ନୂଆଦିଲ୍ଲୀ, ୧୯।୫: ଭାରତୀୟ ବାୟୁସେନା କ୍ରମାଗତ ଭାବେ ନିଜର ସାମରିକ ଶକ୍ତି ବୃଦ୍ଧି କରିବାରେ ଲାଗିଛି । ସାରା ବିଶ୍ୱରେ ଚାଲିଥିବା ବିଭିନ୍ନ ସଂଘର୍ଷ ଏବଂ ବିଶ୍ୱର ପ୍ରମୁଖ ଦେଶଗୁଡ଼ିକ ଦ୍ୱାରା ଦ୍ରୁତ ଗତିରେ ବିକଶିତ କରାଯାଉଥିବା ନୂତନ ପ୍ରତିରକ୍ଷା ପ୍ରଣାଳୀକୁ ଦୃଷ୍ଟିରେ ରଖି ଭାରତୀୟ ବାୟୁସେନା ପ୍ରମୁଖ ଏୟାର ଚିଫ୍ ମାର୍ଶଲ ଏପି ସିଂହ ଏକ ବଡ଼ ବୟାନ ଦେଇଛନ୍ତି । ପ୍ରତିରକ୍ଷା କ୍ଷେତ୍ରରେ ଗବେଷଣା ଏବଂ ବିକାଶ କାର୍ଯ୍ୟରେ ନିୟୋଜିତ ଥିବା ଏଜେନ୍ସିଗୁଡ଼ିକୁ ସେ ପ୍ରାସଙ୍ଗିକତାର ବେଗ ସହ ନୂତନ ଉଦ୍ଭାବନକରିବାକୁ ପରାମର୍ଶ ଦେଇଛନ୍ତି ।
୧୦୦% କ୍ଷମତା ଅପେକ୍ଷା ସମୟାନୁବର୍ତ୍ତୀ ପ୍ରଯୁକ୍ତି ଜରୁରୀ:
ବାୟୁସେନା ମୁଖ୍ୟ କହିଛନ୍ତି ଯେ, ଆମକୁ ଇନୋଭେସନର ବେଗ ବଢ଼ାଇବାକୁ ହେବ, କାରଣ କୌଣସି ବି ପ୍ରଣାଳୀ ବା ଟେକ୍ନୋଲୋଜି ପୁରୁଣା ହେବା ପୂର୍ବରୁ ହିଁ ତାହା କାର୍ଯ୍ୟକ୍ଷମ ହେବା ଉଚିତ୍ । ୧୦୦% କ୍ଷମତା ପାଇଁ ଦୀର୍ଘ ସମୟ ଅପେକ୍ଷା କରିବା ଏବଂ ପରେ ତାହା ଅପ୍ରାସଙ୍ଗିକ ହୋଇଯିବା ଅପେକ୍ଷା, ସମୟ ଥାଉ ଥାଉ କୌଣସି ପ୍ରଣାଳୀର ୮୫-୯୦% କ୍ଷମତା ହାସଲ କରି ତାହାକୁ ବ୍ୟବହାର କରିବା ଅଧିକ ଶ୍ରେୟସ୍କର । ଥିଙ୍କ-ଟ୍ୟାଙ୍କ 'CAPSS' ଏବଂ 'ଇଣ୍ଡିଆନ ମିଲିଟାରୀ ରିଭ୍ୟୁ' ପ୍ରକାଶନ ଦ୍ୱାରା ମିଳିତ ଭାବେ ଆୟୋଜିତ ଏକ ସେମିନାରରେ ବାୟୁସେନା ମୁଖ୍ୟ ଏହି ଗୁରୁତ୍ୱପୂର୍ଣ୍ଣ ମତ ରଖିଛନ୍ତି ।
ଯୁଦ୍ଧକ୍ଷେତ୍ରର ସମ୍ପୂର୍ଣ୍ଣ ସୂଚନା ଓ ସମନ୍ୱୟ ସବୁଠୁ ଗୁରୁତ୍ୱପୂର୍ଣ୍ଣ:
