ଧାରିତ ଓଭରରେ ୮ ୱିକେଟ୍ ବିନିମୟରେ ୩୩୮ରନ୍ କରିବାକୁ ସକ୍ଷମ ହୋଇଥିଲା । ଦଳ ପକ୍ଷରୁ ସ୍ୱରୂପମ ୯୫ (୧୦ଚୌକା, ୧ଛକା) ଶିବଶଙ୍କର ରୟ ୭୮, ରିଷଭ ଦାସ ୫୩ ରନ୍ କରିଥିଲେ । ମହାରାଷ୍ଟ୍ର ପକ୍ଷରୁ ରାଜବର୍ଦ୍ଧନ ହଙ୍ଗରେଗକର ୪ଟି ୱିକେଟ୍ ଅକ୍ତିଆର କରିଥିଲେ ।