ନୂଆଦିଲ୍ଲୀ, ୮/୩ : ୨୦୨୫ଚାମ୍ପିୟନ୍ସ ଟ୍ରଫିର ଫାଇନାଲ ୯ମାର୍ଚ୍ଚରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ଏହି ଟାଇଟେଲ୍ ମ୍ୟାଚ୍ ଦୁବାଇରେ ଖେଳାଯିବ । ଏହି ମହାମୁକାବିଲାରେ ବିରାଟ କୋହଲୀ ଏକ ବଡ଼ ରେକର୍ଡ଼ ନିଜ ନାଁରେ କରିପାରନ୍ତି । ବିରାଟଙ୍କ ନାଁରେ ଏବେ ଓ୍ବାନେଡେରେ ୧୪,୧୮୦ରନ୍ ଅଛି । ଯଦି ସେ ନ୍ୟୁଜିଲାଣ୍ଡ ବିପକ୍ଷ ଫାଇନାଲରେ ୫୫ରନ୍ ଆହୁରି କରୁଛନ୍ତି ତେବେ ପୁଣି ସେ ଓ୍ବାନେଡେ କ୍ରିକେଟର ଇତିହାସରେ ଦ୍ବିତୀୟ ସବୁଠାରୁ ଅଧିକ ରନ୍ କରିଥିବା ବ୍ୟାଟର ହୋଇଯିବେ । ଏବେ ଓ୍ବାନେଡେରେ ସବୁଠାରୁ ଅଧିକ ରନର ରେକର୍ଡ଼ ସଚିନ ତେନ୍ଦୁଲକରଙ୍କ ନାଁରେ ଅଛି । ସଚିନଙ୍କ ନାଁରେ ୧୮,୪୨୬ରନ୍ ଅଛି ।
ଏହି ରେକର୍ଡ଼ ଲିଷ୍ଟରେ ଏବେ ଦ୍ବିତୀୟ ନମ୍ବରରେ ଶ୍ରୀଲଙ୍କାର କୁମାର ସାଙ୍ଗାକାରା ଅଛନ୍ତି । ସାଙ୍ଗାକାରାଙ୍କ ନାଁରେ ୧୪୨୩୪ରନ୍ ଅଟେ । ସେହିଭଳି ବିରାଟଙ୍କ ନାଁରେ ୧୪୧୮୦ଅଟେ । ଏବେ ବିରାଟଙ୍କ ପାଖରେ ଫାଇନାଲରେ ସାଙ୍ଗାକାରଙ୍କୁ ପଛରେ ପକାଇବାର ସୁଯୋଗ ଅଛି ।
ରୋଚକ କଥା ଏହା କି ବିରାଟ କୋହଲୀ ନ୍ୟୁଜିଲାଣ୍ଡ ବିପକ୍ଷରେ ଓ୍ବାନେଡେରେ ୫୦ତମ ଶତକ ଲଗାଇଥିଲେ। ସେ ସେତେବେଳେ ସଚିନ ତେନ୍ଦୁଲକରଙ୍କ ସବୁଠାରୁ ଅଧିକ ଓ୍ବାନେଡେର ରେକର୍ଡ଼ ଭାଙ୍ଗିଥିଲେ । ସଚିନଙ୍କ ନାଁରେ ଓ୍ବାନେଡେରେ ୪୯ଶତକ ଅଛି । ଏବେ ଏହି ରେକର୍ଡ଼ ବିରାଟଙ୍କ ନାଁରେ ଅଛି । କିଙ୍ଗ୍ କୋହଲୀ ଓ୍ବାନେଡେରେ ୫୧ଶତକ ଲଗାଇ ସାରିଛନ୍ତି ।