ନୂଆଦିଲ୍ଲୀ,୦୮/୦୨:ଆମେରିକାରେ ଅବୈଧ ଭାବେ ରହୁଥିବା ପ୍ରବାସୀ ଭାରତୀୟଙ୍କୁ ସ୍ୱଦେଶ ପଠାଯିବା ପରେ ସେମାନଙ୍କ ସମ୍ପର୍କରେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ବିନା ବୈଧ ଦସ୍ତାବିଜରେ ରହୁଥିବା ୨୦,୪୦୭ ଜଣ ଭାରତୀୟଙ୍କୁ ଏପର୍ଯ୍ୟନ୍ତ ଆମେରିକାରେ ଚିହ୍ନଟ କରାଯାଇଛି । ସେମାନଙ୍କୁ ପର୍ଯ୍ୟାୟକ୍ରମେ ଭାରତ ପଠାଇବାକୁ ପଦକ୍ଷେପ ନିଆଯାଉଛି । ସେମାନଙ୍କ ମଧ୍ୟରେ ୨,୪୬୭ ଜଣ ଆଇସିଇ (ଇମିଗ୍ରେସନ ଆଣ୍ଡ କଷ୍ଟମ୍ସ ଏନଫୋର୍ସମେଣ୍ଟ) ଅଟକ ଶିବିରରେ ରହିଛନ୍ତି । ସେମାନଙ୍କ ମଧ୍ୟରୁ ନିକଟରେ ପ୍ରଥମ ଦଫାରେ ୧୦୪ ଜଣଙ୍କୁ ଭାରତ ପଠାଯାଇଛି । ସେହିଭଳି ଆଇସିଇ ଅଟକ ଶିବିରକୁ ବାଦ୍ ଦେଲେ ଅନ୍ୟ ୧୭,୯୪୦ ଜଣ ବିଭିନ୍ନ ସ୍ଥାନରେ ରହିଛନ୍ତି । ସେମାନଙ୍କ ମଧ୍ୟରୁ ଅନେକଙ୍କ ଗୋଡରେ ଡିଜିଟାଲ ଟ୍ରାକର ଲଗାଯାଇଛି । ଏହାରି ମାଧ୍ୟମରେ ସେମାନେ କେଉଁଆଡେ ଗଲେ ତାହା ଆଇସିଇ ୨୪ ଘଣ୍ଟିଆ ତଦାରଖ କରୁଛି ।
ନିର୍ଦ୍ଧାରିତ ସ୍ଥାନ ଠାରୁ ସେମାନେ ବାହାରକୁ ଯାଇପାରିବେ ନାହିଁ । ଆଇସିଇ କହିଛି ତାର ଅଟକ ଶିବିରରେ କ୍ଷମତାଠାରୁ ୧୦୯ ପ୍ରତିଶତ ଅଧିକ ଲୋକ ରହୁଛନ୍ତି । ହୋମଲାଣ୍ଡ ସୁରକ୍ଷା ବିଭାଗର ତଥ୍ୟ ଅନୁସାରେ ଆମେରିକାରେ ଦେଶବ୍ୟାପୀ ଅଟକ ଶିବିରରେ ମୋଟ ଶଯ୍ୟା ସଂଖ୍ୟା ରହିଛି ୩୮,୫୫୨ । ସେଠାରେ ବର୍ତ୍ତମାନ ସୁଦ୍ଧା ୪୨ ହଜାରରୁ ଅଧିକ ଲୋକ ରହୁଛନ୍ତି । ସେମାନଙ୍କ ମଧ୍ୟରୁ ଅଧାରୁ ଅଧିକଙ୍କୁ ମେକ୍ସିକୋ ସୀମାରୁ ଗିରଫ କରାଯାଇଛି । ଆମେରିକାରୁ ୧୦୪ ଜଣ ପ୍ରବାସୀ ଭାରତୀୟଙ୍କୁ ଧରି ସେଠାକାର ବାୟୁସେନାର ସି-୧୭ ପରିବହନ ବିମାନ ଗତ ୪ ତାରିଖରେ ଟେକ୍ସାସର ସେଣ୍ଟ ଆଣ୍ଟୋନିଓ ବିମାନ ଘାଟିରୁ ଆସିଥିଲା ବେଳେ ୫ରେ ଅମୃତସରରେ ଅବତରଣ କରିଥିଲା । ସେମାନଙ୍କ ହାତ ଓ ଗୋଡ ବନ୍ଧାଯାଇଥିଲା । ଏପରିକି ଖାଇବା ସମୟରେ ମଧ୍ୟ ସେମାନଙ୍କ ହାତ ଖୋଲାଯାଇ ନଥିଲା । ଶୌଚାଳୟ ଯିବା ବେଳେ ମଧ୍ୟ ସେମାନଙ୍କ ଉପରେ ନଜର ରଖାଯାଇଥିଲା । ଦୀର୍ଘ ୪୦ ଘଣ୍ଟାର ଯାତ୍ରା କାଳରେ ଏହି ଭାରତୀୟମାନେ ଅମାନବୀୟ ନିର୍ଯାତନା