ପାଟନା: ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ୧୮ ଟି ଜିଲ୍ଲାର ୧୨୧ ଟି ଆସନ ପାଇଁ ଆ ମତଦାନ ହୋଇଛି । ଏହି ଆସନଗୁଡ଼ିକରେ ରେକର୍ଡ ୬୪.୬୬ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି । ୧୯୫୧ ପରେ ଏଥର ପ୍ରଥମ ପର୍ଯ୍ୟାୟରେ ରେକର୍ଡ ସଂଖ୍ୟକ ଭୋଟିଂ ହୋଇଛି । ଏଥିପାଇଁ ବିହାରର ଭୋଟରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ।
ପ୍ରଥମ ପର୍ଯ୍ୟାୟରେ ମୋଟ ୧୩୧୪ ପ୍ରାର୍ଥୀଙ୍କ ଲାଗି ଭୋଟ ପଡ଼ିଛି । ୨୦୨୦ରେ ଏହି ୧୨୧ ଟି ଆସନରେ ମୋଟ ୫୫.୮୧ ପ୍ରତିଶତ ମତଦାନ ରେକର୍ଡ କରାଯାଇଥିଲା । ୨୦୨୦ ରେ ସମସ୍ତ ୨୪୩ ଟି ଆସନରେ ମୋଟ ୫୮.୭ ପ୍ରତିଶତ ମତଦାନ ରେକର୍ଡ କରାଯାଇଥିଲା। ୭ଟି ବିଧାନସଭା ଆସନ ବିଶିଷ୍ଟ ବେଗୁସରାଇ ଜିଲ୍ଲାରେ ହାରାହାରି ୬୭.୩୨ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି । ଯେଉଁଥିରେ ତେଘରା ନିର୍ବାଚନମଣ୍ଡଳୀରେ ସର୍ବାଧିକ ୬୯.୭୫ ପ୍ରତିଶତ ମତଦାନ ହୋଇଛି ।
ସେହିଭଳି ମାଧେପୁରା ଜିଲ୍ଲାରେ ହାରାହାରି ୬୫.୭୪ ପ୍ରତିଶତ ଭୋଟର ମତଦାନ ରେକର୍ଡ କରାଯାଇଛି। ଏଠାରେ ଚାରୋଟି ବିଧାନସଭା ଆସନ ଅଛି। ଏହି ଚାରୋଟି ମଧ୍ୟରୁ ଆଲାମନଗରରେ ସର୍ବାଧିକ ୬୬.୫୬ ପ୍ରତିଶତ ମତଦାନ ହୋଇଛି।
ଚାରୋଟି ବିଧାନସଭା ଆସନ ବିଶିଷ୍ଟ ଖଗାରିଆ ଜିଲ୍ଲାରେ ହାରାହାରି ୬୦.୬୫ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି, ଯେଉଁଥିରେ ସର୍ବାଧିକ ୬୬ ପ୍ରତିଶତ ମତଦାନ ହୋଇଛି।
ଭୋଜପୁର ଜିଲ୍ଲାରେ ୫୩.୨୫ ପ୍ରତିଶତ ମତଦାନ ହୋଇଛି। ଏଠାରେ ସାତୋଟି ବିଧାନସଭା ଆସନ ଅଛି। ସାତୋଟି ବିଧାନସଭା ଆସନ ମଧ୍ୟରୁ ସନ୍ଦେଶରେ ସର୍ବାଧିକ ୫୮.୦୧ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି ।
ବିହାରରେ ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହେବା ପରେ ଏବେ ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ଉପରେ ସମସ୍ତଙ୍କ ନଜର ରହିବ । ଦ୍ୱିତୀୟ ପର୍ଯ୍ୟାୟରେ ୧୨୨ଟି ଆସନ ପାଇଁ ୧୧ ନଭେମ୍ବରରେ ଭୋଟିଂ ହେବ। ଭୋଟ୍ ଗଣତି ୧୪ ନଭେମ୍ବରରେ ହେବ ।