ନବରଙ୍ଗପୁର/ରାଇଘର/ଉମରକୋଟ, ୧୫/୦୫ : ଧର୍ମ ଆଗରେ ହାର୍ ମାନିଛି ମାନବିକତା । ମାତ୍ର କେଇଘଣ୍ଟା ନୁହେଁ, ମୃତ୍ୟୁର ୨ ଦିନ ପରେ ବି ଶବକୁ ମିଳୁନି ଶ୍ମଶାନ । ଧର୍ମ ପରିବର୍ତ୍ତନର ଦ୍ୱାହି ଦେଇ ଅନ୍ୟ ସଂପ୍ରଦାୟର ଲୋକେ ମୃତଦେହର ଅନ୍ତ୍ୟେଷ୍ଟିକ୍ରିୟା ପାଇଁ ଜମି ଦେଉନାହାନ୍ତି । କେବଳ ମଶାଣି ନୁହେଁ, ମୃତକଙ୍କ ପରିବାରର ପଟ୍ଟାଜମିରେ ମଧ୍ୟ ପୋତିବାକୁ ଗ୍ରାମବାସୀ ଦୃଢ ବିରୋଧ କରିଛନ୍ତି । ଘରର ଜଣେ ଆତ୍ମୀୟଙ୍କୁ ହରାଇ ଦୁଃଖରେ ଭାଙ୍ଗିପଡ଼ିଥିବା ଶୋକସନ୍ତପ୍ତ ପରିବାରର ପିଠି ଥାପୁଡାଇବାକୁ ୨ଟି ସଂପ୍ରଦାୟର କେହି ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ନାହାନ୍ତି । ଗୋଟିଏ ଦିନରେ ନବରଙ୍ଗପୁର ଜିଲ୍ଲାର ଦୁଇଟି ସ୍ଥାନରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଉମରକୋଟ ଓ ରାଇଘର ଥାନା ଅଞ୍ଚଳରେ ଗୋଟିଏ ପ୍ରସଙ୍ଗକୁ ନେଇ ଶବକୁ ଶ୍ମଶାନ ମିଳୁନି । ପୂର୍ବ ଧର୍ମକୁ ଫେରିଲେ ମଶାଣି ମିଳିବ ବୋଲି ମୃତ ପରିବାର ଲୋକଙ୍କ ପାଇଁ ଜାରି କରାଯାଇଛି ଫତୱା । ଉଭୟ ସ୍ଥାନରେ ପୁଲିସ ପ୍ରଶାସନ ପହଞ୍ଚି ଲୋକଙ୍କୁ ବୁଝାଶୁଝା ଜାରି ରଖିଛି ।
ପ୍ରଥମ ଘଟଣାଟି ଉମରକୋଟ ଥାନା କୋପେନା ପଞ୍ଚାୟତର ଅଣ୍ଡିରିଗାଁର । ଏଠାକାର ମାଣିକ ସାନ୍ତା(୫୬)କିଡ୍ନୀଜନିତ ରୋଗରେ ପୀଡ଼ିତ ଥିଲେ । ସୋମବାର ସନ୍ଧ୍ୟା ୭ଟାରେ ତାଙ୍କ ମୃତ୍ୟୁ ହୋଇଥିଲା । ଏହି ଖବର ପାଇ ଅନ୍ୟ ସଂପ୍ରଦାୟର ଲୋକେ ମୃତାଙ୍କ ପରିବାରକୁ ଖବର ପଠାଇଲେ । ଧର୍ମ ପରିବର୍ତ୍ତନ କରିଥିବାରୁ ଗାଁ ମଣାଣି ଦିଆଯିବନି ବୋଲି ରୋକଠୋକ୍ ଚେତାବନୀ ଶୁଣାଇଥିଲେ । ଯଦ୍ୱାରା ସୋମବାର ସନ୍ଧ୍ୟାରୁ ମଙ୍ଗଳବାର ରାତି ୮ଟା ପର୍ଯ୍ୟନ୍ତ ଦୀର୍ଘ ୨୪ ଘଣ୍ଟା ହେଲା ମଶାଣିକୁ ନେଇ ଉଠିଥିବା ବିବାଦର ସମାଧାନ ହୋଇପାରିନଥିଲା । ଗାଁରେ ଉଭୟ ସଂପ୍ରଦାୟ ମଧ୍ୟରେ ଉତ୍ତେଜନା ଲାଗିରହିଛି । ଉମରକୋଟ ଥାନା ଅଧିକାରୀ ବିପିନକୁମାର ବାଘ, ତହସିଲଦାର ମେଘବାନ ବାଘ ପ୍ରମୁଖ ପୁଲିସ ଟିମ୍ ନେଇ ଗାଁରେ ପହଞ୍ଚିଥିଲେ । ଉଭୟ ସଂପ୍ରଦାୟକୁ ବୁଝାଶୁଝା କରି ନାକେଦମ୍ ହୋଇଥିଲେ । ତଥାପି ସମାଧାନର ରାସ୍ତା ବାହାରିପାରିନି ।
