ଭୁବନେଶ୍ୱର,୦୧/୦୫: ଆଜି ବି ଆମେ ଗୋତି ଶ୍ରମିକ । ନା ଛୁଟି ମିଳୁଛି, ନା ଆମର ଦରମା ବଢ଼ୁଛି । ୧୦ବର୍ଷ ହୋଇଗଲାଣି । ଦାବି କରି ଆସୁଛୁ । ହେଲେ କେହି ଶୁଣୁନାହାନ୍ତି । ତଥାପି ରୋଗୀଙ୍କ ସେବାକୁ ଆମେ ସର୍ବାଗ୍ରେ ରଖିଛୁ । ଏଭଳି କିଛି କହିଛନ୍ତି ଭୁବନେଶ୍ୱର ଏମ୍ସରେ କାମ କରୁଥିବା ଆଉଟସୋର୍ସିଂ କର୍ମଚାରୀ । ଭୁବନେଶ୍ୱର ଏମ୍ସ ପ୍ରତିଷ୍ଠାକୁ ଇତିମଧ୍ୟରେ ୧୪ବର୍ଷ ହୋଇଗଲାଣି । ହେଲେ ଏଭଳି ଏକ କେନ୍ଦ୍ରୀୟ ସଂସ୍ଥାର ପ୍ରାଥମିକ କାମ ସବୁ ଅସ୍ଥାୟୀ କର୍ମଚାରୀଙ୍କ ଭରଷାରେ ଚାଲିଛି ।

ଏମ୍ସରେ ଏବେ ମୋଟ ୯୦୦ ଆଉଟସୋର୍ସିଂ କର୍ମଚାରୀ କାମ କରୁଛନ୍ତି । ସେମାନଙ୍କ ମଧ୍ୟରେ ଆଟେଣ୍ଡାଣ୍ଟ, ମାଳି, ହାଉସ କିପିଙ୍ଗ୍, ମେସିନ୍ ସଫେଇ କର୍ମଚାରୀ ରହିଛନ୍ତି । ଯେଉଁମାନେ ରୋଗୀ ଶଯ୍ୟାଠୁ ନେଇ କାର୍ଯ୍ୟାଳୟ, ହସ୍ପିଟାଲ ପରିସର, ଓପିଡିରୁମ୍ ସହ ବଗିଚା ଓ ରାସ୍ତାରେ କାମ କରୁଛନ୍ତି । ଆଟେଣ୍ଡାଣ୍ଟ ଓ ମେସିନ ସଫେଇ କର୍ମଚାରୀମାନେ ୨୪ଘଣ୍ଟା ଧରି କାମ କରନ୍ତି । ଅଥଚ ଏମାନଙ୍କୁ ସେହି ଅନୁସାରେ ଦରମା ମିଳୁନଥିବା ଅଭିଯୋଗ ହୋଇଛି । ଦୁଇଟି ଦାବିକୁ ନେଇ ଏହି ଆଉଟ୍ସୋର୍ସିଂ କର୍ମଚାରୀମାନେ ବିଭିନ୍ନ ସମୟରେ ବିକ୍ଷୋଭ ମଧ୍ୟ କରିଆସୁଛନ୍ତି । ସେହି ଦୁଇଟି ଦାବି ହେଲା- ଛୁଟି ଓ ମଜୁରି ବୃଦ୍ଧି । କର୍ମଚାରୀଙ୍କ କହିବା କଥା, ଆମେ ଏବେ ଦୈନିକ ମଜୁରୀରେ କାମ କରୁଛୁ । ମାସକୁ ୧୫ରୁ ୧୬ହଜାର ଦରମା । ହେଲେ ସେଥିରେ ଭୁବନେଶ୍ୱରରେ ରହି ପରିବାର ଚଳାଇବା କାଠିକର ପାଠ ହୋଇପଡ଼ୁଛି । ଆମେ ବାରମ୍ବାର ଏମ୍ସ କର୍ତ୍ତୃପକ୍ଷଙ୍କ ଠାରୁ ନେଇ ସଂସ୍ଥାର ମାଲିକଙ୍କୁ ମଧ୍ୟ ଗୁହାରି କଲୁଣି । ଦାବିପତ୍ର ମଧ୍ୟ ଦେଇସାରିଲୁଣି । ହେଲେ ଆମ ସମସ୍ୟାର ସମାଧାନ କେହି କରୁନାହାନ୍ତି ।

ଆହୁରି ପଢନ୍ତୁ- Labour Day:ପେଟ ପାଇଁ ସବୁ ନାଟ...ପିଲାଙ୍କ ମୁହଁକୁ ଚାହିଁ ଖଟୁଛନ୍ତି, ଭିନ୍ନକ୍ଷମ ହେଲେ ବି ଏମାନେ ଶ୍ରମିକ