ମୁମ୍ବାଇ ୦୮/୦୬: ଫିଲ୍ମ ଇଣ୍ଡଷ୍ଟ୍ରିରେ ପାରିଶ୍ରମିକରେ ବଡ଼ ତାରତମ୍ୟ ରହିଛି । ଏକ ସାକ୍ଷାତକାରରେ ଏହା କହିଛନ୍ତି ‘ଭୂଲ୍‌ ଚୁକ୍‌ ମାଫ୍‌’ ନାୟିକା ୱାମିକା ଗବ୍ୱି । ତାଙ୍କୁ ପଚରାଯାଇଥିଲା, ଫିଲ୍ମ ଫ୍ଲପ୍‌ ହେଲେ ମଧ୍ୟ ପୁରୁଷ କଳାକାରଙ୍କ ପାରିଶ୍ରମିକ କାହିଁକି କମେ ନାହିଁ । ଅନ୍ୟପକ୍ଷେ, ମହିଳା କଳାକାର ସର୍ବଦା ସମାଲୋଚନା ଓ ପାରିଶ୍ରମିକ କାଟ ଭଳି ବୋଝର ସମ୍ମୁଖୀନ ହୁଅନ୍ତି । ୱାମିକା କହିଲେ, ଇଣ୍ଡଷ୍ଟ୍ରିରେ ପାରିଶ୍ରମିକରେ ତାରତମ୍ୟ ରହିଛି । ପୁରୁଷ ସାଥୀ କଳାକାରଙ୍କ ତୁଳନାରେ ମହିଳାଙ୍କୁ କମ୍‌ ପାରିଶ୍ରମିକ ମିଳୁଛି । 

ୱାମିକା କହିଛନ୍ତି, ପାରିଶ୍ରମିକରେ ତାରତମ୍ୟ ତାଙ୍କୁ ବିଚଳିତ କରେ ନାହିଁ । କିନ୍ତୁ ଏହି ଭାବନା ତାଙ୍କର ବି ଅଛି ଯେ ଜଣେ ମହିଳା ଭାବେ ତାଙ୍କୁ କମ୍‌ ପାରିଶ୍ରମିକ ମିଳିବ । ତାଙ୍କ କହିବା ଅନୁସାରେ, ଜଣେ ପୁରୁଷ କଳାକାର ଥିଏଟରକୁ ଅଧିକ ଦର୍ଶକ ଟାଣିପାରନ୍ତି କିନ୍ତୁ ଜଣେ ନାୟିକାଙ୍କ ବିନା ଫିଲ୍ମ ହୋଇପାରିବ ନାହିଁ । ବେଳେବେଳେ ନିର୍ମାତା ପ୍ରଚୁର ଅର୍ଥ ଦେଇ ହିରୋକୁ କାଷ୍ଟ୍‌ କରନ୍ତି । କିନ୍ତୁ ଫିଲ୍ମ ଭଲ ନ ଚାଲିଲେ ସେମାନଙ୍କ ପାରିଶ୍ରମିକ କଟାଯାଏ ନାହିଁ । ତା’ର କାରଣ ସେ ବୁଝିପାରନ୍ତି ନାହିଁ । ପାରିଶ୍ରମିକ ତାରତମ୍ୟ ଦୂର କରିବାକୁ ୱାମିକା ବ୍ୟକ୍ତିଗତ ଭାବେ ଲଢ଼େଇ କରୁଛନ୍ତି ବୋଲି କହିଛନ୍ତି । ନିକଟରେ ମୁକ୍ତିପ୍ରାପ୍ତ ରୋମାଣ୍ଟିକ୍‌ କମେଡି ଫିଲ୍ମ ‘ଭୂଲ୍‌ ଚୁକ୍‌ ମାଫ୍‌’ରେ ରାଜକୁମାର ରାଓଙ୍କ ଅପୋଜିଟ୍‌ରେ ନଜର ଆସିଥିଲେ ୱାମିକା । ‘ଦିଲ୍‌ କା ଦରୱାଜା ଖୋଲ୍‌ ନା ଡାର୍ଲିଂ’, ‘ଭୂତ୍‌ ବଙ୍ଗ୍‌ଲା’ ଓ ‘ଗୁଡାଚାରୀ୨’ରେ ସେ ନଜର ଆସିବେ ।