ନୂଆଦିଲ୍ଲୀ,୧୬/୦୧: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଆହତ ହୋଇଥିବା ସ୍ପିନ ବୋଲିଂ ଅଲରାଉଣ୍ଡର ୱାସିଂଟନ ସୁନ୍ଦର ଆଗାମୀ ଟି-ଟ୍ୱେଣ୍ଟି ସିରିଜରୁ ବାଦ ପଡ଼ିଛନ୍ତି । ୨୧ ତାରିଖରୁ ୫ ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ ଆରମ୍ଭ ହୋଇ ୩୧ ତାରିଖରେ ଶେଷ ହେବ । ଏହି ସମୟ ବେଳକୁ ସୁନ୍ଦର ଫିଟ୍ ହୋଇ ପାରିବେ ନାହିଁ । ଏପରିକି ସେ ଟି-ଟ୍ୱେଣ୍ଟି ବିଶ୍ୱକପ୍ର ପ୍ରାରମ୍ଭିକ ମ୍ୟାଚ୍ ଖେଳିବା ନେଇ ମଧ୍ୟ ଆଶଙ୍କା ରହିଛି ।
ସୁନ୍ଦରଙ୍କ ବାମ ପାଶ୍ୱର୍ ପଞ୍ଜରାରେ ଯନ୍ତ୍ରଣା ରହିଛି ଓ ତାଙ୍କୁ ଫିଟ୍ ହେବା ପାଇଁ ସମୟ ଲାଗିବ ବୋଲି ବିସିସିଆଇ ପ୍ରକାଶ କରିଛି । ସୂଚନାଯୋଗ୍ୟ, ସୁନ୍ଦରଙ୍କ ସମେତ ତିଳକ ବର୍ମା ମଧ୍ୟ ଟି-ଟ୍ୱେଣ୍ଟି ସିରିଜର ପ୍ରଥମ ୩ଟି ମ୍ୟାଚ୍ରୁ ବାଦ ପଡ଼ିଛନ୍ତି । ଉଭୟଙ୍କ ସ୍ଥାନରେ ଏପର୍ଯ୍ୟନ୍ତ କୌଣସି ଖେଳାଳିଙ୍କୁ ଚୟନ କରାଯାଇ ନାହିଁ । ଉଭୟ ତିଳକ ଓ ସୁନ୍ଦର ବିଶ୍ୱକପ୍ ଦଳର ସଦସ୍ୟ ରହିଛନ୍ତି । ଫେବ୍ରୁଆରୀ ୭ ତାରିଖରେ ବିଶ୍ୱକପ୍ ଆରମ୍ଭ ହେବ । ଭାରତ ପ୍ରଥମ ମ୍ୟାଚ୍ରେ ୟୁଏସ୍ଏକୁ ଭେଟିବ । ବର୍ତ୍ତମାନ ଦିନିକିଆ ସିିରିଜ ଜାରି ରହିଛି । ପ୍ରଥମ ଦିନିକିଆରେ ଭଦୋଦରାରେ ଖେଳାଯାଇଥିଲା । ଏଥିରେ ଆହତ ହୋଇତିଲେ ସ୍ପିନ ବୋଲିଂ ଅଲରାଉଣ୍ଡର ୱାସିଂଟନ ସୁନ୍ଦର । ତେଣୁ ଆଗାମୀ ଟି-ଟ୍ୱେଣ୍ଟି ସିରିଜରୁ ସେ ବାଦ୍ ପଡିଛନ୍ତି ।
ୱାସିଂଟନଙ୍କ ସ୍ଥାନରେ ଦିନିକିଆ ଦଳରେ ଆୟୂଷ ବଦୋନୀଙ୍କୁ ସାମିଲ କରାଯାଇଥିଲା । କିନ୍ତୁ ତାଙ୍କ ସ୍ଥାନରେ ଟି-୨୦ ଦଳରେ ସ୍ଥାନ ପାଇବା ଆଶା କରାଯାଉଛି । ଟି-ଟ୍ୱେଣ୍ଟି ବିଶ୍ୱକପ ପୂର୍ବରୁ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ପାଞ୍ଚଟି ଟି-୨୦ ଖେଳିବାକୁ ଯାଉଛି । ବର୍ତ୍ତମାନ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ୧-୧ ସ୍ଥିତିରେ ରହିଛି । ଭାରତ ପ୍ରଥମ ଦିନିକିଆ ଜିତିଥିବାବେଳେ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନିକିଆ ବାଜି ମାରିନେଇଥିଲା । ଜାନୁଆରୀ ୧୮ ତାରିଖରେ ତୃତୀୟ ଦିନିକିଆ ଖେଳାଯିବ । ଭାରତ ଏହି ମ୍ୟାଚ ଜିତି ସିରିଜ କବାଜ କରିବାକୁ ପ୍ରୟାସ କରିବ