ମାନବରହିତ ବିମାନ ପ୍ରଣାଳୀ (UAS) ଏବଂ ଆଣ୍ଟି-ୟୁଏଏସ୍ (Anti-UAS) ପ୍ରଣାଳୀ ଉପରେ ଆଲୋକପାତ କରି ଏୟାର ଚିଫ୍ ମାର୍ଶଲ କହିଛନ୍ତି ଯେ, ଯେକୌଣସି ଆଧୁନିକ ଆକାଶମାର୍ଗର ବିପଦକୁ ମୁକାବିଲା କରିବା ପାଇଁ ସମ୍ପୃକ୍ତ ଅଞ୍ଚଳର ସମ୍ପୂର୍ଣ୍ଣ ଓ ସଠିକ ସୂଚନା ରହିବା ଅତ୍ୟନ୍ତ ଆବଶ୍ୟକ । ଏହାସହ ସ୍ଥଳସେନା, ନୌସେନା ଓ ବାୟୁସେନା ମଧ୍ୟରେ ‘ପୂର୍ଣ୍ଣ ସମନ୍ୱୟ’ ରହିବା ଉଚିତ୍ । ନିକଟରେ ପଶ୍ଚିମ ଏସିଆ ସଂଘର୍ଷ ସମୟରେ ଘଟିଥିବା ଏକ ଘଟଣାର ଉଦାହରଣ ଦେଇ ସେ କହିଛନ୍ତି, "ଆମେ ଦେଖିଛୁ ଯେ ଯଦି ଆପଣଙ୍କ ପାଖରେ ସେହି ନିର୍ଦ୍ଦିଷ୍ଟ ଅଞ୍ଚଳର ସମ୍ପୂର୍ଣ୍ଣ ସୂଚନା ନଥାଏ, ତେବେ କ’ଣ ପରିଣାମ ହୁଏ । ଆପଣ ଜାଣିପାରନ୍ତି ନାହିଁ ଯେ ଆପଣଙ୍କ ନିଜ ଲୋକ କେଉଁଠି ଅଛନ୍ତି ଏବଂ ଶତ୍ରୁ କେଉଁଠି ଅଛି । କୁଏତରେ F-15 ବିମାନ ସହିତ କ’ଣ ଘଟିଲା ତାହା ଆମେ ଦେଖିଛୁ । ଏହା ମିତ୍ରପକ୍ଷ ମଧ୍ୟରେ ସଂଘର୍ଷ ଥିଲା । ତେଣୁ ଆମେ ଏଭଳି ଘଟଣାକୁ ଆଦୌ ବରଦାସ୍ତ କରିପାରିବୁ ନାହିଁ ।"
କହିରଖୁଛୁ ଯେ, ଆମେରିକାର ସେଣ୍ଟ୍ରାଲ କମାଣ୍ଡ ଗତ ମାର୍ଚ୍ଚ ୨ ତାରିଖରେ ଏକ ବିବୃତ୍ତିରେ କହିଥିଲା ଯେ, ମାର୍ଚ୍ଚ ୧ ତାରିଖରେ କୁଏତ ଆକାଶରେ ତିନୋଟି ଆମେରିକୀୟ F-15E ଷ୍ଟ୍ରାଇକ୍ ଇଗଲ୍ ବିମାନ ନିଜ ମିତ୍ରପକ୍ଷର ଭୁଲ୍ ଗୋଳାବାରୁଦ ମାଡ଼ ଯୋଗୁଁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବାୟୁସେନାଧ୍ୟକ୍ଷ କହିଛନ୍ତି ଯେ ଡ୍ରୋନ୍, ଏହା କୌଣସି ଭବିଷ୍ୟତର କଥା ନୁହେଁ, ବରଂ ବର୍ତ୍ତମାନର ବାସ୍ତବତା । ଯୁଦ୍ଧକ୍ଷେତ୍ର ସମ୍ପୂର୍ଣ୍ଣ ବଦଳି ଯାଇଛି ଏହାକୁ କେହି ଅସ୍ଵୀକାର କରିପାରିବେ ନାହିଁ । ଆମେ ବର୍ତ୍ତମାନ ସମ୍ପୂର୍ଣ୍ଣ କେନ୍ଦ୍ରୀଭୂତ ଏୟାର ପାୱାରରୁ ଦୂରେଇ ଯାଇ ଏକ ପ୍ରକାର