ଭୁବନେଶ୍ୱର,୨୩/୧୨: ରାଜ୍ୟର ନଦୀ, ଉପନଦୀ, କେନାଲ ତଥା ଅନ୍ୟ ଜଳସ୍ରୋତରେ ପ୍ରଦୂଷଣ ରୋକିବାକୁ ପ୍ରାଧାନ୍ୟ ଦେଉଛନ୍ତି ରାଜ୍ୟ ସରକାର । ଏହି କ୍ରମରେ ଜଳରେ ପ୍ରଦୂଷଣ ମାତ୍ରା ମାପିବାକୁ ପରୀକ୍ଷାମୂଳକ ଭାବରେ ଭୁବନେଶ୍ୱରକୁ ଆସିଛି ମୋବାଇଲ୍ ଲ୍ୟାବ୍(ବରୁଣ) । ଏହାର ସଫଳତାକୁ ଲକ୍ଷ୍ୟ ରଖି ରାଜ୍ୟର ଆଉ ୭ଟି ସହରକୁ ମଧ୍ୟ ଆସିବ ଏହି ମୋବାଇଲ୍ ଲ୍ୟାବ୍ ।

ବରୁଣ(ଭିଏଆର୍ୟୁଏନ୍-ଭ୍ୟାନ୍ ଫର୍ ଆନାଲିସିସ୍ ଆଣ୍ଡ୍ ରିସର୍ଚ୍ଚ ଅନ୍ ଅର୍ବାନ୍ ଡ୍ରେନ୍ ଆଣ୍ଡ୍ ନେଚୁରାଲ୍ ୱାଟରକୋର୍ସ) ମାତ୍ର ୪୫ ମିନିଟ୍‌ରେ ଜଳର ସ୍ୱାସ୍ଥ୍ୟ ରିପୋର୍ଟ ପ୍ରସ୍ତୁତ କରି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିୟନ୍ତ୍ରଣ କେନ୍ଦ୍ରକୁ ପଠାଇଥାଏ । ସେଠାରେ ଡିଜିଟାଲ୍ ଡ୍ୟାସବୋର୍ଡ ମାଧ୍ୟମରେ ଏହି ତଥ୍ୟ ଉପଲବ୍ଧ ହେବା ସହିତ ସତର୍କତା ସୂଚନା ମିଳିଥାଏ । ଏହି ତଥ୍ୟକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ଅବଗତ କରାଏ । ଯାହାକୁ ଭିତ୍ତିକରି ବିଭାଗ ଜଳ ବିଶୋଧନ ପାଇଁ ଉପଯୁକ୍ତ ପଦକ୍ଷେପ ନେଇପାରିବ ।

ଏହି ମୋବାଇନ୍ ଲାବୋରେଟୋରୀ ଯାନ ଚଳିତ ବର୍ଷ ଜୁନ ୫ରେ ଭୁବନେଶ୍ୱରରେ ଶୁଭାରମ୍ଭ ହୋଇଥିଲା । ପରୀକ୍ଷାମୂଳକ ଭାବରେ ବର୍ତ୍ତମାନ ଏହା ଭୁବନେଶ୍ୱରରେ କାର୍ଯ୍ୟରତ ଥିବା ବେଳେ ଆଗକୁ ପୁରୀ ଓ କଟକ ସହରର ବିଭିନ୍ନ ସ୍ଥାନକୁ ଯାଇ ଜଳର ସ୍ୱାସ୍ଥ୍ୟ ତଥା ମାନ ପରୀକ୍ଷଣ କରିବ । ୨୦୨୬ ସୁଦ୍ଧା ଆହୁରି ମୋବାଇଲ୍ ଲାବୋରେଟୋରୀ ଆସିବ। ପର୍ଯ୍ୟାୟକ୍ରମେ ଏହା ରାଉରକେଲା, ସମ୍ବଲପୁର, ଝାରସୁଗୁଡ଼ା, ଅନୁଗୁଳ ଏବଂ କଳିଙ୍ଗନଗରକୁ ଯିବ । ସେଠାକାର ମୁଖ୍ୟ ଜଳସ୍ରୋତଠାରେ ପହଞ୍ଚି ସର୍ବସମ୍ମୁଖରେ ଜଳର ୧୨ଟି ମାନଙ୍କ ଉପରେ ଗୁଣାତ୍ମକ ବିଶ୍ଲେଷଣ କରିବ ।

ସହରାଞ୍ଚଳ ନାଳ ଏବଂ ଉପନାଳଗୁଡ଼ିକର ଜଳ ଗୁଣବତ୍ତାର ଅଧ୍ୟୟନ କରିବା ହେଉଛି ବରୁଣର ପ୍ରାରମ୍ଭିକ ଲକ୍ଷ୍ୟ । ଏଥିସହ କଳକାରଖାନା, ଡାକ୍ତରଖାନା, ଶିକ୍ଷାନୁଷ୍ଠାନ ଓ ଅନ୍ୟାନ୍ୟ ପ୍ରତିଷ୍ଠାନରୁ ନିର୍ଗତ ବର୍ଜ୍ୟଜଳର ଅଧ୍ୟୟନ ସହିତ ନଗର ଜଳ ପରିବହନ ପଦ୍ଧତି, ବର୍ଜ୍ୟଜଳ ନିଷ୍କାସନ ବ୍ୟବସ୍ଥା, ବର୍ଜ୍ୟଜଳ ଶୋଧନ ପଦ୍ଧତିର ଦକ୍ଷତାକୁ ମଧ୍ୟ ବରୁଣ ଅନୁଧ୍ୟାନ କରିଥାଏ । ଜଳରେ ଥିବା ଅମ୍ଳତା ବା କ୍ଷାରତା(ପିଏଚ୍), ତାପମାତ୍ରା, ଦ୍ରବୀଭୂତ ଅମ୍ଳଜାନ(ଡିଓ), ଜୈବିକ ଅମ୍ଳଜାନ ଚାହିଦା, ରାସାୟନିକ ଅମ୍ଳଜାନ ଚାହିଦା, ସମୁଦାୟ ଭାଷମାନ ଦ୍ରବ୍ୟ(ଟିଏସ୍ଏସ୍), ସମୁଦାୟ ଜୈବିକ ଅଙ୍ଗାରକ, ଉର୍ବରକ ଉପାଦାନ, ତୈଳଜାତୀୟ ଦ୍ରବ୍ୟ ଏବଂ ପାଣିରେ ଥିବା ବ୍ୟାକ୍ଟେରିଆ ଆଦିର ମାନଦଣ୍ଡ ପରୀକ୍ଷଣ କରୁଛି ।