ଚେନ୍ନାଇ, ୦୮/୦୫ : ତାମିଲନାଡୁରେ ସରକାର ଗଠନ ନେଇ ସସ୍‌ପେନ୍ସ ଲାଗିରହିଛି । ଥଲାପତି ବିଜୟଙ୍କ ଟିଭିକେ ସଂଖ୍ୟା ଖେଳରେ ଫସିରହିଛି । ବହୁମତ ପାଇଁ ଆଉ ମାତ୍ର ୫ ବିଧାୟକଙ୍କ ସମର୍ଥନ ଆବଶ୍ୟକ । ଦଳ ଗୁରୁବାର ସିପିଆଇ(ଏମ୍‌)କୁ ଚିଠି ଲେଖି ସମର୍ଥନ ଲୋଡ଼ିଛି । ଶୁକ୍ରବାର ଏ ନେଇ ନିଷ୍ପତ୍ତି ନିଆଯିବ ବୋଲି ସିପିଆଇ(ଏମ୍‌) ନେତା ପି. ସନ୍ମୁଗମ୍‌ କହିଛନ୍ତି । ଥଲାପତି ବିଜୟ ଗୁରୁବାର ପୁଣି ଲୋକ ଭବନରେ ରାଜ୍ୟପାଳ ରାଜେନ୍ଦ୍ର ଅର୍ଲେକରଙ୍କୁ ଭେଟିଥିଲେ । କିନ୍ତୁ ତାଙ୍କୁ ପୁଣି ଖାଲି ହାତରେ ଫେରିବାକୁ ପଡ଼ିଛି । ପ୍ରଥମେ ବହୁମତ ପ୍ରମାଣ ପାଇଁ ରାଜ୍ୟପାଳ କହିଛନ୍ତି ।

ବିଜୟଙ୍କ ପାଖରେ ଏବେ ୧୧୩ ବିଧାୟକଙ୍କ ସମର୍ଥନ ରହିଛି । ସରକାର ଗଢ଼ିବା ଲାଗି ବହୁମତ ସଂଖ୍ୟା ୧୧୮ ରହିଛି । ନିର୍ବାଚନରେ ଟିଭିକେ ୧୦୮ ଆସନ ଜିତିଛି । କଂଗ୍ରେସ ସମର୍ଥନ ଯୋଗାଇବା ପରେ ଦଳକୁ ଆଶ୍ୱସ୍ତି ମିଳିଛି । ତଥାପି ପୂର୍ଣ୍ଣ ବହୁମତ ପାଇଁ ସଂଖ୍ୟା ମିଳିନାହିଁ । ତେବେ ଗତକାଲି ମୁଖ୍ୟ ନିର୍ବାଚନ ଅଧିକାରୀ ଅର୍ଚ୍ଚନା ପଟ୍ଟନାୟକ ରାଜ୍ୟପାଳଙ୍କୁ ସମସ୍ତ ନବନିର୍ବାଚିତ ବିଧାୟକଙ୍କ ତାଲିକା ପ୍ରଦାନ କରିଛନ୍ତି । ଏଭଳି ସ୍ଥିତିରେ ରାଜ୍ୟରେ ରିସର୍ଟ ରାଜନୀତି ଦେଖିବାକୁ ମିଳିଛି । ଏଆଇଏଡିଏମ୍‌କେ ଏହାର ୨୮ ବିଧାୟକଙ୍କୁ ପୁଡୁଚେରୀ ସିଫ୍ଟ କରିଦେଇଛି । ସେମାନଙ୍କୁ ଏକ ଘରୋଇ ରିସର୍ଟରେ ରଖାଯାଇଛି । ଦଳର କିଛି ନେତା ବିଜୟଙ୍କୁ ସମର୍ଥନ କରୁଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି । ଏହା ମଧ୍ୟରେ ଡିଏମ୍‌କେ ଏବଂ ଏଆଇଏଡିଏମ୍‌କେ ମଧ୍ୟରେ ସରକାର ଗଠନକୁ ନେଇ ଚର୍ଚ୍ଚା ଚାଲିଥିବା କୁହାଯାଉଛି । ‘ବ୍ୟାକ୍‌ ଚ୍ୟାନେଲ୍‌’ରେ ଦୁଇ ଦଳର ନେତାଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି ।

