ପାନିପଥ : ଏକ ଘରୋଇ ହସ୍ପିଟାଲରେ ଚରମ ଅବହେଳାର ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଘଟଣାଟି ହରିୟାଣାର ପାନିପଥ ଜିଲ୍ଲାରେ ଘଟିଛି। ହସ୍ପିଟାଲରେ ଗୋଡ଼ ଭଙ୍ଗାର ଚିକିତ୍ସା ପାଇଁ ଭର୍ତ୍ତି ହୋଇ ଥିବା ଜଣେ ମହିଳା ରୋଗୀଙ୍କ ହାର୍ଟରେ ଡାକ୍ତରମାନେ ଷ୍ଟେଣ୍ଟ ଲଗାଇ ଦେଇଥିଲେ। ଅପରେସନ ପରେ ମହିଳାଙ୍କର ହୋଇଛି ମୃତ୍ୟୁ। ଏହା ପରେ ପରିବାର ଲୋକେ ହସ୍ପିଟାଲରେ ପ୍ରବଳ ହଙ୍ଗାମା କରିଛନ୍ତି।
ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ମହିଳାଙ୍କର ଭଙ୍ଗା ଗୋଡ଼ର ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା, କିନ୍ତୁ ଡାକ୍ତରମାନେ ବିନା କୌଣସି ସୂଚନାରେ ତାଙ୍କ ହାର୍ଟରେ ଷ୍ଟେଣ୍ଟ ଲଗାଇ ଦେଇ ଥିଲେ। ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୁଲିସ ହସ୍ପିଟାଲରେ ପହଞ୍ଚି ସେହି ଅଜ୍ଞାତ ଡାକ୍ତରଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
TV9ରେ ପ୍ରକାଶିତ ତଥ୍ୟ ଅନୁସାରେ , ମୃତକା ଜଣଙ୍କ ୪୨ ବର୍ଷୀୟା ଗୁଡ୍ଡୀ ଦେବୀ। ସେ ପାନିପଥର ରମେଶ ନଗରର ନିବାସୀ ଥିଲେ। ମୃତକାଙ୍କ ପୁଅ କୁଲଦୀପ ପୁଲିସକୁ ଦେଇ ଥିବା ଅଭିଯୋଗ ଅନୁସାରେ , ଜୁଲାଇ ୨୧ ତାରିଖରେ ଗାଜିଆବାଦରେ ହୋଇଥିବା ଏକ ସଡ଼କ ଦୁର୍ଘଟଣାରେ ତାଙ୍କ ମା’ଙ୍କ ଗୋଡ଼ ହାଡ଼ ଭାଙ୍ଗି ଯାଇ ଥିଲା। ଏହା ପରେ ଜୁଲାଇ ୨୪ ତାରିଖରେ ତାଙ୍କୁ ଚିକିତ୍ସା ପାଇଁ ପାନିପଥର ପାର୍କ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା।
ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ଜୁଲାଇ ୨୫ ତାରିଖରେ ଡାକ୍ତରମାନେ ସେମାନଙ୍କୁ ନଜଣାଇ, କୌଣସି ଲିଖିତ ସହମତି ନନେଇ ମହିଳାଙ୍କ ହାର୍ଟରେ ଷ୍ଟେଣ୍ଟ ଲଗାଇ ଦେଇଥିଲେ। ଅଭିଯୋଗ ଏହା ମଧ୍ୟ ହୋଇଛି ଯେ, ପରମିସନ ଲେଟରରେ ଜାଲ୍ ଦସ୍ତଖତ କରାଯାଇଛି। ଷ୍ଟେଣ୍ଟ ଲଗାଇବା ପ୍ରକ୍ରିୟା ପରେ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇ ଥିଲା ଏବଂ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଘଟଣା ପରେ ହସ୍ପିଟାଲ ପ୍ରଶାସନ ସେମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନନେବା ପାଇଁ ଚାପ ପକାଉ ଥିବା ମଧ୍ୟ ପରିବାର ଲୋକେ ଅଭିଯୋଗ କରିଛନ୍ତି।
ଅଭିଯୋଗ ଆଧାରରେ ସେକ୍ଟର-୨୯ ଥାନା ପୁଲିସ ପାର୍କ ହସ୍ପିଟାଲ ଏବଂ ଅଜ୍ଞାତ ଡାକ୍ତରଙ୍କ ବିରୋଧରେ ମାମଲା ରୁଜୁ କରିଛି। ପୁଲିସ କହିଛି ଯେ, ପୂରା ଘଟଣାର ତଦନ୍ତ କରାଯାଉଛି।ମେଡିକାଲ ରେକର୍ଡ ସହ ସମସ୍ତ କାଗଜପତ୍ରର ଯାଞ୍ଚ କରାଯିବ ଏବଂ ରିପୋର୍ଟ ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଅନ୍ୟପଟେ, ଉକ୍ତ ମାମଲାରେ ହସ୍ପିଟାଲ ସିଇଓ ସପ୍ନା ପରିବାର ଲୋକଙ୍କ ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ, ଗୋଡ଼ ଅପରେସନ ପୂର୍ବରୁ ପ୍ରି-ଏନେସ୍ଥେସିଆ ଯାଞ୍ଚ ସମୟରେ ମହିଳାଙ୍କ ହାର୍ଟରେ ଗମ୍ଭୀର ସମସ୍ୟା ଦେଖା ଦେଇଥିଲା। ଏହା ପରେ ଆଞ୍ଜିଓଗ୍ରାଫି କରାଯାଇ ଥିଲା, ଯେଉଁଥିରେ ଗୋଟିଏ ଧମନୀ ବ୍ଲକ ଥିବା ଜଣାପଡ଼ି ଥିଲା। ସେ ଦାବି କରିଛନ୍ତି ଯେ ଏହି ବିଷୟରେ ପରିବାରକୁ ସମ୍ପୂର୍ଣ୍ଣ ସୂଚନା ଦିଆଯାଇ ଥିଲା ଏବଂ ସେମାନଙ୍କ ସହମତି ପରେ ହିଁ ଷ୍ଟେଣ୍ଟ ଲଗାଯାଇ ଥିଲା।
ଆହୁରି ମଧ୍ୟ ପଢନ୍ତୁ - 8th Pay Commission : ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖବର ; ଦିଲ୍ଲୀ, ଚେନ୍ନାଇ ଓ ପୁଡୁଚେରୀରେ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