ନୂଆଦିଲ୍ଲୀ : କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନ୍ ଉପଭୋକ୍ତାଙ୍କ ପାଇଁ ଆସିଛି ଏକ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍। ୮ମ ବେତନ ଆୟୋଗ (8th Pay Commission) ଦରମା, ଭତ୍ତା ଏବଂ ସେବା ସମ୍ବନ୍ଧୀୟ ସୁବିଧା ନେଇ ଆଲୋଚନା କରିବା ପାଇଁ ବୈଠକର ତାରିଖ ଘୋଷଣା କରିଛନ୍ତି। ଆସନ୍ତା ଅଗଷ୍ଟ ୭ ଏବଂ ୧୦ ତାରିଖରେ ଦିଲ୍ଲୀ ଠାରେ କେନ୍ଦ୍ର ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳ (UT)ର କର୍ମଚାରୀ ସଂଗଠନ, ମହାସଂଘ ଏବଂ ୟୁନିୟନଗୁଡ଼ିକ ସହ ଆୟୋଗ ଆଲୋଚନା କରିବେ।
ଏହି ବୈଠକରେ ଭାଗ ନେବାକୁ ଇଚ୍ଛୁକ ଥିବା ଯୋଗ୍ୟ କର୍ମଚାରୀ ସଂଗଠନଗୁଡ଼ିକୁ ୩୧ ଜୁଲାଇ ୨୦୨୬ ସୁଦ୍ଧା ଆବେଦନ କରିବାକୁ ପଡ଼ିବ। ଆୟୋଗ ସ୍ପଷ୍ଟ କରିଛନ୍ତି ଯେ, କେବଳ ସେହି ସଂଗଠନଗୁଡ଼ିକ ଆବେଦନ କରି ପାରିବେ, ଯେଉଁମାନେ ପୂର୍ବରୁ ସେମାନଙ୍କର ମେମୋରାଣ୍ଡମ୍ (Memorandum) ଦାଖଲ କରି ସାରିଛନ୍ତି ଏବଂ ଏପର୍ଯ୍ୟନ୍ତ ଦିଲ୍ଲୀ କିମ୍ବା ଅନ୍ୟ କୌଣସି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଆୟୋଗଙ୍କ ସହ ସାକ୍ଷାତ କରି ନାହାନ୍ତି। ଆବେଦନ କରିବା ସମୟରେ ସମ୍ପୃକ୍ତ ସଂଗଠନକୁ ନିଜର ୟୁନିକ୍ ମେମୋ ଆଇଡି (Memo ID) ମଧ୍ୟ ଦେବାକୁ ହେବ।
କେଉଁସବୁ ପ୍ରମୁଖ ପ୍ରସଙ୍ଗ ଉପରେ ହେବ ଆଲୋଚନା ?
ଏହି ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ କର୍ମଚାରୀ ସଂଗଠନଗୁଡ଼ିକ ଫିଟମେଣ୍ଟ ଫ୍ୟାକ୍ଟର , ନୂଆ ଦରମା, ମହଙ୍ଗା ଭତ୍ତା (DA) , ପେନସନ , ପ୍ରମୋସନ , କ୍ୟାରିୟର ଗ୍ରୋଥ୍ , ଓ ସେବା ସର୍ତ୍ତାବଳୀ ଦାବିଗୁଡ଼ିକ ଆୟୋଗଙ୍କ ସମ୍ମୁଖରେ ରଖିବେ। କୁହାଯାଉଛି ଯେ, ଏହି ସବୁ ଆଲୋଚନାର ଆଧାରରେ ଆୟୋଗ ନିଜର ସୁପାରିଶ ଗୁଡ଼ିକୁ ଚୂଡ଼ାନ୍ତ ରୂପ ଦେବା ଦିଗରେ ଆଗକୁ ବଢିବେ।
୮ମ ବେତନ ଆୟୋଗଙ୍କ ସୂଚନା ଅନୁଯାୟୀ, ଦିଲ୍ଲୀ ବୈଠକ ପରେ ଅନ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ମଧ୍ୟ ଏହିପରି ବୈଠକ କରାଯିବ। ଚେନ୍ନାଇ ବୈଠକ ୭ ଓ ୮ ସେପ୍ଟେମ୍ବର ୨୦୨୬ରେ ଓ ପୁଡୁଚେରୀ ବୈଠକ ୯ ସେପ୍ଟେମ୍ବର ୨୦୨୬ରେ ଅନୁଷ୍ଠିତ ହେବ। ଚେନ୍ନାଇ ଓ ପୁଡୁଚେରୀ ବୈଠକ ପାଇଁ ଅନଲାଇନ୍ ଆବେଦନର ଶେଷ ତାରିଖ ୧୮ ଅଗଷ୍ଟ ୨୦୨୬ ରହିଛି।
ସେହିପରି କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ, ବିଭାଗ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ପାଇଁ କର୍ମଚାରୀ ଡାଟା ଅପଲୋଡ୍ କରିବାର ଶେଷ ତାରିଖକୁ ୩୧ ଜୁଲାଇ ୨୦୨୬ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କେବଳ ଅନଲାଇନ୍ ପୋର୍ଟାଲରେ ଅପଲୋଡ୍ ହୋଇଥିବା ଡାଟା ଗ୍ରହଣ କରାଯିବ, ଇମେଲ୍ କିମ୍ବା ହାର୍ଡ କପିକୁ ଗ୍ରହଣ କରାଯିବ ନାହିଁ।
ଆହୁରି ମଧ୍ୟ ପଢନ୍ତୁ -Pralhad joshi: ଆର୍ଟ୍ସ ଗ୍ରାଜୁଏଟ, ୫ ଥର ସାଂସଦ...ନୂଆ ଶିକ୍ଷାମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କିଏ, ଜାଣନ୍ତୁ କେତେ ପଢିଛନ୍ତି ?
ଉଲ୍ଲେଖନୀୟ ଯେ, ବର୍ତ୍ତମାନ ଲକ୍ଷାଧିକ କେନ୍ଦ୍ରୀୟ କର୍ମଚାରୀ ଓ ପେନସନ୍ ଉପଭୋକ୍ତା ୮ମ ବେତନ ଆୟୋଗଙ୍କ ସୁପାରିଶକୁ ଚାହିଁ ରହିଛନ୍ତି, କାରଣ ଏହି ଆଲୋଚନା ଓ ନିଷ୍ପତ୍ତି ଆଧାରରେ ହିଁ ଭବିଷ୍ୟତର ନୂଆ ଦରମା, ପେନସନ୍ ଏବଂ ଅନ୍ୟାନ୍ୟ ସୁବିଧା ସୁନିଶ୍ଚିତ ହେବ।