ନୂଆଦିଲ୍ଲୀ,୨୨ \୭ : ମସ୍ତିଷ୍କ ଆମ ଶରୀରର ମୂଳ କେନ୍ଦ୍ର, ଯଦି ଏହା ଦୁର୍ବଳ ହେବା ଆରମ୍ଭ କରେ, ତେବେ ଚିନ୍ତାର ବିଷୟ । ଆଜିକାଲି ଲୋକେ ନିଜ ଅଜାଣତରେ ମଧ୍ୟ ଷ୍ଟ୍ରେସରେ ରୁହନ୍ତି । କେଉଁଠି କଣ ଜିନିଷ ଅଛି ଭୁଲିଯିବା, ନିରନ୍ତର ଚାପ,କାମରେ ଫୋକସ୍ କରିବାରେ ଅସମର୍ଥତା ଭଳି ଅନେକ ସମସ୍ୟା ବ୍ରେନ୍ ହେଲ୍ଥ କୁ ସୂଚିତ କରେ । ମସ୍ତିଷ୍କ ସ୍ୱାସ୍ଥ୍ୟ ବା ବ୍ରେନ୍ ହେଲ୍ଥ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଜୁଲାଇ ୨୨ ରେ ବିଶ୍ୱ ମସ୍ତିଷ୍କ ଦିବସ ପାଳନ କରାଯାଏ । ଏହି ଅବସରରେ, ମସ୍ତିଷ୍କ ପାଇଁ ଭିଟାମିନ୍ ବି-୧୨ କାହିଁକି ଜରୁରୀ ସେ ସମ୍ପର୍କ ଜାଣିବା । ଏନେଇ କ'ଣ ରହିଛି ବିଶେଷଜ୍ଞ ମତ ତାହା ମଧ୍ୟ ଜାଣିବା । 

କ'ଣ ଆପଣ ସବୁବେଳେ କ୍ଳାନ୍ତ ଅନୁଭବ କରନ୍ତି କି ? ଏହା ଭିଟାମିନ୍ ବି-୧୨ ଅଭାବର ଏକ ଲକ୍ଷଣ, ଏବଂ ଏହି ଥକ୍କାପଣ ଆମ ମସ୍ତିଷ୍କ ସ୍ୱାସ୍ଥ୍ୟକୁ ମଧ୍ୟ ପ୍ରଭାବିତ କରେ । ଜାଣନ୍ତୁ କାହିଁକି ଭିଟାମିନ୍ ବି-୧୨ ମସ୍ତିଷ୍କ ପାଇଁ ଏତେ ଗୁରୁତ୍ୱପୂର୍ଣ୍ଣ ।

ବିଶ୍ୱ ମସ୍ତିଷ୍କ ଦିବସ 2026

୨୨ ଜୁଲାଇରେ ପାଳିତ ବିଶ୍ୱ ମସ୍ତିଷ୍କ ଦିବସର ଲକ୍ଷ୍ୟ ଲୋକଙ୍କୁ ମେଣ୍ଟାଲ ହେଲ୍ଥର ଗୁରୁତ୍ୱ ବିଷୟରେ ଶିକ୍ଷା ଦେବା । ଲୋକମାନଙ୍କୁ ସ୍ନାୟୁ ରୋଗର ପ୍ରତିରୋଧ, ପ୍ରାରମ୍ଭିକ ଚିହ୍ନଟ ଏବଂ ଉତ୍ତମ ଚିକିତ୍ସା ବିଷୟରେ ଶିକ୍ଷା ଦେବା ମଧ୍ୟ ଏହି ଦିବସର ଉଦ୍ଦେଶ୍ୟ । ବିଶ୍ୱ ନ୍ୟୁରୋଲୋଜି ଫେଡେରେସନ ୨୦୧୪ ମସିହାରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଥିଲା। ଏହି ଅବସରରେ, ବିଶ୍ୱର ବିଶେଷଜ୍ଞ, ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଏବଂ ସଂଗଠନଗୁଡ଼ିକ ମସ୍ତିଷ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଦେଇଥାନ୍ତି ଏବଂ ଲୋକଙ୍କୁ ସୁସ୍ଥ ଜୀବନଶୈଳୀ ଗ୍ରହଣ କରିବାକୁ ପ୍ରୋତ୍ସାହିତ କରନ୍ତି । 

ମସ୍ତିଷ୍କ ପାଇଁ ଭିଟାମିନ୍ B12କାହିଁକି ଜରୁରୀ ?

