ଶରୀର ଭିତରେ ଥିବା ପ୍ରତ୍ୟେକ ଅଙ୍ଗ ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟ କରିଥାନ୍ତି । ଏହି ଅଙ୍ଗଗୁଡ଼ିକ ସଠିକ୍ ଭାବରେ କାର୍ଯ୍ୟ କରିବା ପାଇଁ ଉତ୍ତମ ରକ୍ତ ସଞ୍ଚାଳନ ହେବା ଅତ୍ୟନ୍ତ ଜରୁରୀ । କାରଣ ଏହା ମଧ୍ୟମରେ ଶରୀରରେ ଥିବା ଅଙ୍ଗଗୁଡ଼ିକୁ ଅମ୍ଳଜାନ ଏବଂ ପୋଷକ ତତ୍ତ୍ୱ ପରିବହନ ହୋଇଥାଏ ।  କ୍ଲିଭଲ୍ୟାଣ୍ଡ କ୍ଲିନିକ୍ ଅନୁଯାୟୀ, ଯେତେବେଳେ ରକ୍ତ ସଞ୍ଚାଳନ ଠିକ୍ ଭାବରେ କାର୍ଯ୍ୟ କରେ ନାହିଁ, ସେତେବେଳେ କିଛି ଲକ୍ଷଣ ଦେଖାଯାଏ । 

ଯେପରିକି, ଝିମ୍‌ଝମ୍: ଶରୀରର କିଛି ଅଂଶରେ, ବିଶେଷକରି ଆଙ୍ଗୁଠି ଏବଂ ପାଦର ଆଙ୍ଗୁଠିରେ ଶୂନ୍ୟତା, ଖରାପ ରକ୍ତ ସଞ୍ଚାଳନର ଏକ ଲକ୍ଷଣ ।  ଛୁଞ୍ଚି ଫୋଡ଼ିଲା ପରି ଝିମ୍‌ଝମ୍ ଅନୁଭବ ହେବା ମଧ୍ୟ ଖରାପ ରକ୍ତ ସଞ୍ଚାଳନର ଏକ ଲକ୍ଷଣ ।

ମାଂସପେଶୀ ଯନ୍ତ୍ରଣା ଏବଂ ଦୁର୍ବଳତା: ଆପଣ ଚାଲିବା, ସିଡ଼ି ଚଢ଼ିବା କିମ୍ବା କୌଣସି ଶାରୀରିକ କାର୍ଯ୍ୟକଳାପ କରିବା ସମୟରେ ଆପଣଙ୍କ ଗୋଡ଼ରେ ଯନ୍ତ୍ରଣା ଅନୁଭବ କରୁଛନ୍ତି କି, ତେବେ ସତର୍କ ରୁହନ୍ତୁ । ଏହା ଖରାପ ରକ୍ତ ସଞ୍ଚାଳନର ଏକ ଲକ୍ଷଣ ଅଟେ । ବିଶ୍ରାମ ପରେ ଗୋଡ଼ ଯନ୍ତ୍ରଣା ସାଧାରଣତଃ କମିଯାଏ । ଏହା ଗୋଡ଼ ମାଂସପେଶୀକୁ ଖରାପ ରକ୍ତ ଯୋଗାଣ ହେତୁ ହୋଇଥାଏ ।

ହାତ ଏବଂ ପାଦ ଥଣ୍ଡା ପଡ଼ିବା: ଖରାପ ରକ୍ତ ସଞ୍ଚାଳନ ଯୋଗୁଁ ହେଉଥିବା ସବୁଠାରୁ ସାଧାରଣ ସମସ୍ୟା ହେଉଛି ହାତ ଏବଂ ପାଦ ଥଣ୍ଡା ପଡ଼ିବା । ଗ୍ରୀଷ୍ମ ହେଉ କି ଶୀତ, ଯଦି ଆପଣଙ୍କ ହାତ ଏବଂ ପାଦ ଥଣ୍ଡା ଅନୁଭବ ହେଉଛି, ତେବେ ଏହା ଖରାପ ରକ୍ତ ସଞ୍ଚାଳନର ଏକ ଲକ୍ଷଣ ହୋଇପାରେ ।
ଶରୀରର କିଛି ଅଂଶରେ ଫୁଲା: ଖରାପ ରକ୍ତ ସଞ୍ଚାଳନ ଶରୀରର କିଛି ଅଂଶରେ ଫୁଲା ସୃଷ୍ଟି କରିପାରେ । ଏହି ଫୁଲା ପାଦ, ଗୋଡ଼ କିମ୍ବା ହାତରେ ସବୁଠାରୁ ଅଧିକ ଦେଖା ଯାଇପାରେ । ଖରାପ ରକ୍ତ ସଞ୍ଚାଳନ ଚର୍ମର ରଙ୍ଗ ପରିବର୍ତ୍ତନ କରିପାରେ । ଏହା ଫିକା କିମ୍ବା ଲାଲ ହୋଇପାରେ ।

ଖରାପ ରକ୍ତ ସଞ୍ଚାଳନର କାରଣ, ରକ୍ତ ନଳୀରେ ରକ୍ତ ଜମାଟ ବାନ୍ଧି ରକ୍ତ ପ୍ରବାହକୁ ଅବରୋଧ କରେ ।ଯାହାଫଳରେ ରକ୍ତ ସଞ୍ଚାଳନ ଖରାପ ହୁଏ। ସେହିପରି ହାର୍ଟ ସମସ୍ୟା ଥିଲେ  ରକ୍ତ ସଞ୍ଚାଳନ ଖରାପ ହୋଇପାରେ।ଶାରୀରିକ କାର୍ଯ୍ୟକଳାପର ଅଭାବ,ବୟସ ବୃଦ୍ଧି,ଅନ୍ୟାନ୍ୟ ରୋଗ ଆଦି ରକ୍ତ ସଞ୍ଚାଳନ ଖରାପର ମୁଖ୍ୟ କାରଣ ଅଟେ। ତେଣୁ ପ୍ରତିଦିନ ୩୦ ମିନିଟ୍ ବ୍ୟାୟାମ, ଯେପରିକି ଚାଲିବା, ଦୌଡ଼ିବା, ପହଁରିବା ଏବଂ ସାଇକେଲିଂ, ରକ୍ତ ସଞ୍ଚାଳନକୁ ଉନ୍ନତ କରିବାରେ ସାହାଯ୍ୟ କରେ। ସେହିପରି ସୁସ୍ଥ ଖାଦ୍ୟ,ଚାପ ହ୍ରାସ ,ପ୍ରଚୁର ପାଣି ମଧ୍ୟ ପିଅନ୍ତୁ।