ଅନୁରୂପ ଭାବେ ରାଇଘର ଥାନା ଡୁମିରିମୁଣ୍ଡା ଗାଁର ରାଇମତି ଗଣ୍ଡ(୭୦)ଙ୍କ ସୋମବାର ବିଳମ୍ବିତ ରାତିରେ ମୃତ୍ୟୁ ହୋଇଥିଲା । ମୃତାଙ୍କ ପରିବାର ମଧ୍ୟ ଧର୍ମ ପରିବର୍ତ୍ତନ କରିଥିବାରୁ ରାଇମତିଙ୍କ ଶବକୁ ଶ୍ମଶାନ ଦେବାକୁ ଅନ୍ୟ ସଂପ୍ରଦାୟର ଲୋକେ ମନା କରିଦେଇଛନ୍ତି । ଗ୍ରାମବାସୀଙ୍କୁ ସମ୍ପୃକ୍ତ ପରିବାର ଲୋକେ ନେହୁରା ହୋଇଥିଲେ ବି ସୁଫଳ ନମିଳିବାରୁ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ମଙ୍ଗଳବାର ସକାଳେ ଉମରକୋଟ ଏସଡିପିଓ ଶୁଭେନ୍ଦୁ ଶବର, ତହସିଲଦାର ମନମୋହନ ସାହୁ, ରାଇଘର ଥାନା ଅଧିକାରୀ ପି.କେ.ଚାନ୍ଦ ବାହାବଲ କଟୱାଙ୍କ ସମେତ ପୁଲିସ ଟିମ୍ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାଶୁଝା କରିଛନ୍ତି । ଦିନତମାମ ଉଭୟ ପକ୍ଷଙ୍କୁ ବୁଝାଇ ପୁଲିସ ଓ ପ୍ରଶାସନିକ ଅଧିକାରୀ ଥକିଗଲେଣି । କୌଣସି ନିଷ୍କର୍ସ ବାହାରି ପାରିନି । ରାତି ୯ଟା ୩୦ ପର୍ଯ୍ୟନ୍ତ ଉଭୟ ୨ଟି ଗାଁରେ ମୃତକଙ୍କ ଶବ ଶତ୍କାର ନହୋଇ ପଡ଼ି ରହିଥିଲା । ସେମାନଙ୍କ ପରିବାରକୁ ପୂର୍ବ ଧର୍ମକୁ ଫେରିଲେ ଶ୍ମଶାନ ଦିଆଯିବ ବୋଲି ଅନ୍ୟ ସଂପ୍ରଦାୟ ଜିଦ୍ରେ ଅଟଳ ରହିଛନ୍ତି । ଏଭଳି ଘଟଣାକୁ ନେଇ ମୂଳନିବାସୀ ଆଦିବାସୀ ପରିଷଦ ଅଧ୍ୟକ୍ଷ ଚନ୍ଦ୍ରଧ୍ୱଜ ମାଝୀ ତୀବ୍ର ନିନ୍ଦା କରିଛନ୍ତି । ସେ କହିଛନ୍ତି, ଆଦିବାସୀଙ୍କ ସ୍ୱତନ୍ତ୍ର ଧର୍ମ ରହିଛି। ଆଦିବାସୀ ହେଉଛନ୍ତି ପ୍ରକୃତିର ପୂଜକ । ସେମାନଙ୍କୁ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟଗୁଡିକ ଭାଗ ଭାଗ କରିବାକୁ ଉଦ୍ୟମ କରୁଛନ୍ତି । ଏହା କ୍ଷୋଭର ବିଷୟ ।
ଏହି ଖବରଟିକୁ ପଢନ୍ତୁ- ଶଙ୍କର ପିଠିରେ ଘା’, ଚିକିତ୍ସା କରୁଛନ୍ତି ଓୟୁଏଟି ଚିକିତ୍ସକ