‘ଚୌକିଦାର ଚୋର ହେ’ କଟାକ୍ଷ ରାହୁଲଙ୍କୁ ପଡିଲା ମହଙ୍ଗା

ମୁମ୍ବାଇ,୧୨।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିବା ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଅଧିକାଂଶ ସମୟ ’ଚୌକିଦାର ଚୋର ହେ’ ଶବ୍ଦର ବ୍ୟବହାର କରିଥାନ୍ତି। କିନ୍ତୁ ତାଙ୍କର ଏହି କଟାକ୍ଷ ଓଲଟା ତାଙ୍କ ପାଇଁ ଅସୁବିଧାର କାରଣ ପାଲଟିଛି। କାରଣ ମୁମ୍ବାଇର ସୁରକ୍ଷାକର୍ମୀଙ୍କ ସଂଘ ତାଙ୍କର ଏହି କଥାରେ ଆପତ୍ତି ପ୍ରକାଶ କରିଛି। ଏହା ସହିତ ସଂଘ ମୁମ୍ବାଇ ପୋଲିସ ନିକଟରେ ରାହୁଲଙ୍କ ବିରୋଧରେ ମାମଲା ରୁଜୁ କରିବାକୁ କହିଛି। ଏନେଇ ମୁମ୍ବାଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।
ଜଣେ ପୋଲିସ ଅଧିକାରୀ ଆଜି କହିଛନ୍ତି, ମହାରାଷ୍ଟ୍ର ରାଜ୍ୟ ସୁରକ୍ଷା ରକ୍ଷକ ୟୁନିୟନ ବାନ୍ଦ୍ରା-କୁର୍ଲା କମ୍ପଲେକ୍ସ(ବିକେସି) ପୋଲିସ ଷ୍ଟେସନରେ ଗତକାଲି ଅଭିଯୋଗ କରିଥିଲା ଯେ ରାହୁଲଙ୍କ ଏଭଳି କଟାକ୍ଷ ସୁରକ୍ଷାକର୍ମୀଙ୍କ ପ୍ରତି ଅପମାନ । ପୋଲିସ କହିଛି ସଂଘ ଅଭିଯୋଗ କରିଛି ଏମଏମଆରଡିଏ ପଡିଆରେ ଆୟୋଜିତ ଏକ ରାଲିରେ ରାହୁଲ ପ୍ରଧାନମନ୍ତ୍ରୀଙ୍କୁ କଟାକ୍ଷ କରି ନିଜ ଭାଷଣରେ ’ଚୌକଦାର ଚୋର ହେ’ କହିଥିଲେ। ତେଣୁ ସଂଘର ଅଧ୍ୟକ୍ଷ କହିଛନ୍ତି ପୋଲିସ ରାହୁଲଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିବା ଦରକାର। ଯାହାଫଳରେ ସୁରକ୍ଷାକର୍ମୀଙ୍କୁ ଅପମାନିତ କଲାଭଳି ଏହି ସ୍ଲୋଗାନ ଉପରେ ରୋକ ଲଗାଇ ହେବ।