ବିକେନ୍ଦ୍ରୀକୃତ ଏବଂ ଅଟୋନୋମସ୍ ଶୈଳୀ ଆଡ଼କୁ ଗତି କରୁଛୁ । ଏପି ସିଂହ ଆହୁରି ମଧ୍ୟ କହିଛନ୍ତି, "ୟୁଏଏସ୍ ପ୍ରଣାଳୀ ବ୍ୟବହାର କରିବା ସମୟରେ ମଧ୍ୟ ବାୟୁ ଶକ୍ତିର ସମସ୍ତ ନିୟମ ଲାଗୁ ହେବ, ଏହାକୁ ସେନାକୁ ମନେ ରଖିବାକୁ ହେବ । ସେଗୁଡ଼ିକ ଏବେ କେବଳ ଆକାଶରେ ଶତ୍ରୁ ଉପରେ ନଜର ରଖୁଥିବା 'ଆଖି' ହୋଇ ରହିନାହାନ୍ତି, ବରଂ ଆକାଶରେ 'ଚିଲ ପକ୍ଷୀର ନଖ' ପରି ଶକ୍ତିଶାଳୀ ସାବ୍ୟସ୍ତ ହୋଇଛନ୍ତି । ନିକଟରେ ଘଟିଥିବା ସଂଘର୍ଷଗୁଡ଼ିକରେ ଆମେ ଏହା ଦେଖିବାକୁ ପାଇଛୁ । ଆମେ 'ଅପରେସନ୍ ସିନ୍ଦୂର' ସମୟରେ ମଧ୍ୟ ଏହା ଅନୁଭବ କରିଥିଲୁ ଏବଂ ଏହି ଦିଗକୁ କେବେହେଲେ ଭୁଲିହେବ ନାହିଁ ।"
ୟୁଏଏସ୍ ବିରୋଧୀ ପ୍ରଣାଳୀ (Anti-UAS System) ବିଷୟରେ ବାୟୁସେନା ମୁଖ୍ୟ କହିଛନ୍ତି ଯେ, ଏହା ଏକ ପ୍ରକାର ‘ମୂଷା-ବିଲେଇ ଖେଳ’ ଭଳି । ଯଦି ଆପଣ କୌଣସି ଏକ କ୍ଷେତ୍ରରେ ନୂଆ ଟେକ୍ନୋଲୋଜି ବିକଶିତ କରୁଛନ୍ତି, ତେବେ ତାହାକୁ କାଉଣ୍ଟର କରିବା ପାଇଁ ଏକ କାଉଣ୍ଟର ଟେକ୍ନୋଲୋଜି ମଧ୍ୟ ସମାନ୍ତରାଳ ଭାବେ ବିକଶିତ ହେବା ଉଚିତ୍ । କାରଣ ଏହି ଖେଳ ଏମିତି ହିଁ ଚାଲେ, ନଚେତ୍ କୌଣସି ଗୋଟିଏ ପକ୍ଷକୁ ଏହାର ସମ୍ପୂର୍ଣ୍ଣ ଫାଇଦା ମିଳିଯିବ । ସେ ଶେଷରେ କହିଛନ୍ତି ଯେ, ଯୁଦ୍ଧ କେବଳ 'ବଳ ବନାମ ବଳ' ହୋଇପାରିବ ନାହିଁ, ଏହା 'ବଳ ବନାମ ପ୍ରତିରକ୍ଷା' ଏବଂ ଅନ୍ୟାନ୍ୟ କୌଶଳର ମୁକାବିଲା ହେବା ଆବଶ୍ୟକ ।
ଆହୁରି ପଢ଼ନ୍ତୁ... Squadron Leader Saanya: ଆକାଶରେ ଉଡ଼ିଲା ନାରୀ ଶକ୍ତିର ବିଜୟ ଧ୍ୱଜା, ଦେଶର ପ୍ରଥମ ମହିଳା 'କ୍ୟାଟ୍-ଏ' ଫ୍ଲାଇଙ୍ଗ୍ ଇନଷ୍ଟ୍ରକ୍ଟର ସ୍କ୍ୱାଡ୍ରନ ଲିଡର ସାନ୍ୟା