ଦୁବାଇ: ରବିବାର (ଫେବୃଆରୀ ୨୩ ) ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଭାରତ ବନାମ ପାକିସ୍ତାନ ମ୍ୟାଚ୍‌ରେ ବିରାଟ କୋହଲି ବଡ଼ ରେକର୍ଡ କରିଛନ୍ତି । ଅନ୍ତର୍ଜାତୀୟ ଦିନିକିଆରେ ସଚିନ ତେନ୍ଦୁଲକରଙ୍କ ବିଶ୍ୱ ରେକର୍ଡ ଭାଙ୍ଗିଛନ୍ତି ବିରାଟ । କିଙ୍ଗ କୋହଲି ବିଶ୍ୱର ତୃତୀୟ ଖେଳାଳି ଭାବରେ ୧୪୦୦୦ ରନ ହାସଲ କରିଛନ୍ତି । ସେ ବିଶ୍ୱର ଦ୍ରୁତତମ ଖେଳାଳି ଭାବରେ ଓଡିଆଇରେ ୧୪୦୦୦ ରନ ପୂରଣ କରିଛନ୍ତି । ପାକିସ୍ତାନ ବିପକ୍ଷ ମୁକାବିଲାରେ କୋହଲିଙ୍କୁ ୧୪ ହଜାର ଦିନିକିଆ ରନ ହାସଲ କରିବା ପାଇଁ ୧୫ ରନ ଆବଶ୍ୟକ ଥିଲା ଏବଂ ସେ ଦ୍ୱିତୀୟ ଇନିଂସରେ ଶୀଘ୍ର ଏହି ସଫଳତା ହାସଲ କରିଥିଲେ । ପୂର୍ବତନ ଭାରତୀୟ ଅଧିନାୟକ କୋହଲି ୫୦ ଓଭର ଫର୍ମାଟରେ ୧୪୦୦୦ ରନ ହାସଲ କରିବାରେ ବିଶ୍ୱର ତୃତୀୟ ଖେଳାଳି ହୋଇଛନ୍ତି । ସଚିନ ଏବଂ କୁମାର ସାଙ୍ଗାକାରାଙ୍କ ତାଲିକାରେ ସାମିଲ ହୋଇଛନ୍ତି   ବିରାଟ ।

କୋହଲି ମାତ୍ର ୨୮୭ ଇନିଂସରେ ୧୪ ହଜାର ରନ୍ ପୂରଣ କରିଛନ୍ତି । ଏହା ପୂର୍ବରୁ ସଚିନ ତେନ୍ଦୁଲକର ୩୫୦ ଇନିଂସରେ ଏହି ସଫଳତା ହାସଲ କରିଥିଲେ । ତେବେ ସବୁଠାରୁ କମ ଇନିଂସରେ ବିରାଟ କୋହଲି ୧୪ ହଜାର ରନ୍‌ ହାସଲ କରିବାରେ ସଫଳ ହୋଇଛନ୍ତି ।

ଓଡିଆଇରେ ଦ୍ରୁତତମ ୧୪୦୦୦ ରନ୍

୧ - ବିରାଟ କୋହଲି: ୨୮୭ ଇନିଂସ

୨ - ସଚିନ ତେନ୍ଦୁଲକର: ୩୫୦ ଇନିଂସ

୩ - କୁମାର ସାଙ୍ଗାକାରା: ୪୭୮ ଇନିଂସ

ଚାମ୍ପିଅନ୍ସ ଟ୍ରଫି ୨୦୨୫ ଆରମ୍ଭ ପୂର୍ବରୁ କୋହଲି ଏହି ସଫଳତାରୁ ମାତ୍ର ୩୭ ରନ୍ ପଛରେ ଥିଲେ। ବାଂଲାଦେଶ ବିପକ୍ଷରେ ଭାରତର ପ୍ରଥମ ଚାମ୍ପିଅନ୍ସ ଟ୍ରଫି ମ୍ୟାଚ୍‌ରେ ସେ ଏହି ମାଇଲଖୁଣ୍ଟ ଛୁଇଁପାରିଥାନ୍ତେ । କିନ୍ତୁ ସେ ଏହି ମ୍ୟାଚ୍‌ରେ ୨୨ ରନ୍ କରି ଆଉଟ୍ ହୋଇଥିଲେ । ଆଜି ଦୁବାଇରେ ଆୟୋଜିତ ଭାରତ ବନାମ ପାକିସ୍ତାନ ମ୍ୟାଚ୍‌ରେ କୋହଲି ୧୪ ହଜାର ରନ୍‌ ପୂରଣ କରିଛନ୍ତି । ଆଜି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ପାକିସ୍ତାନ ୨୪୧ ରନ୍ କରିଥିଲା । ଜବାବରେ ଭାରତୀୟ ଦଳ ବହୁତ ଭଲ ପ୍ରଦର୍ଶନ କରିଛି । ଆଜିର ମ୍ୟାଚ୍‌ରେ ଖେଳପ୍ରେମୀଙ୍କ ହୃଦୟ ଜିଣିଛନ୍ତି ବିରାଟ କୋହଲି ।