ପାଣି ପାଇଁ ଡହକ ବିକଳ ଗ୍ରାମବାସୀ, ପ୍ରତିବାଦରେ ରାସ୍ତା ଅବରୋଧ

କେସିଙ୍ଗା,୨୫/୩: କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ କୁଣ୍ଡାବନ୍ଧ ପଞ୍ଚାୟତର ସିକେରପଡ଼ା ଓ ଛେନା ଗାଁର ଲୋକେ ୧୦ ଦିନ ହେଲା ପାଣିପାଇଁ ହନ୍ତସନ୍ତ ହୋଇଆସୁଥିବା ଅଭିଯୋଗ ହେଉଛି । ସ୍ଥାନୀୟ ପଞ୍ଚାୟତ କର୍ତ୍ତୃପକ୍ଷ, ବ୍ଲକ ପ୍ରଶାସନ ତଥା ବିଭାଗୀୟ ଅଧିକାରୀଙ୍କୁ ଏ ବିଷୟରେ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିନଥିବା ଅଭିଯୋଗ ହୋଇଛି । ତାହାର ପ୍ରତିବାଦରେ ଖଜୁରପଡ଼ା-ତୁର୍କେଲକୁ ସଂଯୋଗ ହୋଇଥିବା ପିଡବ୍ଲୁଡି ରାସ୍ତାର ସିକେରପଡ଼ାଠାରେ ଆଜି ସକାଳ ୭ଟାରୁ ରାସ୍ତାକୁ ଅବରୋଧ କରିଛନ୍ତି ଅଭିଯୋଗକାରୀ । ରାସ୍ତାର ଅବରୋଧ ଫଳରେ ଉଭୟ ପାର୍ଶ୍ଵରେ ବହୁ ଯାନବାହନ ଅଟକିରହିଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ, ଯେ କୁଣ୍ଡାବନ୍ଧ ପଞ୍ଚାୟତ ସିକେରପଡଡ଼ା ଓ ଛେନା ଗାଁ ଦୁଇଟି ୱାର୍ଡରେ ପାଖାପାଖି ୧୫ଶହ ଲୋକ ବସବାସ କରନ୍ତି । ଉକ୍ତ ଦୁଇଟି ୱାର୍ଡ ପାହାଡ଼ିଆ ଅଞ୍ଚଳ ହୋଇଥିବାରୁ ଗାଁର ଅନେକ ନଳକୂପ ଖରାଦିନେ ଅଚଳ ହୋଇଥାଏ ଓ ସେଠାକାର ଲୋକେ ଜଳ ଯୋଗାଣ ପ୍ରକଳ୍ପ ଉପରେ ନିର୍ଭର କରିଥାନ୍ତି । କିନ୍ତୁ, ଗାଁ ଲୋକଙ୍କ ଅଭିଯୋଗ ଅନୁଯାୟୀ ୧୦ଦିନ ହେଲାଣି ଜଳ ଯୋଗାଣ ପ୍ରକଳ୍ପରୁ ପାଣି ଯୋଗାଣ ବନ୍ଦ ଅଛି ଫଳରେ ଲୋକେ ପାଣି ମୁନ୍ଦିଏ ପାଇଁ ଡହଳ ବିକଳ ହେଉଛନ୍ତି । ଜଳ ଯୋଗାଣ ପ୍ରକଳ୍ପରୁ ପାଣି ବନ୍ଦ ହେବା ଫଳରେ ସ୍ଥାନୀୟ ସ୍କୁଲ ନଳକୂପ ଉପରେ ନିର୍ଭର କରୁଥିଲେ ହେଲେ ଦୁର୍ଭାଗ୍ୟବଶତଃ ସେହି ନଳକୂଅ ମଧ୍ୟ ଖରାପ ହୋଇଛି ।
