ମାଗଣା ଟିକଟ୍ ମିଳିଲାନି ବୋଲି ୱାଟର୍ ପାର୍କରେ ବୋମାମାଡ, ପିତେଇପୁର ଗ୍ୟାଙ୍ଗ୍କୁ ଖୋଜୁଛି ପୋଲିସ

ପୁରୀ,୨୫/୦୫: ମାଗଣା ଟିକେଟ୍ ମାଗିଲେ । ଟଙ୍କା ନଦେଇ ଜବରଦସ୍ତ ସାଙ୍ଗମାନଙ୍କ ସହ ୱାଟର୍ ପାର୍କରେ ମଉଜ କରିବାକୁ ଦାବି କଲେ । ହେଲେ ୱାଟର୍ ପାର୍କ ମାଲିକ ସିଧା ମନା କରିଦେଲେ । ଏହାପରେ ଆତଙ୍କ ଖେଳାଇଲେ ପିତେଇପୁର ଗ୍ୟାଙ୍ଗ୍ । ଚନ୍ଦନପୁର ଥାନା ଅଧୀନ ୱାଣ୍ଡର୍ ୱାର୍ଲଡ ୱାଟର୍ ପାର୍କରେ ବୋମାମାଡ଼ କଲେ । ପୁଲିସ ଏନେଇ ଏକ ମାମଲା ରୁଜୁ କରି ପିତେଇପୁର ଗ୍ୟାଙ୍ଗ୍କୁ ଖୋଜୁଛି ।
ଖବର ଅନୁସାରେ ପିତେଇପୁରର ପ୍ରକାଶ ସ୍ୱାଇଁ ବାରମ୍ବାର ଜେଲ୍ ଯାଇ ଜାମିନ୍ରେ ଫେରିଛି । ଏକ ଗ୍ୟାଙ୍ଗ୍ କରି ଚନ୍ଦନପୁର ଅଞ୍ଚଳରେ ଆତଙ୍କ ଖେଳାଉଥିବ ପୁଲିସ କହିଛି । କିଛିଦିନ ତଳେ ପ୍ରକାଶ ଏହି ୱାଟର୍ ପାର୍କ କର୍ମଚାରୀଙ୍କୁ ଡାକି କର୍ତ୍ତୃପକ୍ଷଙ୍କ ସହ ଭେଟିବାକୁ କହିଥିଲା । କର୍ମଚାରୀଙ୍କ ଉପରେ ଚାପ ପକାଇ ପ୍ରକାଶର ଭାଇ ଓ ସହଯୋଗୀମାନେ ଗତ ୧୫ ତାରିଖ ଅପରାହ୍ନରେ ୱାଟର୍ ପାର୍କରେ ପଶି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ । ପ୍ରତିଦିନ ୧ ହଜାର ଟଙ୍କିଆ ଟିକେଟ୍ ୧୦ଟା ଲେଖାଏଁ ସେମାନେ ଦାବି କରିଥିଲେ । ନିୟମିତ ସେମାନଙ୍କ ପରିବାର ଲୋକେ ଓ ସମ୍ପର୍କୀୟମାନେ ୱାଟର୍ ପାର୍କ ଆସି ମାଗଣାରେ ମଉଜ କରିବାକୁ ସେମାନେ ଦାବି କରିଥିଲେ ବୋଲି ଅଭିଯୋଗ ହୋଇଛି । ଏପରିକି ପାର୍କ ସମ୍ମୁଖରେ ଏକ ପାର୍କିଂ ସ୍ଥଳ ଖୋଲି ଆସୁଥିବା ଗାଡ଼ି ରଖି ସେମାନେ ରୋଜଗାର କରିବାକୁ ବି ଦାବି କରିଥିଲେ ବୋଲି ଅଭିଯୋଗ ହୋଇଛି । ଏଥିରେ କର୍ତ୍ତୃପକ୍ଷ ରାଜି ହୋଇ ନ ଥିଲେ । ଏହାପରେ ଅଭିଯୁକ୍ତଙ୍କ ପକ୍ଷରୁ ୧୯ ତାରିଖରେ ଫୋନ୍ରେ ଧମକ ମିଳିଥିଲା । ବୋମାମାଡ଼ କରି ହତ୍ୟା କରିବାକୁ ଧମକ ଦେଇଥିଲେ ଅଭିଯୁକ୍ତ । ଶେଷରେ ୨୨ ତାରିଖ ରାତିରେ ୱାଟର୍ ପାର୍କକୁ ଅଭିଯୁକ୍ତ ୩ଟି ବୋମାମାଡ଼ କରି ଦୌଡ଼ି ପଳାଇଥିଲେ । ଏନେଇ ୱାଟର୍ ପାର୍କର ଜେନେରାଲ୍ ମ୍ୟାନେଜର ରାଧାରମଣ ନାୟକଙ୍କ ଏତଲା କ୍ରମେ ମାମଲା ରୁଜୁ କରି ପୁଲିସ ପ୍ରକାଶ ଗ୍ୟାଙ୍ଗ୍କୁ ଖୋଜୁଛି । ଖୁବ୍ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ଆଇଆଇସି ସୁମତୀ ମହାନ୍ତି ।
ସୂଚନାଯୋଗ୍ୟ ଯେ, ଏହି ଗ୍ୟାଙ୍ଗ୍ର ସମସ୍ତ ଅଭିଯୁକ୍ତ ଅଞ୍ଚଳରେ ଆତଙ୍କ ଖେଳାଇ ବାରମ୍ବର ଜେଲ୍ ଯାଇଥିବା ପୁଲିସ କହିଛି । ଜାମିନ୍ରେ ଆସି ପୁଣି ଆତଙ୍କ ରଚି ପୁଲିସ ପାଇଁ ଚ୍ୟାଲେଞ୍ଜ୍ ସୃଷ୍ଟି କରୁଛନ୍ତି