ତାମିଲନାଡୁରେ ସରକାର ଗଠନ ବିଳମ୍ବ ହେବାକୁ ନେଇ କଂଗ୍ରେସ ରାଜ୍ୟପାଳଙ୍କୁ ଟାର୍ଗେଟ୍‌ କରିଛି । ଦଳ କହିଛି, ସରକାର ଲୋକ ଭବନ ମଇଦାନରେ ନୁହେଁ, ବରଂ ବିଧାନସଭାରେ ସ୍ଥିର ହୋଇଥାଏ । ସେହିଭଳି ଟିଭିକେ ଏକ ସିକୁଲାର୍‌ ଦଳ ହୋଇଥିବାରୁ ତାଙ୍କୁ ସମର୍ଥନ ଦିଆଯାଇଥିବା ଦଳ କହିଛି । ରାଜଧାନୀ ଚେନ୍ନାଇରେ ଭିସିକେ ମୁଖ୍ୟ ଥୋଲ୍‌ ତିରୁମାବଲୱନ ଡିଏମ୍‌କେ ଅଧ୍ୟକ୍ଷ ଏମ୍‌ କେ ଷ୍ଟାଲିନଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି । ଏହାପରେ ରାଜ୍ୟ ରାଜନୀତି ତେଜିଛି । ଭିସିକେ ଏବଂ ଡିଏମ୍‌କେକୁ ସହଯୋଗୀ ଦଳ ବିବେଚନା କରାଯାଏ । କିନ୍ତୁ ଆଲୋଚନା କାଳରେ କେଉଁ ପ୍ରସଙ୍ଗରେ ଚର୍ଚ୍ଚା ହୋଇଛି, ତାହା କୁହାଯାଇ ନାହିଁ । ଭିସିକେ ମୁଖ୍ୟ କହିଛନ୍ତି, ବିଜୟଙ୍କୁ ସରକାର ଗଠନ ପୂର୍ବରୁ ବହୁମତ ପ୍ରମାଣ ପାଇଁ କହିବା ରାଜ୍ୟପାଳଙ୍କର ଅଧିକାର ନାହିଁ । ବିଜୟଙ୍କୁ ପ୍ରଥମେ ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେବାକୁ ଅନୁମତି ଦେବା ଉଚିତ । ଏହା ହିଁ ଜନାଦେଶ । ତାଙ୍କ ଦଳ ସର୍ବାଧିକ ଆସନରେ ବିଜୟୀ ହୋଇଛି । ବିଧାନସଭାରେ ବହୁମତ ପ୍ରମାଣ କରିବା ବିଜୟଙ୍କ ଦାୟିତ୍ୱ । ତେଣୁ ଟିଭିକେକୁ ସରକାର ଗଠନ ଲାଗି ଅନୁମତି ଦେବାକୁ ମୁଁ ରାଜ୍ୟପାଳଙ୍କୁ ଅନୁରୋଧ କରୁଛି । ବିଜୟ ଆମକୁ ସମର୍ଥନ ମାଗିଛନ୍ତି । ଆମେ ଏ ବାବଦରେ ପରେ ନିଷ୍ପତ୍ତି ଗ୍ରହଣ କରିବୁ। ସରକାର ଗଢିବା ବିଜୟଙ୍କର ସାମ୍ବାଧାନିକ ଅଧିକାର।

ଏହି ଖବରଟିକୁ ପଢନ୍ତୁତାମିଲନାଡ଼ୁରେ ସରକାର ଗଠନ ପାଇଁ ବିଜୟଙ୍କ ନୂଆ ଯୋଜନା