ଭୋଗିଥିଲେ । ସେମାନଙ୍କ ମଧ୍ୟରେ ମହିଳା ଓ ପିଲା ମଧ୍ୟ ଥିଲେ । ଆମେରିକା ବର୍ଡର ପାଟ୍ରୋଲ ମୁଖ୍ୟ ମାଇକେଲ ବ୍ୟାଙ୍କ ନିଜ ସୋସିଆଲ ମିଡିଆ ଏକ୍ସରେ ଏହାର ଭିଡିଓ ସେୟାର କରିଥିଲେ । ଏପରିକି ସେ ଅବୈଧ ପ୍ରବାସୀ ଭାରତୀୟଙ୍କୁ ଅବୈଧ ଏଲିଏନ୍ସ ବୋଲି ଉଲ୍ଲେଖ କରିଥିଲେ । ଭାରତକୁ ପଠାଯାଇଥିବା ଏହି ଅବୈଧ ପ୍ରବାସୀଙ୍କ ମଧ୍ୟରେ ପଞ୍ଜାବର ୩୦ ଜଣ ରହିଥିଲା ବେଳେ ଗୁଜରାଟ ଓ ହରିୟାଣାର ୩୩ ଜଣ ଲେଖାଏ ରହିଥିଲେ । ଆମେରିକାର ଏଭଳି ଅମାନବୀୟ ବ୍ୟବହାରକୁ ନେଇ ଦେଶରେ କଡା ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ବିଭିନ୍ନ ଦଳ ଏହାକୁ ସମାଲୋଚନା କରିଥିଲେ । ସଂସଦରେ ବିରୋଧୀ ଦଳର ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ ମଧ୍ୟ କରିଥିଲେ ।
ସେପଟେ ଆମେରିକା ପ୍ରଶାସନ ମଧ୍ୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ ଅନୁସାରେ ବିଭିନ୍ନ ଦେଶରୁ ଆସି ସେଠାରେ ବସବାସ କରୁଥିବା ଅବୈଧ ଲୋକଙ୍କୁ ଧରୁଛି । ସେମାନଙ୍କ ମଧ୍ୟରୁ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ପୂର୍ବ କ୍ୟୁବାରେ ଅବସ୍ଥିତ ଗୁଆନ୍ତନାମୋ ବେ କାରାଗାରକୁ ନିଆଯାଇଛି । ଆମେରିକା ସେନାର ଏକ ବିମାନ ୧୦ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ନେଇ ଗତ କିଛିଦିନ ତଳେ ସେଠାରେ ପହଞ୍ଚିଥିଲା । ଆମେରିକା ହୋମଲାଣ୍ଡ ସିକ୍ୟୁରିଟି ସଂସ୍ଥାର ମୁଖପାତ୍ର ଟ୍ରିକିୟା ମ୍ୟାକଲୋଫିନଙ୍କ ସୂଚନା ଅନୁସାରେ ଯେଉଁମାନଙ୍କୁ ଗୁଆନ୍ତନାମୋ ବେ ଜେଲ୍କୁ ନିଆଯାଉଛି ସେମାନେ ସମସ୍ତେ ଜଘନ୍ୟ ଅପରାଧୀ । ଗୁଆନ୍ତନାମୋ ବେ’ରେ ରହିଛି ଆମେରିକା ନୌସେନାର ଏକ ଘାଟି । ରାଷ୍ଟ୍ରପତି ଟ୍ରମ୍ପ ସେଠାରେ ୩୦ ହଜାର ଅବୈଧ ପ୍ରବାସୀଙ୍କୁ ରଖିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । ଏହି ଜେଲ୍କୁ ବିଶ୍ୱର ସବୁଠାରୁ କୁଖ୍ୟାତ ଜେଲ୍ ଭାବେ ଗଣାଯାଏ । ଏଠାରେ ଅମାନବୀୟ ନିର୍ଯାତନା ମଧ୍ୟ ଦିଆଯାଉଥିବା ନେଇ ଖବର ପ୍ରକାଶ ପାଉଛି ।