ଏନେଇ ବାରମ୍ବାର ସ୍ଥାନୀୟ ସରପଞ୍ଚ, ପିଇଓ ଓ ବ୍ଲକ ପ୍ରଶାସନକୁ ଅଭିଯୋଗ କରିଆସୁଥିଲେ ମଧ୍ୟ କୌଣସି ବ୍ୟବସ୍ଥା କରାଯାଇ ନାହିଁ । ତାହାର ପ୍ରତିବାଦରେ ବାଧ୍ୟହୋଇ ରାସ୍ତା ଅବରୋଧ କରିଛୁ ବୋଲି ଅଭିଯୋଗକାରୀଙ୍କ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି । ଏନେଇ କେସିଙ୍ଗା ବ୍ଲକ ଆର ଡବ୍ଲୁଏସ ବିଭାଗର କନିଷ୍ଠ ଯନ୍ତ୍ରୀ-୧ ଧର୍ମେନ୍ଦ୍ର ସେଠୀଙ୍କୁ ପଚାରିବାରୁ ୪ ଦିନ ହେଲା ଜଳ ଯୋଗାଣ ପ୍ରକଳ୍ପର ମୋଟର ପୋଡ଼ିଯାଇଛି ଓ ସେଠାରେ ବାରମ୍ବାର କେବୁଲ ଚୋରି ହେଉଛି ସେଥିପାଇଁ ପାଣି ଯୋଗାଣ ବନ୍ଦ ଅଛି ତାହାର ଯଥାଶୀଘ୍ର ଅଲଗା ମୋଟର ବ୍ୟବସ୍ଥା କରାଯାଉଛି ବୋଲି ସେ ପ୍ରକାଶ କରିଛନ୍ତି । ଅପରପକ୍ଷେ, ଏହି ଅଭିଯୋଗ ଉପରେ ଗଣମାଧ୍ୟମ ପ୍ରତିନିଧି ବିଡ଼ିଓ ଦୃଷ୍ଟି ଆକର୍ଷଣ କରିବା ପରେ କେସିଙ୍ଗା ବିଡ଼ିଓ ପ୍ରଫୁଲ୍ଲ କୁମାର ଅଦୁ କିନ୍ତୁ ଏବିଷୟରେ କିଛି ଜାଣିନାହିଁ ନାହାନ୍ତି ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଛନ୍ତି ।
ତେବେ ଏଠି ପ୍ରଶ୍ନ ଉଠୁଛି ଖରାଦିନ ଆରମ୍ଭ ହେବାକୁ ବସିଲାଣି ଅଥଚ ପ୍ରଶାସନିକ ଅଧିକାରୀ ଲୋକଙ୍କ ପାନୀୟ ଜଳ ସମସ୍ୟା ଉପରେ କେତେ ତତ୍ପର ଅଛନ୍ତି ? ଯାହାକି ଆଜିର ଘଟଣାକୁ ଦେଖିଲେ ଏକ ଜ୍ଵଳନ୍ତ ଉଦାହରଣ ସୃଷ୍ଟି କରିଛି କେସିଙ୍ଗା ବ୍ଲକ ଅଞ୍ଚଳରେ । ସ୍ଥାନୀୟ ନିର୍ବାଚିତ ପ୍ରତିନିଧିଙ୍କ ଅବହେଳା ସାଙ୍ଗକୁ ପଞ୍ଚାୟତ ଓ ବ୍ଲକ ପ୍ରଶାସନର ଖାମଖିଆଲି ମନୋଭାବ ଯୋଗୁଁ ପାଣି ବୁନ୍ଦାଏ ପାଇଁ ଲୋକେ ହନ୍ତସନ୍ତ ହୋଇ ଆଜି ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହୋଇଛନ୍ତି । ତେବେ ଏଭଳି କେସିଙ୍ଗା ବ୍ଲକର ବାଲସି, ସିରୋଲ, ଲଇତରା ପ୍ରଭୃତି ପଞ୍ଚାୟତର ଗାଁ ମାନଙ୍କରେ ଜଳ ଯୋଗାଣ ପ୍ରକଳ୍ପ ନାହିଁ ନାହିଁରେ ଚାଲୁଥିବା ଅଭିଯୋଗ ହେଉଛି ।