ଭୁବନେଶ୍ବର, ୨୪/୨ :
ଭୁବନେଶ୍ବର, ୨୪/୨: ରାଜଧାନୀର ବଡ଼ଗଡ଼ ଦୋଳ ମଣ୍ଡପ ସାହିରେ ଅଭାବନୀୟ ଘଟଣା । ବିଏମସିର ଏକ ଡ୍ରେନ ନିର୍ମାଣ ପାଇଁ ମାଟି ଖୋଳୁଥିବା ବେଳେ ଡ୍ରେନ କଡରେ ଥିବା ଏକ ପାଚେରୀ ଭୁଶୁଡି ପଡିବାରୁ ଚାରି ଜଣ ଶ୍ରମିକ ପଥର ଗଦା ତଳେ ଚାପି ହୋଇ ଯାଇଥିଲେ I ସ୍ଥାନୀୟ ଲୋକେ ଓ ଅନ୍ୟ ଶ୍ରମିକ ମାନେ ପଥର କାଢି ଚାରି ଜଣଙ୍କୁ ଉଦ୍ଧାର କରିଥିଲେ I ହେଲେ ସେତେବେଳକୁ ଦୁଇ ଜଣଙ୍କର ପ୍ରାଣ ବାୟୁ ଉଡି ଯାଇଥିଲା I
ଅନ୍ୟ ଦୁଇ ଜଣ ଶ୍ରମିକ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତୀ କରା ଯାଇଛି I ମୃତ ଶ୍ରମିକ ମାନେ ହେଲେ ୫୮ ନମ୍ବର ୱାର୍ଡ ଅନ୍ତର୍ଗତ ଚିଲିପୋଖରୀ ନିକଟସ୍ଥ ଶିବ ନଗର ବସ୍ତିର ସନିଆ ମହାରଣା ବୟସ ୫୦ ଓ ବିକାଶ ସେଠୀ ବୟସ ୫୫ I ଗୁରୁତର ମାନେ ହେଲେ ଶ୍ରୀମତୀ ଉର୍ମିଳା ବେହେରା ବୟସ ୪୦ ଓ ଛାୟା ସେଠୀ ବୟସ ୩୮ I ସମସ୍ତେ ଚିଲିପୋଖରୀ ଅଞ୍ଚଳର ବାସିନ୍ଦା I
ମଙ୍ଗଳବାର ଅପରାହ୍ନ ୩ଟା ସମୟରେ ୪୪ ନମ୍ବର ୱାର୍ଡ ଅନ୍ତର୍ଗତ ବଡ଼ଗଡ଼ ଗ୍ରାମର ଦୋଳମଣ୍ଡପ ସାହିରେ ବିଏମସି ର ଏକ ଡ୍ରେନ ଖୋଳା ଚାଲିଥିଲା I ଏହି ଡ୍ରେନ ଖୋଳା କାର୍ଯ୍ୟରେ ପ୍ରାୟ ୧୫ ଜଣ ଶ୍ରମିକ ନିୟୋଜିତ ହୋଇଥିଲେ I ପ୍ରାୟ ୦୩ ଫୂଟ ଗଭୀରର ୧୦୦ ଫୂଟ ଲମ୍ବର ଡ୍ରେନ ଖୋଳା ଚାଲିଥିଲା I ଏହି ସମୟରେ ଡ୍ରେନ କଡ଼କୁ ଲାଗି ରହିଥିବା ଏକ ୨୦ ଫୂଟ ଲମ୍ବ ୦୭ ଫୂଟ ଉଚ୍ଚତା ବିଶିଷ୍ଟ ପଥର ନିର୍ମିତ ପାଚେରୀ ହଠାତ ପ୍ରଚଣ୍ଡ ଶବ୍ଦ କରି ଡ୍ରେନ ଉପରେ ପଡିଥିଲା I ଫଳରେ ଅଣ ଓସାରିଆ ଡ୍ରେନ ଭିତରେ ଚାରି ଜଣ ଶ୍ରମିକ ଚାପି ହୋଇ ଯାଇଥିଲେ I
ଦୋଳମଣ୍ଡପ ସାହିର ଲୋକେ ଓ ଅନ୍ୟ ଶ୍ରମିକ ମାନେ ଦୌଡି ଆସି ଚାପି ହୋଇ ଯାଇଥିବା ଶ୍ରମିକ ମାନଙ୍କ ଉପରୁ ତୁରନ୍ତ ମାଟି ପଥର କାଢ଼ିବା ଆରମ୍ଭ କରିଥିଲେ I ପ୍ରାୟ ଅଧ ଘଣ୍ଟା ଧରି ମାଟି ପଥର କାଢ଼ିବା ପରେ ଚାପି ହୋଇ ଯାଇଥିବା ଶ୍ରମିକ ମାନଙ୍କୁ ଡ୍ରେନ ଭିତରୁ ଉଦ୍ଧାର କରି ପଦାକୁ ଆଣିଥିଲେ I ସଙ୍ଗେ ସଙ୍ଗେ ଚାରି ଜଣଙ୍କୁ ଆମ୍ବୁଲାନ୍ସ ଡକାଇ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ I ସେଠାରେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ I ଅନ୍ୟ ଦୁଇ ଜଣ ମହିଳା ଶ୍ରମିକଙ୍କ ଅବସ୍ଥା ସଂଙ୍କଟାପନ୍ନ ଥିବା ଜଣା ପଡିଛି I
ଏହାସହ ପଢ଼ନ୍ତୁ : ଓଡ଼ିଶା ହେବ ପୂର୍ବ ଭାରତର ପ୍ରମୁଖ ସାହସିକ ପର୍ଯ୍ୟଟନ କେନ୍ଦ୍ର