ଭୁବନେଶ୍ୱର ୨୯/୦୮: ସକାଳୁ ଉଠିବା ପରେ ଏକ ଗ୍ଲାସ୍‌ ଗରମ ପାଣି ପିଇବା ସହ ଦିନ ଆରମ୍ଭ କରିବା ଅଭ୍ୟାସ କରନ୍ତୁ । ଏପରି କରିବା ଦ୍ୱାରା ଶରୀରରେ ମେଟାବଲିଜିମ୍‌ ତୀବ୍ର ହେବା ସହ ବିଷାକ୍ତ ପଦାର୍ଥ ସହଜରେ ବାହାରିଯାଇଥାଏ । ସେହିପରି ପାଚନ ତନ୍ତ୍ରକୁ ସୁସ୍ଥ ରହିବା ସହ ପେଟରେ ଚର୍ବି କମ୍‌ କରିବାରେ ହାଲ୍‌କା ଉଷୁମ ପାଣିର ଭୂମିକା ମହତ୍ତ୍ୱପୂର୍ଣ୍ଣ ।

ପ୍ରୋଟିନ୍‌ଯୁକ୍ତ ଖାଦ୍ୟ :

ସୁସ୍ଥ ଓ ଫିଟ୍‌ ରହିବା ପାଇଁ ସକାଳ ଜଳଖିଆରେ ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ଖାଇବା ଉଚିତ୍‌ । ଡାଏଟ୍‌ରେ ପ୍ରୋଟିନ୍‌ ସାମିଲ୍‌ କରିବା ଯୋଗୁ ଅଧିକ ସମୟ ଯାଏ ଭୋକ ହୋଇ ନଥାଏ । ଫଳରେ ଦିନରେ ଏଣୁତେଣୁ କରି ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇବାକୁ ପଡି ନଥାଏ । ସେଥିପାଇଁ ଅଣ୍ଡା, ଗ୍ରୀକ୍‌ ଦହି ବା ପ୍ରୋଟିନ୍‌ ସେକ୍‌ ଆଦି ଡାଏଟ୍‌ରେ ସାମିଲ୍‌ କରିପାରିବେ । ଏହାବ୍ୟତୀତ ସକାଳ ଜଳଖିଆରେ ଫାଇବର ଓ ସ୍ୱାସ୍ଥ୍ୟକର ଫ୍ୟାଟ୍‌ ସାମିଲ୍‌ କରିବା ଆବଶ୍ୟକ । 

ସକାଳ ୱାର୍କଆଉଟ୍‌ :

କ୍ୟାଲୋରୀ ବର୍ଣ୍ଣ ଓ ଫ୍ୟାଟ୍‌ କମ୍‌ କରିବା ପାଇଁ ବ୍ୟାୟାମ କରିବା ଜରୁରି । ତେଣୁ ଦିନର ଆରମ୍ଭ ୱାର୍କଆଉଟ୍‌ ସହ କରିବା ଆବଶ୍ୟକ । ସକାଳେ ୱାର୍କଆଉଟ୍‌ କରିପାରିବେ କିମ୍ବା ଘରେ କିଛି ସହଜ ବ୍ୟାୟାମ କରିପାରିବେ । ଏହି ଅଭ୍ୟାସ ପେଟର ଚର୍ବିକୁ କମ୍‌ କରିଥାଏ ।

ଜଳଖିଆରେ ମିଠା ଆଦୌ ନୁହେଁ :

ନିଜକୁ ସୁସ୍ଥ ରଖିବା ପାଇଁ ଦିନର ଆରମ୍ଭରୁ ଓଜନକୁ ନିୟନ୍ତ୍ରଣ କରିବା ଶିଖନ୍ତୁ । ସେଥିପାଇଁ ସକାଳ ଜଳଖିଆରେ ମିଠାକୁ ଆଦୌ ସାମିଲ୍‌ କରନ୍ତୁ ନାହିଁ । କାରଣ ଜଳଖିଆରେ ମିଠା ଖାଇବା ଦ୍ୱାରା ରକ୍ତରେ ଶର୍କରା ସ୍ତର ବଢିଥାଏ, ଯାହା ଦ୍ୱାରା ପେଟର ଆଖପାଖରେ ଚର୍ବି ଜମା ହୋଇଥାଏ । ତେଣୁ ଇନ୍‌ସୁଲିନ୍‌ ସ୍ତରକୁ ନିୟନ୍ତ୍ରିତ ରଖିବା ପାଇଁ ଜଳଖିଆରେ ଶସ୍ୟ ଜାତୀୟ ଖାଦ୍ୟ, ଲିନ୍‌ ପ୍ରୋଟିନ୍‌ ଏବଂ ଫଳ ସାମିଲ୍‌ କରିବା ଉଚିତ୍‌ । 

ପର୍ଯ୍ୟାପ୍ତ ନିଦ ଜରୁରି :

ଓଜନକୁ ନିୟନ୍ତ୍ରିତ କରିବା ଓ ପୁରା ସ୍ୱାସ୍ଥ୍ୟକୁ ବଜାୟ ରଖିବା ପାଇଁ ଭଲ ନିଦ ଖୁବ୍‌ ଜରୁରି । ନିଦ ଅଭାବରୁ ହର୍‌ମୋନ୍‌ରେ ଅସନ୍ତୁଳନ ଦେଖା ଦେଇଥାଏ । ଅସ୍ୱାସ୍ଥ୍ୟକର ଖାଦ୍ୟ ପ୍ରତି ଲୋଭ ବଢିଥାଏ । ଫଲରେ ଓଜନ ବଢିଚାଲେ । ବିଶେଷକରି ପେଟ ଆଖପାଖରେ ଚର୍ବି ବଢିଥାଏ । ତେଣୁ ନିୟମିତ ୭ରୁ ୮ ଘଣ୍ଟା ନିଦରେ ଶୋଇବା ଜରୁରି ।