ଡକ୍ଟର. ଲକ୍ଷ୍ମଣ ରାମଚନ୍ଦ୍ରନ କୁହନ୍ତି ଯେ, ଯେତେବେଳେ ଆମେ ମସ୍ତିଷ୍କ ସ୍ୱାସ୍ଥ୍ୟ ବିଷୟରେ କଥା ହେଉ, ପ୍ରଥମେ ମନକୁ ଆସେ ନିଦ, ବ୍ୟାୟାମ ଏବଂ ମସ୍ତିଷ୍କକୁ ସକ୍ରିୟ ରଖିବା ଭଳି ଅନେକ କାର୍ଯ୍ୟ । ହେଲେ, ଭିଟାମିନ୍ ବି-୧୨ ଏଭଳି ଏକ ପୋଷକ ତତ୍ତ୍ୱ ଯାହା ପ୍ରାୟତଃ ନଜରକୁ ଆସେନି । କିନ୍ତୁ ଏହା ଆମ ମସ୍ତିଷ୍କ ଏବଂ ସମଗ୍ର ସ୍ନାୟୁ ସଞ୍ଚାଳନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ । ଯଦି ଶରୀରରେ ଏହି ଭିଟାମିନ୍ ର ଅଭାବ ହୁଏ, ତେବେ ମସ୍ତିଷ୍କ ଏବଂ ସ୍ନାୟୁଗୁଡ଼ିକ ପ୍ରଥମେ ପ୍ରଭାବିତ ହୋଇପାରନ୍ତି ।

ଭିଟାମିନ୍ B12 କିପରି କାମ କରେ ?

ଏହା ଆମର ସ୍ନାୟୁଗୁଡ଼ିକୁ ପ୍ରୋଟେକ୍ଟ କରୁଥିବା ଏକ ସୁରକ୍ଷା ସ୍ତର ବଜାୟ ରଖିବାରେ ସାହାଯ୍ୟ କରେ, ଯାହାକୁ ମାଏଲିନ୍ ଆବରଣ କୁହାଯାଏ । ଏହା ଇଲେକ୍ଟ୍ରି ତାର ଉପରେ ଲାଗିଥିବା କଭର୍ ପରି । ଏହା ମସ୍ତିଷ୍କରୁ ଶରୀରକୁ ବାର୍ତ୍ତାଗୁଡ଼ିକ ସଠିକ୍ ଏବଂ ଶୀଘ୍ର ସଂଯୋଗ କରିବାରେ ସାହାଯ୍ୟ କରେ । ତେଣୁ, ଯେତେବେଳେ ଭିଟାମିନ୍ ବି-୧୨ର ଅଭାବ ହୁଏ, ଏହି ବାର୍ତ୍ତାଗୁଡ଼ିକ ସଠିକ୍ ଭାବରେ ପହଞ୍ଚି ପାରେ ନାହିଁ, ଫଳରେ ମସ୍ତିଷ୍କ କାର୍ଯ୍ୟକୁ ପ୍ରଭାବିତ କରେ ।

ଭିଟାମିନ୍ B12 ଅଭାବର ଲକ୍ଷଣ କଣ ?

ଭିଟାମିନ୍ ବି-୧୨ ଅଭାବର ଲକ୍ଷଣ ଧୀରେ ଧୀରେ ଦେଖାଯାଏ । ପ୍ରାରମ୍ଭରେ, ଅନେକ ଲୋକ ବାରମ୍ବାର ଭୁଲିଯିବା, ଧ୍ୟାନ କେନ୍ଦ୍ରିତ କରିବାରେ ଅସୁବିଧା, ଦ୍ୱନ୍ଦ୍ୱ କିମ୍ବା ବାର ବାର୍ ମୁଡ୍ ସୁଇଙ୍ଗସ୍ ଭଳି ଅନୁଭବ କରନ୍ତି । ହାତ ଏବଂ ପାଦରେ ଝିମ୍ ଝିମ୍ କିମ୍ବା ନିଷ୍କ୍ରିୟତା ଭଳି ମଧ୍ୟ ଅନୁଭବ ହୋଇପାରେ । ଗବେଷଣାରୁ ଜଣାପଡିଛି ଯେ ଭିଟାମିନ୍ ବି-୧୨ ଅଭାବ ବିଭିନ୍ନ ସ୍ନାୟୁ ଏବଂ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ସହିତ ଜଡିତ । 

କେଉଁ ମାନଙ୍କ ଠାରେ ରହିଛି ଅଧିକ ବିପଦ ?

କିଛି ଲୋକଙ୍କ ଠାରେ ଭିଟାମିନ୍ ବି-୧୨ ଅଭାବରେ ବିପଦ ଅଧିକ ଥାଏ । ଯେପରିକି ବୟସ୍କ ବ୍ୟକ୍ତି, ଭେଜିଟେରିଆନ୍, କିମ୍ବା ଯେଉଁମାନଙ୍କର ସ୍ୱାସ୍ଥ୍ୟ ସମସ୍ୟା ରହିଛି । ସବୁଠାରୁ ଭଲ କଥା ଏହା ଯେ, ରକ୍ତ ପରୀକ୍ଷା ଦ୍ୱାରା ଭିଟାମିନ୍ ବି-୧୨ ଅଭାବ ଚିହ୍ନଟ କରା ଯାଇପାରିବ । ଏବଂ ଆବଶ୍ୟକ ଅନୁସାରେ ଖାଦ୍ୟ, ସପ୍ଲିମେଣ୍ଟ  କିମ୍ବା ଇଞ୍ଜେକ୍ସନ ଦ୍ୱାରା ଚିକିତ୍ସା କରା ଯାଇପାରିବ ।