ହାଇଦ୍ରାବାଦ,୧।୧୨: ଆନ୍ଧ୍ରପ୍ରଦେଶ ସରକାର ୱାକଫ ବୋର୍ଡ ସମ୍ବନ୍ଧରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ନାଇଡୁ ସରକାର ପୂର୍ବ ଜଗନ୍ ମୋହନ ସରକାରଙ୍କ ଦ୍ୱାରା ଗଠିତ ୱାକଫ ବୋର୍ଡକୁ ଭଙ୍ଗ କରିଛନ୍ତି। ରାଜ୍ୟ ଆଇନ ଏବଂ ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ଏନ. ମହମ୍ମଦ ଫାରୁକ୍ କହିଛନ୍ତି, ଏ ସମ୍ପର୍କରେ ଶନିବାର  ନିର୍ଦ୍ଦେଶ ଜାରି କରାଯାଇଛି।

ଆନ୍ଧ୍ରପ୍ରଦେଶ ସରକାର ବର୍ତ୍ତମାନ ଏକ ନୂତନ ବୋର୍ଡ ଗଠନ କରିବେ। ପୂର୍ବ ସରକାର ସମୟରେ ସଂଖ୍ୟାଲଘୁ କଲ୍ୟାଣ ବିଭାଗ ଦ୍ବାରା ଜାରି କରାଯାଇଥିବା ଜିଓ-47 କୁ ବାତିଲ କରି ସରକାର ଜିଓ-75 ଜାରି କରିଛନ୍ତି।  ଏହାର ପ୍ରତ୍ୟାହାର ପାଇଁ ଅନେକ କାରଣ ଦିଆଯାଇଛି। ନିମ୍ନଲିଖିତ କେତେକ କାରଣ ସାମ୍ନାକୁ ଆସିଛି।ତାହା ହେଲା

-ଜିଓ-୪୭ ବିରୋଧରେ ୧୩ଟି ରିଟ୍‌ ପିଟିସନ୍ ଦାଖଲ କରାଯାଇଥିଲା।

-ସୁନ୍ନି ଓ ଶିୟା ସମୁଦାୟର ସ୍କଲାର୍ସଙ୍କ କୌଣସି ପ୍ରତିନିଧିତ୍ବ ନାହିଁ।

-ବୋର୍ଡରେ ପୂର୍ବତନ ସାଂସଦଙ୍କୁ ସାମିଲ କରାଯାଇନଥିଲା।

-ବାର କାଉନସିଲ୍‌ ଶ୍ରେଣୀରୁ, ଜୁନିଅର ଆଡଭୋକେଟ୍‌ଙ୍କୁ ଉଚିତ ମାନଦଣ୍ଡ ବିନା ଚୟନ କରାଯାଇଥିଲା, ଯାହାଫଳରେ ମାମଲା ଦାୟର କରିଥିବା ବରିଷ୍ଟ ଆଇନଜୀବିଙ୍କ ହିତକୁ ନେଇ ସମସ୍ୟା ସୃଷ୍ଟି ହୋଇଥିଲା।

-ଏସ୍‌.କେ ଖାଜା ବୋର୍ଡ ସଦସ୍ୟ ରୂପରେ ଚୟନ କରାଯିବା ବିରୋଧ ବହୁ ଅଭିଯୋଗ ମିଳିଥିଲା

-ବିଭିନ୍ନ କୋର୍ଟରେ ମାମଲା କାରଣରୁ ଅଧ୍ୟକ୍ଷଙ୍କ ଚୟନ ହୋଇପାରିନଥିଲା।

-ମାର୍ଚ୍ଚ ୨୦୨୩ ରୁ ଓ୍ବାକଫ୍ ବୋର୍ଡ ନିଷ୍କ୍ରିୟ ରହିଥିଲା, ଯାହାଫଳରେ କାମ ମଧ୍ୟ ବନ୍ଦ ଥିଲା। 

ସରକାରଙ୍କ ଏଭଳି ନିଷ୍ପତ୍ତି ସେହି ସମୟରେ ଆସିଛି, ଯେତେବେଳେ ଦେଶରେ ଓ୍ବାକଫ୍ ବୋର୍ଡ ଓ ଏହାର ଜମିକୁ ନେଇ ବିବାଦ ଚାଲିଛି। ଓ୍ବାକଫ୍‌ ସମ୍ପତ୍ତିର ମ୍ୟାନେଜମେଣ୍ଟ ଓ ସୁଧାର ପାଇଁ ଓ୍ବାକଫ୍ ସଂଶୋଧନ ବିଲ୍‌ ଉପରେ ଚର୍ଚ୍ଚା ହେଉଛି, ଯାହାକି ଏବେ ବଜେଟ ସେସନ୍ ୨୦୨୫ ରେ ଆଗତ କରାଯିବ।